• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀକନ୍ଦଳ ।

  • ପାଟକୁରାରେ ଅତନୁଙ୍କୁ ଦେବାଶିଷଙ୍କ ତେରେଛା ବାଣ ।

  • ପ୍ରତାପ ଜେନାଙ୍କ ବାଲିଗୁଡ଼ା ଗସ୍ତବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ।

ଭୁବନେଶ୍ୱର (ରିପୋର୍ଟ-ସଂଜୟ ଜେନା, ହରିହର ଚାନ୍ଦ): ପଞ୍ଚାୟତ ଭୋଟ୍ ପୂର୍ବରୁ ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀକନ୍ଦଳ । କନ୍ଧମାଳ ହେଉ କି କେନ୍ଦ୍ରାପଡ଼ା ଅବା ନୟାଗଡ଼ । ସବୁଠି ଦଳ ଭିତରୁ ଖୋଲୋଖୋଲି ଶୁଭିଲାଣି ବିରୋଧର ସ୍ୱର । ମମିତା ମେହେର ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଦଳ ଭିତରୁ ଭିନ୍ନ ମତ ଆସୁଛି । ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଂପାଦକୀୟକୁ ବି ଅନ୍ୟ ଏକ ଖବରକାଗଜ ଲେଖାରେ କାଉଣ୍ଟର କରାଯାଇଛି । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ମଧ୍ୟ ସୌମ୍ୟଙ୍କୁ ସମାଲୋଚନା କରିଛନ୍ତି ।

ବିଜେଡି ବନାମ୍ ବିଜେଡି । ପଂଚାୟତ ନିର୍ବାଚନ ପୂର୍ବରୁ ନେତାଙ୍କ ମଧ୍ୟରେ ଖୋଲାଖୋଲି ଦେଖାଦେଲାଣି ବିବାଦ । କନ୍ଧମାଳ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କଥା ଯଦି କହିବା ତେବେ ଗତ ୩୦ ତାରିଖରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସମ୍ମୁଖରେ ମୁହାଁମୁହିଁ ହୋଇଥିଲେ ବିଜେଡିର ଦୁଇ ଗୋଷ୍ଠୀ । ବାଲିଗୁଡ଼ା ବ୍ଲକ୍ ବିଜେଡି ଓ ନଗର ବିଜେଡି ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ସହ ହୋଇଥିଲା ଗଣ୍ଡଗୋଳ । ମନ୍ତ୍ରୀଙ୍କ ସ୍ୱାଗତକୁ ନେଇ ଉପୁଜିଥିଲା ଛକାପଞ୍ଝା ସ୍ଥିତି । ବାଧ୍ୟ ହୋଇ ପ୍ରତାପ କହିଥିଲେ ଦାଦାଗିରି ବନ୍ଦ ନ କଲେ ମୁଁ କାର୍ଯ୍ୟକ୍ରମକୁ ଯିବି ନାହିଁ । ପରେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ।

ସେପଟେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀର ୨୪ ନମ୍ବର ଜୋନ୍ ସ୍ତରୀୟ ବିଜେଡି କାର୍ଯ୍ୟକାରୀଣୀ ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରଓ୍ୱାଲ୍ ଓ ଦଳୀୟ କର୍ମୀମାନେ ଜଣେ ବିଧାୟକଙ୍କ ଉପରେ ବର୍ଷିଥିଲେ । ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଅଯଥାରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ମୁଣ୍ଡ ପୁରାଉଥିବା ପରୋକ୍ଷରେ କହିଥିଲେ । ଏ କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣା ଯିବ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ ।

ମମିତା ମେହେର ହତ୍ୟାକାଣ୍ଡ ହେଉ କି ଅନ୍ୟ ପ୍ରସଙ୍ଗ, ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ସଂପାଦକୀୟ ଲେଖାରେ ବିଜେଡି ସରକାରକୁ ଶାଣିତ ଆକ୍ରମଣ କରୁଛନ୍ତି । ସୋମବାର ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ଲେଖାରେ ପୁଣି ଥରେ ନିଶାନା କରିଥିଲେ । ସେପଟେ ଆଜି ଅନ୍ୟ ଏକ ଖବରକାଗଜରେ ମୁଖା ତଳର ମୁହଁ ଶୀର୍ଷକ ଲେଖାରେ ମାଟି, ପାର୍ଟି ମିଛ, ବ୍ୟକ୍ତିଗତ ସ୍ୱାର୍ଥ ଆଗ ଲେଖାରେ ସୌମ୍ୟଙ୍କୁ କାଉଣ୍ଟର ଆଟାକ୍ କରାଯାଇଛି । ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମଧ୍ୟ ଟୁଇଟ୍ ମାଧ୍ୟମରେ ସୌମ୍ୟଙ୍କୁ ଟାର୍ଗେଟ୍ କରିଛନ୍ତି । ଏ ସଂପର୍କରେ ସୌମ୍ୟଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରତିକ୍ରିୟା ରଖିବାକୁ ମନା କରିିଦେଇଛନ୍ତି ।

କେବଳ ଏହି ୨-୩ଟି ସ୍ଥାନ ନୁହେଁ, ଅନ୍ୟ ନିର୍ବାଚନ ମଣ୍ଡଳୀରେ ବି ଗୋଷ୍ଠୀ କନ୍ଦଳ ଲାଗି ରହିଛି । ତେବେ କାହିଁକି ? ପଂଚାୟତ ନିର୍ବାଚନ ଲାଗି ବିଭିନ୍ନ ଗୋଷ୍ଠୀରେ ଥିବା ଟିକଟ୍ ଆଶାୟୀ, ଅନ୍ୟଦଳରୁ ନେତାଙ୍କ ଆମଦାନୀ ଫଳରେ ଦଳ ପାଇଁ ବର୍ଷ ବର୍ଷ ଧରି କାମ କରୁଥିବା ନେତା ଓ କର୍ମୀଙ୍କ ଅସନ୍ତୋଷ ନା ଦଳରେ ଗୋଟିଏ ଗୋଷ୍ଠୀ କ୍ଷମତା ହାତରେ ରଖୁଥିବାରୁ ଏଭଳି ଅବସ୍ଥା । ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବିଜେଡି କିନ୍ତୁ ଅନ୍ତଃକନ୍ଦଳ ଅଭିଯୋଗକୁ ଖଣ୍ଡନ କରିଛି ।