• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର (ରିପୋର୍ଟର-ଅତୁଲ୍ୟ ବାଉତ, ଜଗଦୀଶ ଦାସ ଓ ହରିହର ଚାନ୍ଦ): କ୍ୟାପଟେନ୍‌ଙ୍କୁ ତିନିଆଡୁ ତୀର । ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଜୟ, ସାଲୁଜା, ସୌମ୍ୟଙ୍କ ଶାଣିତ ଆକ୍ରମଣ । କଂଗ୍ରେସ ଓ ବିଜେପି ରାୟପୁରରେ ହୋଇଥିବା ତଥାକଥିତ ବୈଠକକୁ ନେଇ ପୁଣି ଘେରିଥିବା ବେଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରିଛନ୍ତି ସିଧାସଳଖ ଟାର୍ଗେଟ୍ ।

ପ୍ରକୃତରେ ମନ୍ତ୍ରୀଙ୍କ ରାୟପୁରସ୍ଥିତ କୁଲ୍ ହୋମ୍ ଆପାର୍ଟମେଣ୍ଟ ଫ୍ଳାଟ୍‌ରେ କଣ ହୋଇଥିଲା ? ବିଜୟ ମହପାତ୍ର ଓ ନରସିଂହ ମିଶ୍ରଙ୍କ ପରେ ଆଜି ରାୟପୁର ଗୁମରର ଆଉ ଏକ ଫର୍ଦ୍ଦ ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ ଅଭିଯୋଗ କରିଛନ୍ତି, ଗତ ସେପ୍ଟେମ୍ବର ୨୦ରୁ ୨୩ ତାରିଖର ଭିତରେ ରାୟପୁର ସ୍ଥିତ ମନ୍ତ୍ରୀଙ୍କ ଘରେ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ହୋଇଥିଲା ବୁଝାମଣା ବୈଠକ । ହେଲେ ତାହା ଫେଲ୍ ହୋଇଥିଲା ।

ଅନ୍ୟପକ୍ଷରେ ମମିତା ନିଖୋଜ ହେବାର ଦିନକ ପୂର୍ବରୁ ଅର୍ଥାତ ଅକ୍ଟୋବର ୭ ତାରିଖରେ ମମିତାଙ୍କ ଆକାଉଣ୍ଟରେ ଗୋବିନ୍ଦ ୮ ହଜାର ଟଙ୍କା ଜମା କରିଥିବା ସାଲୁଜା ଅଭିଯୋଗ କରିଛନ୍ତି । ସମସ୍ତଙ୍କ କଲ୍ ରେଜିଷ୍ଟର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି । ସେହିପରି ମମିତାଙ୍କ ପେନ୍‌ଡ୍ରାଇଭ୍, ଲାପଟପ୍ ଓ ମୋବାଇଲ୍‌ରେ ଅନେକ ନେତା-ମନ୍ତ୍ରୀଙ୍କ ସେକ୍ସ ସ୍କାଣ୍ଡାଲ୍‌ର ପ୍ରମାଣ ଥିବା ସାଂଘାତିକ ଅଭିଯୋଗ କରିଛନ୍ତି ସାଲୁଜା ।

ସେପଟେ ରାୟପୁରରେ ଥରେ ନୁହେଁ ତିନି ଥର ବୁଝାମଣା ବୈଠକ ହୋଇଥିବା ଏବଂ ଗୋବିନ୍ଦ ପୋଲିସ୍ ବାରାକ୍‌ରେ ଥିବାବେଳେ ମନ୍ତ୍ରୀଙ୍କ ସହ କଥା ହୋଇଥିବା ଅଭିଯୋଗ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଆଗକୁ ଆହୁରି ବିସ୍କୋରକ ତଥ୍ୟ ଆସିବ ବୋଲି କହିଛନ୍ତି ।

ସେପଟେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ସଂପାଦକୀୟ ଆମ ଘରର ହାଲଚାଲରେ ଦିବ୍ୟଶଙ୍କରଙ୍କୁ ସିଧାସଳଖ ନିଶାନା କରିଛନ୍ତି । ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିକୁ କଡ଼ା ସମାଲୋଚନା କରିବା ସହ ଏହା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି । ମନ୍ତ୍ରୀ, ଏ ଯାଏଁ ବି ମମିତାଙ୍କ ପରିବାରକୁ ସମବେଦନା ଜଣାଇବାକୁ ନଯିବା ଏବଂ ସେ ଗୃହ ରାଷ୍ଟ୍ରମନ୍ତ୍ରୀ ପଦରେ ଥିବା ପର୍ଯ୍ୟନ୍ତ ତାଙ୍କର କଥିତ ସଂପୃକ୍ତି ଅଭିଯୋଗର ମୁକ୍ତ ଓ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ଦର୍ଶାଇଛନ୍ତି ।

ସମ୍ ହସପିଟାଲ୍ ଅଗ୍ନିକାଣ୍ଡରେ ଅତନୁ ସବ୍ୟସାଚୀଙ୍କ ଭୂମିକା ନଥାଇ ବି ନୈତିକ ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । କିନ୍ତୁ ଏବେ ସେପରି ହେଉନଥିବାରୁ ଦୁଇପ୍ରକାର ମାପଦଣ୍ଡ ହେଉଥିବା କହିଛନ୍ତି ସୌମ୍ୟ । ମିଡିଆ ହାଉସ୍‌ମାନଙ୍କୁ ବ୍ୟକ୍ତିଗତ ଓ ରାଜନୈତିକ ଏଜେଣ୍ଡା ପାଇଁ ବ୍ୟବହୃତ ନହୋଇ ନୈତିକତାର ପରାମର୍ଶ ଦେଇଛନ୍ତି ମନ୍ତ୍ରୀ । କିନ୍ତୁ ନିଜ ନୈତିକତାର ମୂଲ୍ୟବୋଧ କଣ ଗୋଟିଏ ପକ୍ଷ ପାଇଁ ?

ସଶସ୍ତ୍ର ବାହିନୀର ଲଢୁଆ ସୈନିକର ସାହସ ଓ ବଳିଦାନର ଆଦର୍ଶ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ । ପ୍ରେସ୍ ବିବୃତିରେ ଦିବ୍ୟଶଙ୍କର ମା ମାଣିକେଶ୍ୱରୀଙ୍କୁ ବ୍ୟବହାର କରିବାକୁ ଭୁଲିନାହାନ୍ତି । ମଣିଷ ଅତ୍ୟନ୍ତ ଅସହାୟ ଅନୁଭବ କଲେ ଈଶ୍ୱରଙ୍କ ନିକଟରେ ଶରଣାପନ୍ନ ହୁଏ, ଏଥିରୁ ତାହା ସହଜରେ ବୁଝା ପଡୁଛି । କିନ୍ତୁ ମନ୍ତ୍ରୀ ଏପରି ଅସହାୟ ଅନୁଭବ କରୁଛନ୍ତି କାହିଁକି ? ତାଙ୍କ ସପକ୍ଷରେ ତ ବହୁତ ବଡ ବଡ ଲୋକ ଅଛନ୍ତି ବୋଲି କହି ସୌମ୍ୟ ତାଛଲ୍ୟ କରିଛନ୍ତି ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଏତେ ସବୁ ସାଂଘାତିକ ଅଭିଯୋଗ ଆସିଥିଲେ ମଧ୍ୟ ସେ ସିଧାସଳଖ କୌଣସି ଅଭିଯୋଗର ଉତ୍ତର ରଖିନାହାନ୍ତି । ରାୟପୁରରେ ହୋଇଥିବା ବୈଠକ ଅଭିଯୋଗକୁ ସେ ଏଯାଏଁ ଖଣ୍ଡନ କରିନଥିବାରୁ ସନ୍ଦେହ ବଢିବାରେ ଲାଗିଛି ।