• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଖୁସି ଖବର । ଲୋକାର୍ପିତ ହୋଇଛି ସ୍ୱତନ୍ତ୍ର ଗୁଣବିଶିଷ୍ଟ ୩୫ ଫସଲର କିସମ । ଏହି କିସମ ଗୁଡିକରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦେଖାଦେଉଥିବା ପ୍ରଭାବକୁ ରୋକି ପାରୁଥିବା କ୍ଷମତା ସହ ଉଚ୍ଚ ପୋଷକ ତତ୍ତ୍ୱ ରହିଛି । ଏହାକୁ ଭାରତୀୟ କୃଷି ଗବେଷଣା ପରିଷଦ-ICARର ବିଜ୍ଞାନୀମାନେ ୨୦୨୧ରେ ହିଁ ବିକଶିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୩୫ ଫସଲର କିସମକୁ ଆଜି ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ଫସଲ ମଧ୍ୟରେ ମୁଖ୍ୟତଃ ସୋୟାବିନର ଶୀଘ୍ର ପରିପକ୍ୱ କିସମ, ଚାଉଳର ରୋଗ ପ୍ରତିରୋଧକ କିସମ, ଗହମର ଉନ୍ନତ କିସମ, ମକା ଓ ଚଣା ଆଦି ସାମିଲ ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଛତିଶଗଡର ରାଜଧାନୀ ରାୟପୁରରେ ନ୍ୟାସନାଲ୍ ଇନଷ୍ଟିଟ୍ୟୁଟ୍ ଅଫ୍ ବାୟୋଟିକ୍ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟର ଲୋକାର୍ପଣ କରିବା ସହ ବିଭିନ୍ନ କୃଷି ବିଶ୍ୱବିଦ୍ୟାଳୟକୁ ଗ୍ରୀନ୍ କ୍ୟାମ୍ପସ୍ ପୁରସ୍କାର ମଧ୍ୟ ପ୍ରଦାନ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଅଭିନବ ଉପାୟରେ ଚାଷ କରୁଥିବା ଦେଶର ବିଭିନ୍ନ ରାଜ୍ୟର ଚାଷୀମାନଙ୍କ ସହ ମଧ୍ୟ କଥା ହୋଇଛନ୍ତି । ପରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ଏକବିଂଶ ଶତାବ୍ଦୀର ଭାରତ ପାଇଁ କୃଷି ଏବଂ ବିଜ୍ଞାନର ସମନ୍ୱୟ ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କୃଷି କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଲାଗି ଗତ ୬ରୁ ୭ ବର୍ଷ ମଧ୍ୟରେ ବିଜ୍ଞାନ ଓ ଟେକ୍ନୋଲୋଜିକୁ ପ୍ରାଥମିକତା ଆଧାରରେ ବ୍ୟବହାର କରାଯାଉଛି । ଆଉ ଆଜି ଏହା ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି ।

୩୫ ଟି ନୂତନ ଫସଲ କିସମ ଆଧୁନିକ ଚିନ୍ତାଧାରାରେ ଚାଷ କରୁଥିବା କୃଷକମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଛି ଏବଂ ଏହି ପଦକ୍ଷେପ ସହିତ ସେମାନଙ୍କର ଆୟ ନିଶ୍ଚିତ ଭାବରେ ବୃଦ୍ଧି ପାଇବ । ବିଶେଷ କରି ଏଭଳି ବିହନ ଉପରେ ଆମର ଅଧିକ ଫୋକସ୍ ରହିଛି, ଯେଉଁଥିରେ କି ଅଧିକ ପୋଷକ ତତ୍ତ୍ୱ ଥିବ ଏବଂ ବଦଳୁଥିବା ପାଣିପାଗରେ ନୂଆ ପରିବେଶ ସହ ଖାପ ଖୁଆଇ ପାରୁଥିବ ।