• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୩ ବର୍ଷ ପରେ କେନ୍ଦ୍ର ବିରୋଧୀ ସ୍ୱରକୁ ଶାଣିତ କଲା ବିଜେଡି

  • ବିରୋଧୀ କହିଲେ ମମିତା ଇସ୍ୟୁକୁ ଡାଇଭର୍ଟ ପାଇଁ ଶାସକ ଦଳର ଚାଲ୍

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି । ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଘନଘନ ଆକ୍ରମଣ ଓ ବିକ୍ଷୋଭ ପରେ ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇ ଏହାକୁ କାଉଣ୍ଟର କରିଛି ବିଜେଡି । ପ୍ରାୟ ୩ ବର୍ଷ ପରେ କେନ୍ଦ୍ର ବିରୋଧୀ ସ୍ୱରକୁ ଶାଣିତ କରି ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ରାଜଭାବନ ଆଗରେ ବିକ୍ଷୋଭ କରିଛି ଶାସକ ଦଳ । ବିରୋଧୀ ବି ଚୁପ୍ ନବସି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରିଛନ୍ତି । ମମିତା ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଏହି ଆନ୍ଦୋଳନ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ।

ମମିତା ମେହେର ପ୍ରସଙ୍ଗରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ବିଜେପି ଆନ୍ଦୋଳନ ଜାରି ରଖିଥିବା ବେଳେ ଦରଦାମ୍ ବୃଦ୍ଧି ପ୍ରସଙ୍ଗରେ ଗତକାଲି ଠାରୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ରାଜଧାନୀ ରାସ୍ତାରେ ଜଳିଛି ଚୁଲି । ସାଇକେଲ୍ ଓ ଘୋଡ଼ାଗାଡ଼ି ସହ ବାହାରିଛି ଶୋଭାଯାତ୍ରା । ଟ୍ରଲିରେ ନେତା-କର୍ମୀ, ଶଗଡ଼ରେ ବି ସବାର ହୋଇଛନ୍ତି ନେତା । ତେଲ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ରାଜଭବନ ଆଗରେ ଏଭଳି ଢଙ୍ଗରେ ଆନ୍ଦୋଳନ କରିଛି ବିଜେଡି ପାଖାପାଖି ୩ ବର୍ଷ ପରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଦଳୀୟ ନେତା ।

ବିଭିନ୍ନ ନେତାଙ୍କ ନେତୃତ୍ୱରେ ରାଜଧାନୀର ଭିନ୍ନ ଭିନ୍ନ ରୁଟରେ ବାହାରିଥିବା ରାଲି ରାଜଭବନ ସାମ୍ନା ପହଞ୍ଚିବା ପରେ ହୋଇଥିଲା ସଭା ଯେଉଁଥିରେ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ ଦର ବୃଦ୍ଧିକୁ ନେଇ ଗର୍ଜିଥିଲେ ଦଳୀୟ ନେତା । ଆଜି ଠାରୁ ଏହାକୁ ଆହୁରି ବ୍ୟାପକ କରାଯାଇ, ସବୁ ନିର୍ବାଚନ ମଣ୍ଡଳୀରେ ଗ୍ୟାସ୍ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡିର ମହିଳା ସଂଗଠନ । ସେହିପରି ୬ ଓ ୭ ତାରିଖରେ ସବୁ ପେଟ୍ରୋଲ ପମ୍ପ ଘେରିବେ ବିଜେଡିର ଛାମୁଆ ସଙ୍ଗଠନ । ସେପଟେ ମମିତା ମେହେର ଘଟଣାରୁ ଲୋକଙ୍କ ନଜର ହଟାଇବାକୁ ବିଜେଡିର ଏହି ଆନ୍ଦୋଳନ ବୋଲି ବିଜେପି କହିଛି ।

ଏଣେ କିନ୍ତୁ ଥମିବାର ନାଁ ନେଉନାହିଁ ମମିତା ମେହେର ପ୍ରସଙ୍ଗ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ବିଜେପି । ଆଜି ଦିଲ୍ଲୀର ସର୍ଦ୍ଦାର ପଟେଲ୍ ଚୌକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦଳୀୟ ନେତା । ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦରେ ପୁରୀ ଓ ବ୍ରହ୍ମଗିରିର ବିଜେପି ବିଧାୟକ ମଧ୍ୟ ସାମିଲ ହୋଇଥିଲେ ।

ସେପଟେ କ୍ୟାପିଟାଲ୍ ଥାନା ଆଗରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପଦର୍ଶନ ସହ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ଦିଆଯାଇଛି । ଘଟଣାର ସିବିଆଇ ତଦନ୍ତ ଦାବି କରି ବାଲେଶ୍ୱର ନୀଳଗିରି ଥାନା ଘେରାଉ କରିଛନ୍ତି ଦଳୀୟ କର୍ମୀ ଭବାନୀପାଟଣାର ମାଆ ମାଣିକେଶ୍ୱର ମନ୍ଦିରରେ ଦୀପ ଦାନ କରି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛି ବିଜେପି ମହିଳା ମୋର୍ଚ୍ଚା । ବିଜେପି ଓ କଂଗ୍ରେସର ମମିତା ପ୍ରସଙ୍ଗ ବନାମ୍ ବିଜେଡିର ଦରଦାମ୍ ବୃଦ୍ଧି ଇସ୍ୟୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିକୁ ବେଶ୍ ସକ୍ରିୟ କରିଛି ।