• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ଅଣ୍ଟା ଭିଡ଼ିଥିବା ବେଳେ ବିଜେପି ମଧ୍ୟ ପ୍ରସ୍ତୁତ ହେଉଥିବା କୁହାଯାଉଛି । ତେବେ ସମସ୍ତେ ଜାଣନ୍ତି ନିର୍ବାଚନ ଆସିଲେ ନେତାଙ୍କର ଦଳବଦଳୀ ଆରମ୍ଭ ହୁଏ । ଖାଲି ସେତିକି ନୁହେଁ ଘନ ଘନ ମିଶ୍ରଣ ପର୍ବ ମଧ୍ୟ ହୁଏ । କାରଣ ଅସନ୍ତୋଷ ନେତା ମାନେ ନିଜର ଥଇଥାନ କଥା ଚିନ୍ତା କରନ୍ତି । ଏବଂ କେଉଁ ଦଳ ତାଙ୍କୁ ଅଧିକ ଗୁରୁତ୍ୱ ଦେବ କିମ୍ବା କେଉଁ ଦଳ ତାଙ୍କୁ ଭବିଷ୍ୟତରେ ପ୍ରାର୍ଥୀ କରିବ ସେମାନେ ସେହି ଦଳକୁ ଲମ୍ଫ ପ୍ରଦାନ କରନ୍ତି ।

ଏମିତି ଅସନ୍ତୁଷ୍ଟ ନେତା ସବୁ ଦଳରେ ଅଛନ୍ତି । ତେବେ ଏହାରି ଭିତରେ ଏବେ ଦୁଇଟି ବଡ଼ ଖବର ସାମ୍ନାକୁ ଆସିଛି ଯେ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବେ । ନିଜ ଜେଜେବାପା ଓ ବାପାଙ୍କ ଭଳି ସେ ବିଜେଡି ରାଜନୀତିରେ ସାମିଲ ହେବେ । ଏହି ଖବର ଜୋରଦାର ଚର୍ଚ୍ଚା ହେବା ପରେ ଆଜି କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଶ୍ରୀ ମାଝି । ଏକ ପ୍ରେସ୍‌ମିଟ୍‌ କରି ଶ୍ରୀ ମାଝି ଏଭଳି ଚର୍ଚ୍ଚାକୁ ନିନ୍ଦନୀୟ ବୋଲି କହିଛନ୍ତି । ଏହି ଖବର ପ୍ରଚାର କେବଳ ଗୁଜବ ମାତ୍ର । ସେ ଆହୁରି କହିଛନ୍ତି ଯେ, ବିଜେଡିରେ ଯୋଗଦେବାର ତାଙ୍କ କୌଣସି ପ୍ରକାର ଯୋଜନା ନାହିଁ । ତେବେ ଗତବର୍ଷ ମଧ୍ୟ ପ୍ରଦୀପ ମାଝି ବିଜେପିରେ ଯୋଗଦେବେ ବୋଲି କିଛି ସୋସିଆଲ ପ୍ଲାଟ୍‌ଫର୍ମରେ ଚର୍ଚ୍ଚା ହେଉଥିଲା । 

ପ୍ରଦୀପ ମାଝିଙ୍କ ପରେ ଆଉ ଏକ ବଡ଼ ଖବର ହେଉଛି ଭୁବେନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ବିଜେପି ଛାଡ଼ିବାକୁ ଯାଉଛନ୍ତି । ହେଲେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ମଧ୍ୟ ଜଗନ୍ନାଥ ବିଜେପି ପ୍ରତି ଅସନ୍ତୁଷ୍ଟ ଥିବା କଥା ଖବର ପ୍ରକାଶ ପାଇଥିଲା । ଏମିତିକି ସେ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିବା ଦେଖାଯାଇଥିଲା । ହେଲେ ସାଂସଦ ଅପରାଜିତାଙ୍କ ହସ୍ତକ୍ଷେପ ପରେ ସେ ସାନ୍ତ ପଡ଼ିଥିଲେ ଏବଂ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

କିନ୍ତୁ ଏବେ ସେ ପୁଣିଥରେ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି । ଓଟିଭିକୁ ଦେଇଥିବା ପ୍ରତିକ୍ରିୟାରେ ଅସନ୍ତୁଷ୍ଟ ଥିବା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱର ଜିଲ୍ଲା ବିଜେପିର କାର୍ଯ୍ୟକଳାପକୁ ନେଇ ସେ ସନ୍ତୁଷ୍ଟ ନୁହନ୍ତି । ଏଠାରେ ଅନେକ ସମସ୍ୟା ରହିଛି । ଯାହାର ସମାଧାନ ନେଇ ରାଜ୍ୟ ସଭାପତିଙ୍କୁ ଲିଖିତ ଭାବେ ସେ ଜଣାଇଛନ୍ତି । ଏପିରିକି ରାଜ୍ୟ ସଭାପତି ଗତକାଲି ଏ ସମ୍ପର୍କରେ ଡାକି ଆଲୋଚନା ମଧ୍ୟ କରିଛନ୍ତି । ୨ ଦିନ ଭିତରେ ସମସ୍ୟାର ସମାଧାନ କରିବେ ବୋଲି ସେ କହିଛନ୍ତି । ସେହିପରି ସେ ଭୁବନେଶ୍ୱର ଉତ୍ତରର ବିଜେଡି ବିଧାୟକ ସୁଶାନ୍ତ ରାଉତ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ଦାସଙ୍କୁ ଭେଟିଥିବା ପ୍ରଶ୍ନରେ ଜଗନ୍ନାଥ କହିଛନ୍ତି, ଏଥିରେ ଲୁଚାଚୋରା କିଛି ନାହିଁ । ଏକଥା ସଭାପତିଙ୍କୁ ବି ଜଣାଇଛନ୍ତି । ସୁଶାନ୍ତ ତାଙ୍କ ପୁରୁଣା ବନ୍ଧୁ । ତାଙ୍କ ସହ ଆଲୋଚନାରେ କୌଣସି ଅସୁବିଧା ନାହିଁ ।