• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି ।

ଖାଲି ସେତିକି ନୁହେଁ ସତ୍ୟ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଦିବ୍ୟଶଙ୍କରଙ୍କୁ ନେଇ ଏବେ ମୁଖ୍ୟମନ୍ତ୍ରୀ ଦ୍ୱନ୍ଦରେ ରହିଛନ୍ତି । ଏଥିପାଇଁ ଗତକାଲି ମଞ୍ଚରେ ତାଙ୍କୁ ପାଖରେ ବସିବାକୁ ଦେଇନାହାନ୍ତି । ଏପରିକି ଏହି ଦ୍ୱନ୍ଦ୍ୱ କାରଣରୁ ବାରିପଦା ଗସ୍ତବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ସାଥିରେ ମଧ୍ୟ ନେଇ ନାହାନ୍ତି । ସେ ଆହୁରି କହିଛନ୍ତି, ଏଥିରୁ ସ୍ପଷ୍ଟ ଯେ, ଏବେ ନବୀନ ବାବୁ ଦିବ୍ୟଶଙ୍କରଙ୍କୁ ନିଜ ପାଖରେ ଦେଖିବାକୁ ଚାହୁଁନାହାନ୍ତି । କାରଣ ସରକାରୀ ସ୍ତରରେ ଦିବ୍ୟଶଙ୍କର ବାରିପଦା ଗସ୍ତ ପାଇଁ ସମସ୍ତ ବିଧିବ୍ୟବସ୍ଥା ହୋଇଥିଲେ ମଧ୍ୟ ତାକୁ ଶେଷ ମୁହୁର୍ତ୍ତରେ ବାତିଲ କରାଯାଇଥିଲା । ଆଉ ଦିବ୍ୟଶଙ୍କର ସେହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଯାହାକି ଦିବ୍ୟଶଙ୍କରଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱନ୍ଦ୍ୱରେ ଥିବା ସ୍ପଷ୍ଟ କରୁଛି । 

ସେପଟେ ମମିତା ମେହେର ହତ୍ୟା ଘଟଣାରେ ବାମଦଳର ବିକ୍ଷୋଭ ଦେଖିବାକୁ ମିଳିଛି । ସିପିଆଇ, ସିପିଏମ୍, ସିପିଆଇଏମ୍ଏଲ୍ ଓ ଏଆଇଏଫ୍‌ବି ପକ୍ଷରୁ ରାଜ୍ୟବ୍ୟାପୀ ଆଜି ଆନ୍ଦୋଳନ କରାଯାଇଛି । ଭୁବନେଶ୍ୱର ପିଏମ୍‌ଜି ସ୍କୋୟାରରେ ଦଳ ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତିମଣ୍ଡଳରୁ ବହିଷ୍କାର ଦାବି କରିଛି ବାମଦଳ । ଏହାସହ ମମିତାଙ୍କ ପରିବାରଙ୍କୁ ଏକ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ବାମଦଳ ଗୁଡ଼ିକ ଦାବି କରିଛନ୍ତି ।

ସେହିଭଳି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖାଲି ସେତିକି ନୁହେଁ ମମିତାଙ୍କୁ ନ୍ୟାୟ ପାଇଁ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛି ।

ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ଗିରଫ କରିଛି । କଲେଜ ଓ ହଷ୍ଟେଲରେ ପୋଲିସ ପଶି ଅଧିକ ଛାନ୍‌ଭିନ୍‌ ମଧ୍ୟ କରିଛି । ଗତକାଲି ଗୋବିନ୍ଦ ସାହୁକୁ କ୍ରାଇମ୍‌ ସ୍ପଟ୍‌କୁ ନେଇ ପୋଲିସ କ୍ରାଇମ୍ ସିନ୍‌ ରି-କ୍ରିଏସନ୍‌ କରିଥିଲେ । ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କ୍ରାଇମ୍‌ ସ୍ପଟ୍‌ରେ ପହଞ୍ଚି ଗୋବିନ୍ଦ ସାହୁ ନିଜେ କିଭଳି ହତ୍ୟା କରିବା ପରେ ପୋଡ଼ିଥିଲା ଓ ପୋତିଥିଲା ତାକୁ ବଖାଣିଛି ।