• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ପାଲଟା ଜବାବ ରଖିଲେ ସାଲୁଜା । ମମିତା ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜବାବର ପାଲଟା ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ମନ୍ତ୍ରୀ ପ୍ରଥମରୁ ହିଁ ମମିତା ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ଭ୍ରମିତ କରି ଆସୁଛନ୍ତି । ମୋ କଥାକୁ ଭୁଲ ଦର୍ଶାଇ ଆହୁରି ଭ୍ରମିତ କରିଛନ୍ତି । ସେ କହିଛନ୍ତି କଣ୍ଟାବାଞ୍ଝିରୁ ରାୟପୁର ମାତ୍ର ୩ ଘଣ୍ଟାର ରାସ୍ତା । ସେଠାକୁ ଯାଇ ରହି କି ଆସି ହେବ । ମୋ ଅଭିଯୋଗ ଅନୁଯାୟୀ ମନ୍ତ୍ରୀ ସେହି ୪ ଦିନ ଭିତରେ ରାୟପୁର ଯାଇଛନ୍ତି କି ନାହିଁ କହିଲେ ନାହିଁ । ଯଦି ମନ୍ତ୍ରୀ ନିଜକୁ ସ୍ୱଚ୍ଛ ବୋଲି କହୁଛନ୍ତି, ତେବେ ନିଜ ମୋବାଇଲକୁ ପୋଲିସ ପାଖେ ସରେଣ୍ଡର କରାନ୍ତୁ ବୋଲି ସାଲୁଜା କହିଛନ୍ତି । ଏଥି ସହ ମନ୍ତ୍ରୀଙ୍କ ମୋବାଇଲ କଲ ରେକର୍ଡ ସହ ଗୋବିନ୍ଦ ସାହୁ ପାଖରୁ ମିଳିଥିବା ତିନିଟି ମୋବାଇଲ ଓ ମମିତା ମୋବାଇଲର କଲ ରେକର୍ଡ ମେଳ କରାଯାଉ ବୋଲି ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଗତାକଲି ରାୟପୁର ରାଜ୍ ଖୋଲିଥିଲେ ସାଲୁଜା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ? ଏହାର ଗୁମର ଖୋଲିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇଥିଲେ, ଆଉ ତାପରେ ସାଲୁଜା ମଧ୍ୟ ସମାନ କଥା ଦୋହରାଇଥିଲେ ।

ସେ କହିଥିଲେ ସେପ୍ଟେମ୍ବର ୨୦ରେ ମମିତା ବସ୍ ଯୋଗେ ଘରୁ ବାହାରିଥିଲେ । ଆଉ ମହାଲିଙ୍ଗରୁ ଅଭିଯୁକ୍ତ ଗୋବିନ୍ଦ, ମମିତାଙ୍କୁ ରାୟପୁର ନେଇ ଯାଇଥିଲା । ୨୦ରୁ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ରାୟପୁରରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଅଭିଯୁକ୍ତ ଗୋବିନ୍ଦ ଓ ଶିକ୍ଷୟିତ୍ରୀ ମମିତା ରହିଥିଲେ ବୋଲି ସେ ଅଭିଯୋଗ କରିଥିଲେ  । ସେଠାରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ । ସେଠାରେ କୁଲ ହୋମ ଆପାର୍ଟମେଣ୍ଟରେ ମମିତାଙ୍କ ସହ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ମନ୍ତ୍ରୀ । ହେଲେ ସେପ୍ଟେମ୍ବର ୨୩ରେ ଘରକୁ ଫେରି ଆସିଥିଲେ ମମିତା । ମମିତା, ମନ୍ତ୍ରୀ ଓ ଗୋବିନ୍ଦ କଥାରେ ରାଜି ହୋଇନଥିଲେ । ବୁଝାମଣା ହୋଇ ନ ପାରିବାରୁ ମୃତକଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଥିଲା ଗୋବିନ୍ଦ ।

୭ ତାରିଖରେ ମମିତା ଆକାଉଣ୍ଟରେ ୮ ହଜାର ଡିପୋଜିଟ୍ କରିଥିଲା ଅଭିଯୁକ୍ତ । ଆଉ ଟଙ୍କା ଡିପୋଜିଟ୍ କରିବାର ଗୋଟିଏ ଦିନ ପରେ ୮ ତାରିଖରେ ଗୋବିନ୍ଦ ମମିତାକୁ ଡକାଇ ହତ୍ୟା କରିଥିବା କଥା କହିଛନ୍ତି ସାଲୁଜା । କଲ ରେକର୍ଡ ଯାଞ୍ଚ କଲେ ୩ ଜଣ ଗୋଟିଏ ସ୍ଥାନରେ ଥିଲେ ନା ନାହିଁ ଜଣାପଡ଼ିବ । ମାତ୍ର ପୋଲିସ ଏଯାବତ ଏ ଦିଗରେ ଖୁଲାସା କରିନି ବୋଲି କହିଥିଲେ ସାଲୁଜା ।

ତେବେ ସାଲୁଜାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ସେ କହିଥିଲେ ସାଲୁଜା କେବଳ କାହାଣୀ କହୁଛନ୍ତି । ତାଙ୍କ କଥାରେ ସତ୍ୟତା ନାହିଁ । ମନ୍ତ୍ରୀଙ୍କ ଏଭଳି ଜବାବର ଆଜି ଏଭଳି ପାଲଟା ଜବାବ ରଖିଛନ୍ତି ଶ୍ରୀ ସାଲୁଜା ।