• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନସିଂରେ ବିଭିନ୍ନ ବିଭାଗ ସହ ସମୀକ୍ଷାବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ଫସଲ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୈନିକ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେବା ସହ ୭ଦିନ ଭିତର ସବୁ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି ।

ଏହାସହ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାକୁ ଗୁରୁତ୍ୱ ଦେବା ସହ ଫସଲ ନଷ୍ଟ ହେଉଥିବା ସ୍ଥାନରେ ଦ୍ୱିତୀୟ ଫସଲ ପାଇଁ ବିହନ ଓ ମିନିକିଟ୍ ଯୋଗାଇବାକୁ କହିଛନ୍ତି । ଖାଲି ସେତିକି ନୁହେଁ କ୍ଷେତ୍ରସ୍ତରରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ବୃଷ୍ଟିପାତ ୩୦ ପ୍ରତିଶତ କମ୍ ରହିଛି । ଫଳରେ ୨୧୩ ବ୍ଲକ୍‌ରେ ଚାଷ କାମ ପ୍ରଭାବିତ ହୋଇଛି । 

କେନାଲ ଗୁଡିକରେ ଜଳପ୍ରବାହ ଓ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯଦି କ୍ଷେତରେ ଫସଲ ନଷ୍ଟ ହୁଏ, ତାହାହେଲେ ଦ୍ୱିତୀୟ ଫସଲ ପାଇଁ ଆବଶ୍ୟକ ହେଉଥିବା ବିହନ ଓ ମିନିକିଟ୍‌ ଯୋଗାଇ ଦେବା କୁହାଯାଇଛି । ଯେଉଁଠାରେ ଫସଲ ଅଛି ତାକୁ ସୁରକ୍ଷିତ ରଖିବା ପାଇଁ ରିହାତି ଦରରେ ଚାଷୀଙ୍କୁ ଡିଜେଲ ପମ୍ପ ସେଟ୍‌ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି-“ଚାଷୀଙ୍କ ଜମିକୁ ଜଳଯୋଗାଣକୁ ସୁରକ୍ଷିତ ରଖିବାକୁ ଗୋଟିଏ ଜାଗାରେ ଅଧ ଏକରରୁ ଅଧିକ ଥିବା ଚାଷ ଜମି ପାଇଁ ପୋଖରୀ ଖୋଳନ୍ତୁ । ଏହାସହିତ ସମସ୍ତ ଉଠା ଜଳସେଚନ ପଏଣ୍ଟ ଗୁଡିକୁ ୭ ଦିନ ମଧ୍ୟରେ ମରାମତି ଓ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରାଯାଉ । ଛୋଟ ଓ ନାମମାତ୍ର ଚାଷୀ ଓ କୃଷି ଶ୍ରମିକଙ୍କୁ ଜୀବିକା ସହାୟତା ଦେବା ପାଇଁ ବିଭିନ୍ନ ରୋଜଗାର ସୃଷ୍ଟିକାରୀ ଯୋଜନା ଉପରେ ପ୍ରାଥମିକତା ଦିଆଯାଉ । ଜନସାଧାରଣ ଓ ପ୍ରାଣୀସଂପଦଙ୍କ ପାଇଁ ଯେପରି ପାନୀୟ ଜଳର ଅଭାବ ନ ହୁଏ, ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ପଦକ୍ଷେପ ନିଅନ୍ତୁ। ଚାଷୀ ଓ ସାଧାରଣ ଜନତାଙ୍କ ଉପରେ ମରୁଡିର ପ୍ରଭାବ କମ୍‌ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉ ।”