• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଣ୍ଡୀଗଡ଼ : ପଞ୍ଜାବ ରାଜନୀତିରେ ଆରମ୍ଭ ହେବ ନୂଆ ଇଂନିସ୍ । ଧମାକା କରିବେ କ୍ୟାପଟେନ୍ । କଂଗ୍ରେସ ପାଇଁ ଅଡ଼ୁଆ ବଢ଼ିବ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଆଜି ବଡ଼ ଗୋଟିଚାଳନା କରିବାକୁ ଯାଉଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ ଏବଂ ନିଜର ନୂଆ ଦଳ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ବୁଧବାର ଦିନ ଅମରିନ୍ଦର ସିଂ ଏକ ସାମ୍ବାଦିକ ସମ୍ମିଳନୀ ଡାକିବେ ବୋଲି ଘୋଷଣା କରିବା ପରେ ନୂଆ ଦଳ ଘୋଷଣା ହେବା ନେଇ କଳ୍ପନା ଜଳ୍ପନା ହେଉଛି । ଗତ ସପ୍ତାହରେ ଅମରିନ୍ଦର ସିଂ କହିଥିଲେ ସେ ଖୁବ୍ ଶୀଘ୍ର ତାଙ୍କର ନୂତନ ଦଳ ଗଠନ କରିବେ । ତିନିଟି କୃଷି ଆଇନ ଉପରେ କୃଷକଙ୍କ ସ୍ୱାର୍ଥରେ ସମାଧାନ ହେଲେ ୨୦୨୨ ମସିହାରେ ବିଜେପି ସହିତ ଆସନ ବାଣ୍ଟିବା ଚୁକ୍ତିରେ ସହମତ ବୋଲି ପ୍ରକାଶ କରିଥିଲେ ।

ପଞ୍ଜାବ ବିଧାନସଭା ନିର୍ବାଚନ କିଛି ମାସ ଥିବା ବେଳେ ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ସମାନ ବିଚାରଧାରାର ଦଳ ସହ ଏକ ମେଣ୍ଟ କରିବାକୁ ମଧ୍ୟ ଚିନ୍ତା କରୁଥବା କହିଛନ୍ତି ଅମରିନ୍ଦର ସିଂ । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା କ୍ୟାପଟେନ୍ ନିଜ ଲୋକ ଏବଂ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି ।

ଅନ୍ୟପଟେ ଅମରିନ୍ଦର ସିଂ ନୂତନ ରାଜନୈତିକ ଦଳ ଗଠନ କରିବା ନିଜ ଗୋଡ଼ରେ କୁରାଢ଼ି ମାରିବା ସହ ସମାନ ବୋଲି କହିଛନ୍ତି ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା । ନୂଆ ଦଳ ଗଠନ କଲେ କ୍ୟାପଟେନ୍‌ଙ୍କ ନାଁରେ ଏକ ଦାଗ ରହିଯିବ । କଂଗ୍ରେସ ତାଙ୍କୁ ସମ୍ମାନ ଦେଇଛି ଏବଂ ସେ ଦଳରେ ଅନେକ ପଦବୀରେ କାମ କରି ଏପରି କରିବା ଠିକ୍ ହେବନି ବୋଲି ସେ କହିଛନ୍ତି ।

ସେହିପରି ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ ମଧ୍ୟ କ୍ୟାପଟେନ୍‌ଙ୍କ ନୂତନ ଦଳ ଗଠନ ପ୍ରସଙ୍ଗରେ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରିଛନ୍ତି । ଗତ ସାଢ଼େ ଚାରି ବର୍ଷ ମଧ୍ୟରେ ତାଙ୍କ ଫାର୍ମହାଉସରୁ ବାହାରି ନାହାଁନ୍ତି ଏବଂ ବର୍ତ୍ତମାନ ଏକ ନୂତନ ରାଜନୈ ତିକ ଦଳ ଆରମ୍ଭ କରିବାକୁ ଚିନ୍ତା କରିବା ହାସ୍ୟାସ୍ପଦ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୧୮ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂହ । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ ।