• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଲଖିମପୁରରେ ଥମୁନି ଚାଷୀ ମୃତ୍ୟୁ ଝଡ଼ ।

  • ଶାନ୍ତିଭଙ୍ଗ ଅଭିଯୋଗରେ ପ୍ରିୟଙ୍କା ଗାନ୍ଧୀ ଗିରଫ ।

  • ଘଟଣାସ୍ଥଳକୁ ଯିବାକୁ ମୋଦିଙ୍କୁ ଆହ୍ୱାନ କଲା କଂଗ୍ରେସ ।

ଉତ୍ତର ପ୍ରଦେଶ ଲଖିମ୍‌ପୁର ଚାଷୀ ବିରୋଧୀ ହିଂସାକୁ ନେଇ ଝଡ଼ । ଚାଷୀଙ୍କ ଉପରେ ଏକ ଜିପ୍‌କୁ ମଡାଇ ଦିଆଯାଉଥିବା ଭିଡିଓ ଭାଇରାଲ୍ ହେବା ପରେ ତେଜିଛି ରାଜନୀତି । ବିଜେପି ସାଂସଦ ବରୁଣ ଗାନ୍ଧି ଏହି ଭିଡିଓ ଟୁଇଟ୍ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ସରକାରଙ୍କୁ ଟାର୍ଗେଟ କରିବା ଲାଗି ବିରୋଧୀଙ୍କୁ ମିଳିଯାଇଛି ଅସ୍ତ୍ର । ତେବେ ଘଟଣାସ୍ଥଳକୁ ଗଲା ବେଳେ ଗତକାଲି ସୀତାପୁରରେ ଅଟକ ଥିବା ପ୍ରୟଙ୍କା ଗାନ୍ଧିଙ୍କୁ ଶାନ୍ତି ଭଙ୍ଗ ଅଭିଯୋଗରେ ଗିରଫ କରାଯାଇଛି ।

ଆନ୍ଦୋଳନରତ ଚାଷୀଙ୍କ ଉପରେ ଜିପ୍ ମାଡ଼ିବା ଭଳି ଛାତିଥରା ଭିଡିଓ ଉତ୍ତରପ୍ରଦେଶ ଲଖିମପୁରର କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଏହା ଭାଇରାଲ ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ମହାଯୁଦ୍ଧ । ଲଖିମପୁରରେ କୃଷକ ବିରୋଧୀ ହିଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତି କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ । ପ୍ରଧାନମନ୍ତ୍ରୀ ଲକ୍ଷ୍ନୌ ଆସିପାରୁଛନ୍ତି, ଲଖିମପୁର ଯାଇ ଘଟଣାର କାହିଁକି ଅନୁଧ୍ୟାନ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଗତକାଲି ଲଖିମପୁର ଯିବା ବାଟରେ ସୀତାପୁରରେଠାରେ ପ୍ରିୟଙ୍କାକୁ ଅଟକ ରଖିଥିଲା ୟୁପି ପୋଲିସ । ତେବେ ଶାନ୍ତି ଭଙ୍ଗ ଅଭିଯୋଗରେ ତାଙ୍କୁ ଆଜି ଗିରଫ କରାଯିବା ସହ ୧୧ ଜଣଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରାଯାଇଛି । ପ୍ରତିବାଦରେ କଂଗ୍ରେସ କର୍ମୀମାନେ ସୀତାପୁରରେ ବିକ୍ଷୋଭ କରିଥିଲେ ।

ତେଣେ ବିଜେପି ସତ ପଦାକୁ ଆଣିବ ନାହିଁ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଯୋଗୀ ସରକାରକୁ କ୍ଷମତାଚ୍ୟୁତ କରିବା ଲାଗି ସେ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ହିଁ ଆନ୍ଦୋଳନକାରୀଙ୍କ ଉପରେ ଜିପ୍ ଚଢ଼ାଇ ଦେଇଥିବା ଚାଷୀ ସଂଗଠନ ତରଫରୁ ଅଭିଯୋଗ କରାଯାଇଛି । ତେବେ ତାଙ୍କ ନାଁରେ ଆସିଥିବା ଏଭଳି ଅଭିଯୋଗକୁ ସିଧା ସିଧା ଖଣ୍ଡନ କରିଛନ୍ତି ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ହିଂସାକାଣ୍ଡ ସ୍ଥାନରେ ସେ ଆଦୌ ଉପସ୍ଥିତ ନଥିଲେ ବୋଲି କହିଛନ୍ତି ଆଶିଷ ।

ଦୁଇ ହଜାରରୁ ଅଧିକ ଲୋକ ଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଘଟଣାର ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି । ସେହିପରି ବାପା ଅଜୟ ମିଶ୍ରା ବି ପୁଅ ଆଶିଷକୁ ସଂପୂର୍ଣ୍ଣ ସମର୍ଥନ କରିଛନ୍ତି । ଆଶିଷଙ୍କ ନାଁରେ ଆସିଥିବା ଅଭିଯୋଗ ପ୍ରମାଣିତ ହେଲେ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଦେବେ ବୋଲି କହିଛନ୍ତି ।

ଏପଟେ ଲକ୍ଷ୍ମୀପୁର ଯିବା ଲାଗି ଲକ୍ଷ୍ନୌରେ ପହଞ୍ଚିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲକୁ ବିମାନବନ୍ଦର ବାହାରକୁ ଯିବାକୁ ଅନୁମତି ଦିଆଯାଇନଥିଲା । ଏହାର ପ୍ରତିବାଦରେ ବଘେଲ ଏୟାରପୋର୍ଟ ଭିତରେ ଧାରଣା ଦେଇଥିଲେ । ଅନ୍ୟପକ୍ଷରେ ଲଖିମ୍‌ପୁର ଘଟଣାକୁ ନେଇ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଆରଜେଡି ଓ ଆପ୍, ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଲଖିମପୁର ହିସାକାଣ୍ଡର ତଦନ୍ତ ଲାଗି ଦାବି କରିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ୍ ପାଓ୍ୱାର ।