• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ଥମୁନି ବିରୋଧିଙ୍କ ପ୍ରତିବାଦ

  • ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନ ତୀବ୍ର

  • ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା

  • ବିରୋଧିଙ୍କ ଗର୍ଜନକୁ ନେଇ ବିଜେଡି କହିଲା ଶସ୍ତା ରାଜନୀତି

ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ଓ ଘଟଣାର ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ତୀବ୍ର ହେଉଛି ପ୍ରତିବାଦ । ଏ ତିନି ବ୍ରହ୍ମାସ୍ତ୍ରକୁ ଧରି ରାଜ୍ୟ ସରକାରଙ୍କ ବିପକ୍ଷରେ ବିରୋଧୀ ଚଳାଇଥିବା ଶାଣିତ ଆକ୍ରମଣ ଥମିବାର ନାଁ ଧରୁନି । ବିଜେପି ପକ୍ଷରୁ ଆଜି ଗଜପତି ଓ ଝାରସୁଗୁଡ଼ାରେ ବନ୍ଦ ପାଳନ କରାଯାଇଥିବା ସହ ଭବାନୀପାଟଣାରେ ହଲ୍ଲାବୋଲ୍ ଦେଖିବାକୁ ମିଳିଥିଲା । ସେହିପରି ଭୁବନେଶ୍ୱରରେ ଯୁବ କଂଗ୍ରେସ ଆଜିଠୁ ଦୁଇଦିନିଆ ଅହୋରାତ୍ର ଧାରଣା ଦେଇଥିବାବେଳେ ଭବାନୀପାଟଣାରେ ଭକ୍ତ ଦାସ ସାଧାରଣ ସଭା କରି ୮ ତାରିଖ ଜନତା କର୍ଫ୍ୟୁରେ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ତେବେ ବିଜେଡି ପକ୍ଷରୁ କୁହାଯାଉଛି ଯେ ବିରୋଧୀ କେବଳ ଶସ୍ତା ରାଜନୀତି କରୁଛନ୍ତି । ନିର୍ବାଚନ ପାଖେଇଲେ ସେମାନଙ୍କର ନାରୀ ସୁରକ୍ଷା କଥା ମନେପଡୁଛି ବୋଲି କହିଛି ଶାସକ ଦଳ ।

ଭବାନୀପାଟଣାରେ ବିଜେପି ମହିଳା ମୋର୍ଚ୍ଚାର ହଲ୍ଲାବୋଲ୍ କରିଛି । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦରୁ ବହିଷ୍କାର ସହ ଗିରଫ ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବ୍ୟାରିକେଡ୍ ଭାଙ୍ଗି ଏସପି ଅଫିସ୍ ଘେରାଉ ପାଇଁ ଯିବାବେଳେ ପୋଲିସ୍ ସହ ଧସ୍ତାଧସ୍ତି ଘଟିଛି । ଗର୍ଜନ ସାଙ୍ଗକୁ କୋକେଇ ଶୋଭାଯାତ୍ରା ମଧ୍ୟ ଦେଖିବାକୁ ମିଳିଛି ।

ସମାନ ଦାବିରେ ଆଜି ବିଜେପି ପକ୍ଷରୁ ଗଜପତିରେ ୧୨ ଘଣ୍ଟିଆ ଓ ଝରସୁଗୁଡ଼ାରେ ୮ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଏଣେ ରାଜଧାନୀରେ ବି ମମିତା ହତ୍ୟା ପ୍ରସଙ୍ଗରେ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ । ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ- ରାଜ୍ୟରେ ସମ୍ବେଦନହୀନ ସରକାର ଚାଲିଛି, ମୁଖ୍ୟମନ୍ତ୍ରୀ ଧ୍ରୁତରାଷ୍ଟ୍ର ଭଳି ବସିଛନ୍ତି । ନିଜ ଶାସନରେ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଦୋଷୀ ମନ୍ତ୍ରୀଙ୍କୁ ବହିଷ୍କାର ସହ ମୁଖ୍ୟମନ୍ତ୍ରୀ CBI ତଦନ୍ତ ନିର୍ଦ୍ଦେଶ ନଦେବା ଯାଏଁ ଦଳର ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି । ଏମିତିକ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମକୁ ବି ବର୍ଜନ କରିବା ସହ ଆଗକୁ ସବୁ କାର୍ଯ୍ୟକ୍ରମକୁ ବିରୋଧ କରାଯିବ ବୋଲି କହିଛନ୍ତି । ତାସହ ୮ ତାରିଖ ଦିନ ରାଜ୍ୟର ସମସ୍ତ ୩୧୪ଟି ବ୍ଳକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି କହିଛି ବିଜେପି ଦଳ ।

ମମିତା ପ୍ରସଙ୍ଗରେ କଂଗ୍ରେସ ବି ରହିଛି ଆଟାକିଂ ମୁଡ୍‌ରେ । ଭବାନୀପାଟଣାରେ ଦଳର ବରିଷ୍ଠ ନେତା ଭକ୍ତ ଦାସଙ୍କ ନେତୃତ୍ୱରେ ଏକ ବାଇକ୍ ରାଲି ଭବାନୀପାଟଣାରୁ କଲମପୁର ଅଭିମୁଖେ ବାହାରିଥିଲା । ପରେ ଏକ ସାଧାରଣ ସଭାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ ଭକ୍ତ ଦାସ । ମମିତାଙ୍କ ଆତ୍ମାର ସଦଗତି ପାଇଁ ଆସନ୍ତାକାଲି ଦିନ ୧୧ଟା ସମୟରେ ୨ମିନିଟ୍ ନିରବ ପ୍ରାର୍ଥନା କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ଭକ୍ତ ଦାସ । ତାସହ ଆସନ୍ତା ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ ପ୍ରଦର୍ଶନ ପୂର୍ବକ ନିଜ ନିଜ ଘରେ ରହି ଜନତା କର୍ଫ୍ୟୁ ପାଳିବାକୁ ଆହ୍ୱାନ ଦେଇଛନ୍ତି ଭକ୍ତ ଦାସ ।

ଏଣେ ରାଜଧାନୀରେ ଯୁବ କଂଗ୍ରେସ ଆଜି ଓ କାଲି ଦୁଇଦିନ ଧରି ଅହୋରାତ୍ର ଧାରଣା ଦେଉଛି । ସେହିପରି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ଯେ ମମିତା ହତ୍ୟାକାଣ୍ଡ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ପୋଲିସ ଷଡ଼ଯନ୍ତ୍ର କରୁଛି ।

 

ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ଆକ୍ରମଣର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କହିଛନ୍ତି ଯେ ବିରୋଧୀ କେବଳ ପ୍ରସଙ୍ଗକୁ ନେଇ ଶସ୍ତା ରାଜନୀତି କରୁଛନ୍ତି । ନିର୍ବାଚନ ଆସିଲେ ବିଜେପିର ନାରୀ ସୁରକ୍ଷା କଥା ମନେପଡ଼େ । ବିରୋଧୀ ଦଳଙ୍କ ଫାଇଣ୍ଡିଂ ଟିମ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରୁଛନ୍ତି । ଯଦି କିଛି ନୂଆ ତଥ୍ୟ ମିଳୁଛି, ତାହା ପୋଲିସକୁ ଦେବାକୁ ଆହ୍ବାନ ଦେଇଛନ୍ତି ସସ୍ମିତ୍ ପାତ୍ର । ସେପଟେ ଆସନ୍ତା ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପାଇଁ ଧର୍ମଗଡ଼ରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।