• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ବିଜେପି ଛାଡିଲେ ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁ

ତେଲକୋଇ ( ଚିନ୍ମୟ କୁମାର ସାହୁ )- ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁ ପୁଣି ଦଳ ବଦଳାଇଛନ୍ତି । ସେ ଆଜି ବିଜେପିରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲାର ଏହି ନେତା କଂଗ୍ରେସ ଛାଡି ବିଜେପିକୁ ଆସିଥିଲେ । ଏବେ ସେ ବିଜେପି ଛାଡିଛନ୍ତି । ତେବେ କେଉଁ ଦଳକୁ ଯିବେ, ତାହା ସେ ସ୍ପଷ୍ଟ କରିନାହାନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ଧନୁର୍ଜୟ ସିଧୁ ବିଜେପିରୁ ଇସ୍ତଫା ଦେଇଛନ୍ତି । ଆଜି ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମରେ ନିଜ ସମର୍ଥକ ମାନଙ୍କୁ ନେଇ ଏକ ସଭା କରିଥିଲେ । ଏହି ସଭାରେ ସେ ଦଳରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।

୨୦୦୪ ମସିହା ବିଧାନସଭା ନିର୍ବାଚନରେ ଧନୁର୍ଜୟ ସିଧୁ କଂଗ୍ରେସ ଟିକେଟରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ବିଜୟୀ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଭୋଟର ତାଙ୍କୁ ଗ୍ରହଣ କରିନଥିଲେ । ୨୦୦୯ରେ ସେ ପରାଜୟ ବରଣ କରିଥିଲେ । ପରେ ୨୦୧୪ ରେ ଚମ୍ପୁଆ ଛାଡି ତେଲକୋଇ ନିର୍ବାଚନମଣ୍ଡଳୀରେ ପୁଣି କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ନିର୍ବାଚନରେ ହାରିଯାଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଥିଲେ ।

ଭାରତୀୟ ଜନତା ପାର୍ଟି ତାଙ୍କୁ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥୀ କରିଥିଲା । ଏହି ନିର୍ବାଚନରେ ସେ ୬୮୬୨୮ ଖଣ୍ଡ ଭୋଟ ପାଇଥିଲେ । ବିଜେଡି ପ୍ରାଥୀ ପ୍ରେମାନନ୍ଦ ନାୟକ ଙ୍କ ଠାରୁ 5ହଜାର ରୁ ଅଧିକ ଭୋଟ ରେ ପରାଜୟ ବରଣ କରିଥିଲେ । ପରାଜୟ ପରେ ମଧ୍ୟ ବିଜେପି ପକ୍ଷରୁ ତାଙ୍କୁ ଗୁରୁତ୍ୱ ଦେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ୱ ଦିଆଯାଇଥିଲା । ତାଙ୍କ ପରାଜୟ ପଛରେ ଦଳୀୟ ନେତାଙ୍କ ହାତ ରହିଥିବା ସେ ଅଭିଯୋଗ ଆଣିଥିଲେ । ଦଳରେ ନୂଆ ପୁରୁଣା ଭେଦଭାବ ଓ ଗୋଷ୍ଠୀ କନ୍ଦଳ ଯୋଗୁଁ ସେ ବିଜେପି ଦଳରୁ ଇସ୍ତଫା ଦେଇଥିବା ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ସେ କେଉଁ ଦଳରେ ମିଶିବେ ତାହା ସ୍ପଷ୍ଟ କରିନାହାନ୍ତି ।

ଅନ୍ୟପଟେ ଶ୍ରୀ ସିଧୁ ଜଣେ ସୁବିଧାବାଦୀ ଓ ତାଙ୍କ ସୁବିଧା ପାଇଁ ସେ ଦଳ ବଦଳ କରିଛନ୍ତି ବୋଲି ବିଜେପି କହିଛି । ତାଙ୍କ ଇସ୍ତଫାରେ ବିଜେପି ର କୌଣସି କ୍ଷତି ହେବାର ନାହିଁ ବୋଲି ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ମାନସ ନାଏକ ପ୍ରକାଶ କରିଛନ୍ତି ।ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିଧୁ ଦଳବଦଳ କରିଛନ୍ତି । ସେ ଯେଉଁ ଦଳକୁ ଯିବେ, ତାଙ୍କୁ ସେଠାରେ ସେ ଦଳ କେତେ ପ୍ରାଧାନ୍ୟ ଦେବ ? ସେ ତେଲକୋଇରେ ରହିବେ ନା ପୁଣି ଚମ୍ପୁଆ ଫେରିବେ ? ତାଙ୍କ ଯୋଜନା ଅଳ୍ପ ଦିନ ଭିତରେ ସ୍ପଷ୍ଟ ହୋଇଯିବ ।