• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଡମ୍ପିଂ ୟାର୍ଡରେ କ୍ୟାଟ୍‌ ୱାକ୍‌ କଲେ ଝାଡ଼ଖଣ୍ଡ ସୁନ୍ଦରୀ ।

  • ଭାଇରାଲ ହେଲା ଭିଡିଓ । ଉଦେଶ୍ୟ ଥିଲା ନିଆରା ।

  • ଯାହାକୁ ଦେଖି ପୁରା ଝାଡ଼ଖଣ୍ଡବାସୀ ତାଜବ ।

ରାଞ୍ଚି: ଡମ୍ପିଂ ୟାର୍ଡରେ କ୍ୟାଟ୍‌ୱାକ୍‌ କଲେ ଝାଡ଼ଖଣ୍ଡ ସୁନ୍ଦରୀ । ଭାଇରାଲ ହେଲା ଭିଡିଓ । ଉଦେଶ୍ୟ ଥିଲା ନିଆରା । ଦୁର୍ଗନ୍ଧମୟ ଡମ୍ପିଂ ୟାର୍ଡରେ ପଶି ଅଳିଆ ଗଦା ଉପରେ ଚଢ଼ିଲେ ଆଉ ସେଠାରେ କଲେ ରାମ୍ପ ଶୋ’। ଯାହାକୁ ଦେଖି ପୁରା ଝାଡ଼ଖଣ୍ଡବାସୀ ତାଜୁବ । ସୁନ୍ଦରୀଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଲା । ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଏମିତି ଅଭିନବ ଉପାୟ ଆପଣାଇଛନ୍ତି ଝାଡ଼ଖଣ୍ତ ସୁନ୍ଦରୀ ମଡେଲ ସୁରଭି ।

ରାଜଧାନୀ ରାଞ୍ଚିର ସବୁ ଅଳିଆ ଆବର୍ଜନା ଝିରି ଅଞ୍ଚଳରେ ଥିବା ଏକ ଡମ୍ପିଂୟାର୍ଡରେ ଗଦା କରାଯାଏ । ଯାହାଫଳରେ ସେଠାରେ ଏବେ ଅଳିଆ ଆବର୍ଜନାର ପାହାଡ଼ ଛିଡ଼ା ହୋଇ ସାରିଲାଣି । ରାଞ୍ଚିର ରିଙ୍ଗ ରୋଡ୍‌ ଦେଇ ଝିରିକୁ ଯିବାକୁ ହେଲେ ସେହି ରାସ୍ତା ଦେଇ ଯିବାକୁ ପଡ଼ିଥାଏ । ଆଉ ଏହି ରାସ୍ତା ଅତିକ୍ରମ କରିବା ବେଳେ ଭୀଷଣ ଦୁର୍ଗନ୍ଧର ସମ୍ନା କରିବାକୁ ପଡ଼ିଥାଏ । ଆଉ ଏଥିରୁ ବଞ୍ଚିବା ପାଇଁ କାର ବାଲା ତ କାଚ ଉପରକୁ କରନ୍ତି ହେଲେ ବାଇକ୍ ବାଲା ନାକେଦମ ହୁଅନ୍ତି । ଏହି ଡମ୍ପିଂୟାର୍ଡ ପାଖରେ ଥିବା ଏକ ଗାଁର ଲୋକମାନେ ଭୀଷଣ ଦୁର୍ଗନ୍ଧରେ ରହିବା ସହ ନାନା ରୋଗରେ ପଡ଼ୁଛନ୍ତି । ଆଉ ଏନେଇ ସେମାନେ ବାରମ୍ବାର ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରୁଛନ୍ତି । ହେଲେ କିଛି ଫରକ ପଡ଼ୁନି । ଗ୍ରାମବାସୀ ଯେତେ ନେହୁରା ହେଲେ ବି ଫଳ ଶୂନ ।

