• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜୀବନ ଜାକର ଜମାପୁଞ୍ଜି କାଟି  ଟୁକୁଡ଼ା ଟୁକୁଡ଼ା କରିଦେଲା ମୂଷା

  • ଟ୍ୟୁମର ଅପରେସନ୍ ପାଇଁ ୨ ଲକ୍ଷ ଟଙ୍କା ରଖିଥିଲେ ରେଡ୍ଡି ନାଇକ

ଇନ୍ଦିରାନଗର : ଶହେ କି ଦୁଇ ଶହ ନୁହେଁ, ଜୀବନ ଜାକର ଜମାପୁଞ୍ଜି ନଷ୍ଟ କରିଦେଲେ ମୂଷା । ତୁଣ୍ଡ ଝାଳ ମୁଣ୍ଡରେ ମାରି ପେଟ ଅପରେସନ୍ ଲାଗି ଜମା କରିଥିବା ଦୁଇ ଲକ୍ଷ ଟଙ୍କା କାଟିଦେଲା । ଜଣେ ସାମାନ୍ୟ ଚାଷୀ ପାଇଁ ଏତେ ଟଙ୍କା ଜମା କରିବା କେତେ କଷ୍ଟକର ସମସ୍ତେ ଜାଣନ୍ତି । ମାସ ମାସ ଧରି କଠିନ ପରିଶ୍ରମ କରିବା ପରେ ଫସଲ ଅମଳ ହୁଏ, ଆଉ ଏହାରି ଭିତରେ ଅନାବୃଷ୍ଟି ଅଭାବି ବିକ୍ରି ଦେଇ ଚାଷୀଙ୍କୁ ଗତି କରିବାକୁ ପଡ଼େ । ଆଉ ଏସବୁ ବାଧାବିଘ୍ନକୁ ଆଡ଼େଇ ଚାଷୀ ରଖିଥିବା ଟଙ୍କା ଏପରି ଅକାରଣରେ ଚାଲିଗଲା । ଫଳରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଏପରି ଖବର କାହାକୁ ବି ବିଚଳିତ କରିବ ।

ତେଲେଙ୍ଗାନାର ଇନ୍ଦିରାନଗର ବେମନୁର ଗାଁର ରେଡ୍ଡି ନାଇକ । ପରିବା ଚାଷ କରି କଷ୍ଟେମଷ୍ଟେ ପରିବାର ଚଳାନ୍ତି । ଅମଳ ପରିବାକୁ ପ୍ରତିଦିନ ପାଖ ଗାଁକୁ ଯାଇ ବିକ୍ରି କରିଥାଅନ୍ତି । ହେଲେ ଘରର ରୋଜଗାରିଆ ମଣିଷର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡ଼ିଗଲା । ପେଟରେ ଲଗାତାର ଯନ୍ତ୍ରଣା ହେବାରୁ ଏକ ଘରୋଇ ଡାକ୍ତରଖାନାକୁ ସେ ଯାଇ ପରୀକ୍ଷା କରାଇଥିଲେ । ଟେଷ୍ଟ ପରେ ପେଟରେ ଟ୍ୟୁମର ଥିବା ଜାଣିବାକୁ ପାଇଥିଲେ ରେଡ୍ଡି । ତେବେ ଏଥିପାଇଁ ଶୀଘ୍ର ଅସ୍ତ୍ରୋପଚାର କରିବାକୁ ପଡିବ ଏବଂ ଅପରେସନ୍ ପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ ।

