• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେରଳରେ ପ୍ରବଳ ବର୍ଷା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ସହ କୋଟାୟମ ଏବଂ ଇଡୁକି ଜିଲ୍ଲାର ୪ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ଯୋଗୁଁ କୋଟ୍ଟାୟମର କୁଟିକଲରେ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଥିବା ସୂଚନା ମିଳିଛି ।

ଘରେ ଥିବାବେଳେ ପାହାଡ଼ରୁ ବର୍ଷା ପାଣି ଓ ଆବର୍ଜନା ମାଡ଼ି ଆସିବାରୁ ଘର ପୋତି ହୋଇଯାଇଥିଲା । ଏଥିରେ ଥିବା ମାଆ, ସ୍ୱାମୀ, ସ୍ତ୍ରୀ ଓ ୪ ଛୁଆ ପ୍ରାଣ ହରାଇଛନ୍ତି । ଆଉ ୩ଟି ଘର ଭାସିଯାଇଛି । ତେବେ ଉଦ୍ଧାର କାର୍ଯ୍ୟ ଲାଗି ରାଜ୍ୟ ସରକାର ଏନ୍‌ଡିଆର୍‌ଏଫ୍, ସ୍ଥଳସେନା ଓ ବାୟୁସେନାର ସାହାଯ୍ୟ ଲୋଡ଼ିଛନ୍ତି । ଏମ୍-୧୭ ଏବଂ ସାରଙ୍ଗ ହେଲିକପ୍ଟରକୁ ପ୍ରସ୍ତୁତ କରି ରଖାଯାଇଛି ।

ସେହିପରି ସୁଲୁରରେ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇରହିଛି । ସ୍ଥଳସେନାର ଗୋଟିଏ ପ୍ଲାଟୁନ୍‌ ଯବାନ କୋଟ୍ଟାୟମରେ ମଧ୍ୟ ଉଦ୍ଧାର କାର୍ଯ୍ୟ କରିବାକୁ ତୟାର ହୋଇଛନ୍ତି । ସେପଟେ କୋଚି ନାଭାଲ୍ ବେସ୍‌ରେ ନୌସେନା ଯବାନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ଲାଗି ମହଜୁଦ ଅଛନ୍ତି । ବର୍ଷା ବିତ୍ପାତରେ ଅନେକ ଲୋକ ଆହତ ହୋଇଛନ୍ତି । ଦୁଇ ଦିନ ଧରି ବର୍ଷା ଯୋଗୁଁ କେରଳର ପ୍ରାୟ ସମସ୍ତ ଡ୍ୟାମ ପୁରିବା ସ୍ଥିତିରେ ରହିଛି । ଡ୍ୟାମ୍‌ରେ ଜଳ ପତ୍ତନ ନିୟନ୍ତ୍ରଣରେ ରଖିବା ପାଇଁ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ଆହୁରି ସଂଗୀନ ହେବ ବୋଲି ଅନୁମାନ କରାଯାଉଛି ।

ସେପଟେ ମୁଖ୍ୟମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରିବା ସହ ସ୍ଥିତି ଉଦବେଗଜନକ ଥିବା କହିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ବି.ଏନ. ବାସବନକନ ଭୂସ୍ଖଳନ ସ୍ଥଳକୁ ଯାଇ ବୁଲି ଦେଖିଛନ୍ତି । ଏହାସହ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ଅନ୍ୟପଟେ ରାଜ୍ୟରେ ଆଜି ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପଥନମଥିତା, କୋଟ୍ଟାୟମ, ଏର୍ଣ୍ଣାକୁଲମ, ଇଡୁକି, ଥ୍ରୀସୁର ଓ ପଲ୍ଲକଡ୍ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । କୋଟ୍ଟାୟମରେ ରାଜ୍ୟ ପରିବହନ ନିଗମର ଗୋଟିଏ ବସ୍ ବୁଡ଼ି ଯାଇଥିବା ଦେଖିବାକୁ ମିଳିଥିଲା । ବର୍ଷା ହେବାକୁ ଥିବାରୁ ସାବରିମାଲା ମନ୍ଦିର ଏବେ ନ ଖୋଲିବାକୁ ସ୍ଥିର ହୋଇଛି । ସେହିପରି ସ୍କୁଲ କଲେଜ ମଧ୍ୟ ବନ୍ଦ କରି ଦିଆଯାଇଛି ।