• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । କିନ୍ତୁ ପ୍ରଥମ ଦିନରେ ଗୃହରେ ଆଲୋଚନା ପୂର୍ବରୁ ହଟ୍ଟଗୋଳ ହୋଇଛି । ବିରୋଧୀ ମାନେ ହଟ୍ଟଗୋଳ କରିବାକୁ ଗୃହକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ ପରିଚୟ ପ୍ରଦାନ କରିବାବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ ।

ଏହାପରେ ଗୃହରେ ହଟ୍ଟଗୋଳ ଜାରି ରହିଥିଲା ବାଚସ୍ପତି ଓମ ବିର୍ଲା ଗୃହର ଗରିମାକୁ ନଜର ରଖି ପ୍ରଧାନମନ୍ତ୍ରୀଙ୍କୁ କହିବାକୁ ସୁଯୋଗ ଦେବାକୁ ଅପିଲ କରିଥିଲେ । କରୋନାର ଦ୍ୱିତୀୟ ଲହର ଆସିବା ପରେ ପ୍ରଥମ ଥର ପାଇଁ ବସିଛି ସଂସଦ ଅଧିବେଶନ ୧୯ଟି କାର୍ଯ୍ୟଦିବସ ଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବ ।

ସେପଟେ ରାଜ୍ୟ ସଭାରେ ଦିବଂଗତ ସାଂସଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆାଯାଇଥିଲା । ସଂସଦରେ ଦିଆଯାଇଥିବା ୫୬ ଶ୍ରଦ୍ଧାଞ୍ଜଳି ମଧ୍ୟରୁ ୪୦ଟି ଲୋକସଭା ସଦସ୍ୟଙ୍କ ପାଇଁ ଥିଲା । ଏଥି ସହିତ ୧୬ ଜଣ ପୂର୍ବତନ ରାଜ୍ୟସଭା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର, ଅଲିମ୍ପିଆନ୍ ମିଲଖା ସିଂ, ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ମଧ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ରଘୁନାଥ ମହାପାତ୍ର କୌଣସି ଯନ୍ତ୍ରାଂଶର ସାହାଯ୍ୟ ନ ନେଇ ଅନେକ କାଳଜୟୀ କୃତି ସୃଷ୍ଟି କରିଥିଲେ ବୋଲି ଅଧିବେଶନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ।

ସୂଚନାଯୋଗ୍ୟ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତଙ୍କ ସହଯୋଗ ଲୋଡିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୋଦି କହିଥିଲେ, ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ । ବିରୋଧୀ, ସରକାରଙ୍କୁ କଠିନରୁ କଠିନ ପ୍ରଶ୍ନ ପଚାରନ୍ତୁ । ହେଲେ ସରକାର ଯେଭଳି ଏହାର ଉତ୍ତର ରଖିପାରିବେ ସେଭଳି ପରିବେଶ ସୃଷ୍ଟି କରନ୍ତୁ ।