ଏକଥା ଶୁଣି ରେଡ୍ଡି ନାଇକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ପରିବାର ଖର୍ଚ୍ଚ ଯାଇ ଅଳ୍ପ କିଛି ଟଙ୍କା ତାଙ୍କ ପାଖରେ ଥିଲା । ଏତେ ଟଙ୍କା ପାଖରେ ନଥିବାରୁ ଧୀରେ ଧୀରେ ଟ୍ୟୁମର ଅପରେସନ୍ ପାଇଁ ଟଙ୍କା ସଂଚୟ କରିବା ଆରମ୍ଭ କରିଥିଲେ । ଗୋଟିଏ ପଟେ ଯନ୍ତ୍ରଣା ବଢ଼ୁଥିବା ବେଳେ ଅନ୍ୟପଟେ ସେ କଠିନ ପରିଶ୍ରମ କରିଚାଲିଥିଲେ । ଆଉ ବର୍ଷ ବର୍ଷର କଠିନ ପରିଶ୍ରମ କରି ସଂଚୟ କରିଥିବା ଜମାପୁଞ୍ଜିକୁ ଏକ ବ୍ୟାଗରେ ଭର୍ତ୍ତି କରି ଆଲମିରାରେ ରଖିଥିଲେ ।

ନିକଟରେ ଯେତେବେଳେ ସେ ବ୍ୟାଗ ଖୋଲିଥିଲେ, ସେତେବେଳେ ଆଉ ନୋଟ୍ ବିଡ଼ା ନଥିଲା । ବ୍ୟାଗରେ ଭରି ଯାଇଥିଲା ଖଣ୍ଡ ଖଣ୍ଡ ଟୁକଡ଼ା ନୋଟ୍ । ସବୁ ଜମାପୁଞ୍ଜିକୁ କାଟି ସାରିଥିଲା ମୂଷା । ଏହା ଦେଖି ମୁଣ୍ଡରେ ହାତଦେଇ ବସିଥିଲେ ରେଡ଼ୟା । ବ୍ୟାଗ ଭିତରେ ଟୁକୁଡ଼ା ନୋଟକୁ ଦେଖି ତାଙ୍କ ଆଖିରୁ ଧାର ଧାର ଲୁହ ଝରି ପଡ଼ିଲା । ହେଲେ ସେତେବେଳକୁ ସବୁକିଛି ଶେଷ ହୋଇସାରିଥିଲା ।

ବ୍ୟାଙ୍କରେ ତାଙ୍କୁ ଟଙ୍କା ବଦଳାଇବାକୁ ପରାମର୍ଶ ଦେଇଥିଲେ ସ୍ଥାନୀୟ ଲୋକେ । ଏହା ଉପରେ ବୃଦ୍ଧ ଜଣକ ମଧ୍ୟ ବ୍ୟାଙ୍କକୁ ଯାଇଥିଲେ କିନ୍ତୁ ସେଠାରେ ଟଙ୍କା ବଦଳାଇବାକୁ ମନା କରିଦେଇଥିଲେ ଅଧିକାରୀ । ପରେ ତାଙ୍କୁ ହାଇଦ୍ରାବାଦର ରିଜର୍ଭ ବ୍ୟାଙ୍କକୁ ଯିବାକୁ ପରାମର୍ଶ ଦେଇଥିଲେ । ବୃଦ୍ଧ ଜଣକ କହିଛନ୍ତି କେବଳ ଗୋଟିଏ ବ୍ୟାଙ୍କ ନୁହେଁ, ଟଙ୍କା ବଦଳାଇବାକୁ ଏ ବ୍ୟାଙ୍କରୁ ସେ ବ୍ୟାଙ୍କକୁ ଦଉଡ଼ି ଦଉଡ଼ି ଚପଲ ଛିଡ଼ି ଗଲାଣି । କିନ୍ତୁ କେହି ଟଙ୍କା ନେବାକୁ ରାଜି ନୁହଁନ୍ତି ।

ତେବେ ଏହି ଖବର ଭାଇରାଲ ହେବା ପରେ ତେଲେଙ୍ଗାନାର ଆଦିବାସୀ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସତ୍ୟବତୀ ରାଠୋର ରେଡ୍ଡି ନାଇକକଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ ଯେଉଁ ଡାକ୍ତରଖାନାରେ ତାଙ୍କର ଅସ୍ତ୍ରୋପଚାର କରିବେ, ସମସ୍ତ ଖର୍ଚ୍ଚ ବହନ କରିବେ ମନ୍ତ୍ରୀ ବୋଲି ଆଶ୍ୱାସନା ଦେଇଛନ୍ତି ।