• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଅଭାବ । ଜମି ଫାଟି ଆଁ କଲାଣି । ଚାଷୀ ମୁଣ୍ଡରେ ହାତ ଦେଲେଣି । ମରୁଡ଼ି ଭୟରେ ଚାଷୀଙ୍କ ଆଖିରୁ ଲୁହ ଶୁଖୁନି । ସେପଟେ ଏମିତି ବି ଖବର ରହିଛି ଚାଷୀ ଚାଷରେ କ୍ଷତି ଯୋଗୁଁ ଜୀବନ ହାରିଲେଣି । ପାଣିପାଗ ବିଭାଗ ବି କହିଛି ରାଜ୍ୟରେ ଏବେ ସୁଦ୍ଧା ସ୍ୱାଭାବିକ୍‌ ଠାରୁ ଅପେକ୍ଷାକୃତ କମ୍‌ ବର୍ଷା ହୋଇଛି । ପାଖାପାଖି ୨୪ ଜିଲ୍ଲାରେ ବର୍ଷା କମ୍‌ ହେବା ଯୋଗୁଁ ଏବଂ ଜମିରେ ଜଳ ସେଚନର ସୁବିଧା ନଥିବାରୁ ମରୁଡ଼ି ସ୍ଥିତି ଉପୁଜିଲାଣି । ଅନ୍ୟପଟେ ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବର ମାସରେ ଅଧିକ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ବାରମ୍ବାର ଟାର୍ଗେଟ୍‌ କରୁଥିବା ବେଳେ ମରୁଡ଼ିର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି ଦଳ । ବିଜେପିର ଏକ ସ୍ୱତନ୍ତ୍ର ଟିମ୍ ବଲାଙ୍ଗିର ଜିଲ୍ଲାକୁ ଯାଇ ପୁଇଁନ୍ତଳା, ବଲାଙ୍ଗିର ସଦର ବ୍ଲକ, ପାଟଣାଗଡ଼, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକ ଏବଂ ପରେ ନୂଆପଡ଼ା ଜିଲ୍ଲାକୁ ଯାଇ ଚାଷବାସର ସ୍ଥିତି ଅନୁଧ୍ୟାନ କରିଛି । ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ଟିମ୍ ଉଭୟ ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛି । ତାସହ ତୁରନ୍ତ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ବିଜେପି ରାଜ୍ୟ ସରକାରଙ୍କ ଆଗରେ ଦାବି ରଖିଛି ।

ସେହିପରି କଂଗ୍ରେସ ମଧ୍ୟ ଗତ ୨୪ରୁ ୩୦ ତାରିଖ ଯାଏଁ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର, ନୂଆପଡ଼ା ଆଦି ଜିଲ୍ଲାକୁ ଯାଇ ମରୁଡ଼ି ସ୍ଥିତିର ଅନୁଧ୍ୟାନ କରିଥିଲା । ଏହାପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଜଳସେଚନ ବ୍ୟବସ୍ଥାର ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଛି । ତୁରନ୍ତ ମରୁଡ଼ି ଅଞ୍ଚଳ ଘୋଷଣା ଓ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି କରିଛି କଂଗ୍ରେସ ।

ସେପଟେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ଏକ ସମୀକ୍ଷା ବୈଠକ ହୋଇଛି । ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବଂ ଏହାର ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିଥିବା ଟ୍ୱିଟ୍‌ କରିଛନ୍ତି କୃଷିମନ୍ତ୍ରୀ ।

ସୂଚନାଅନୁଯାୟୀ, ବର୍ତ୍ତମାନର ଅନାବୃଷ୍ଟି ଜନିତ ପରିସ୍ଥିତିକୁ ଆଖି ଆଗରେ ରଖି ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସଙ୍ଗେ ସଙ୍ଗେ କ୍ଷେତ୍ର ପରିଦର୍ଶନ କରି ବାସ୍ତବ ଚିତ୍ର ଅଧିକାରୀଙ୍କୁ ପ୍ରଦାନ କରିବେ ବୋଲ କୃଷିମନ୍ତ୍ରୀଙ୍କ ନିର୍ଦେଶ ରହିଛି ।

ପ୍ରସ୍ତୁତ ହୋଇଥିବା ଆପାଦକାଳୀନ ଯୋଜନାକୁ କିପରି ଭାବରେ ଅଧିକ କାର୍ଯ୍ୟୋପଯୋଗୀ କରାଯାଇପାରିବ ଏଥି ନିମନ୍ତେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ବୈଷୟିକ କମିଟି ଗଠନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ କମିଟି ଏହାର ଉପଦେଶାବଳୀ ଆସନ୍ତା ୬ ତାରିଖ ସୁଦ୍ଧା ବିଭାଗୀୟ ସଚିବଙ୍କୁ ପ୍ରଦାନ କରିବ । ରାଜ୍ୟସ୍ତରୀୟ ଅଧିକାରୀ ଅନାବୃଷ୍ଟି ଜନିତ ସମସ୍ତ ସୂଚନା ତତ୍ କ୍ଷଣାତ ପ୍ରଦାନ କରିବେ ।