ହେଲେ ଗତ ସୋମବାର ହଠାତ୍‌ ଦେଖିବାକୁ ମିଳିଲା, ଆଳିଆ ଗଦାରେ ଚାଲିଛି ଫ୍ୟାଶନ୍‌ ଶୋ’ । ଆଉ ସେଥିରେ ରାମ୍ପୱାକ୍‌ କରୁଛନ୍ତି ଝାଡ଼ଖଣ୍ଡ ସୁନ୍ଦରୀ । ମିସ୍ ଝାଡଖଣ୍ଡ ସୁରଭି ହଠାତ୍ ସେହି ଅଳିଆ ଗଦା ଉପରେ କାହିଁକି କ୍ୟାଟ୍‌ୱାକ୍‌ କଲେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ରାଞ୍ଚିର ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ । ଆଖପାଖ ଲୋକମାନେ ଏହାକୁ ନିଜ ମୋବାଇଲ କ୍ୟାମେରାରେ କଏଦ୍ କରି ନେଇଥିଲେ, ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ ଝାଡ଼ଖଣ୍ଡ ସୁନ୍ଦରୀଙ୍କ ଏହି ରାମ୍ପୱାକ୍‌କୁ ଡ୍ରୋନ କ୍ୟାମେରା ମାଧ୍ୟମରେ ସୁଟ୍‌ କରିଥିଲେ କ୍ୟାମେରା ପର୍ସନ ପ୍ରାଞ୍ଜଳ ।

ତେବେ ସୁନ୍ଦରୀ ସୁରଭୀଙ୍କ କହିବା ଅନୁଯାୟୀ, ଏହି ଡମ୍ପିଂୟାର୍ଡ ଦ୍ୱାରା ଗ୍ରାମବାସୀଙ୍କ ସମେତ ରାସ୍ତାରେ ଯାଉଥିବା ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକେ ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି । ପ୍ରଶାସନ ନିକଟରେ ଯେତେ ଅଭିଯୋଗ କଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି । ତେଣୁ ସେ ଏହି ଅଳିଆ ଗଦାରେ ରାମ୍ପୱାକ୍‌ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ଯେତେ ଦୁର୍ଗନ୍ଧ ହେଉଥିଲେ ସୁଦ୍ଧା ଅଳିଆ ଗଦା ଉପରେ କ୍ୟାଟ୍‌ୱାକ୍‌ କରିଥିଲେ ସୁରଭୀ । ପ୍ରାୟ ଅଧ ଘଣ୍ଟା ଧରି ସୁରଭି ସେଠାରେ କ୍ୟାଟୱାକ କରିଥିଲେ, ଯାହାକୁ ଡ୍ରୋନ କ୍ୟାମେରା ମାଧ୍ୟମରେ ରେକର୍ଡିଂ କରାଯାଇଛି ।

ସୁରଭି କହିଛନ୍ତି, ଯେତେବେଳେ ସେ ରିଙ୍ଗରୋଡ ଦେଇ ଯାଉଥିଲେ ସବୁବେଳେ ମନରେ ଚିନ୍ତା ଆସୁଥିଲା ଏହି ସମସ୍ୟାଟିକୁ ନେଇ ନଗର ନିଗମ ନିକଟରେ ପହଞ୍ଚିବେ । ତେବେ ତାଙ୍କର ଏପରି ନିଆରା ପ୍ରୟାସ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ସେ ଆଶା କରିଛନ୍ତି । ଫଳରେ ରାଞ୍ଚିର ଲୋକମାନେ ଏହି ସମସ୍ୟାରୁ ମୁକୁଳି ପାରିବେ । ଏହା ଏକ ବଡ ସମସ୍ୟା ପାଲଟି ଗଲାଣି, ଯାହାର ତୁରନ୍ତ ସମାଧାନ କରିବା ଆବଶ୍ୟକ ବୋଲି ପ୍ରଶାସନର ହୃଦୟଙ୍ଗମ କରିବାକୁ କ୍ୟାଟୱାକ ସମୟରେ ସୁରଭି ନାଲି ଡ୍ରେସ ପିନ୍ଧିଥିଲେ । ସୁରଭିଙ୍କ ଏପରି ପଦକ୍ଷେପ ପାଇଁ ବିଭିନ୍ନ ଅଞ୍ଚଳରୁ ପ୍ରଶଂସାର ଶୁଅ ଛୁଟୁଛି ।