• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: ସାରା ଦେଶରେ ଏବେ ବି କରୋନା ଭୟ ସମସ୍ତଙ୍କୁ ଘାରିଛି । କରୋନା ମୁକାବିଲା ପାଇଁ ସବୁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଏମିତିକି ବିଶେଷଜ୍ଞଙ୍କ କହିବାନୁଯାୟୀ, ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ରାଜ୍ୟ ସରକାର ମାନେ ମଧ୍ୟ ମୁକାବିଲା କରିବାକୁ ପ୍ରସ୍ତୁତ ରହିଛନ୍ତି । ତେବେ ଏହାରି ଭିତରେ ମହାରାଷ୍ଟ୍ର ମୁମ୍ବାଇରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ବିଭିନ୍ନ କଟକଣା କୋହଳ କରିଛନ୍ତି । ସବୁଠାରୁ ବଡ଼ କଥା ଦୀର୍ଘ ଦିନ ଧରି ଲୋକମାନେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଖୂବ୍‌ଶୀଘ୍ର ମୁମ୍ବାଇର ଲୋକାଲ ଟ୍ରେନ ଚାଲୁ ହେବାକୁ ଯାଉଛି ।

ମୁମ୍ବାଇରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । ଏହାରି ଭିତରେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଧାରଣ ଜନତାଙ୍କ ପାଇଁ ଲୋକାଲ ଟ୍ରେନ୍ ଚାଲୁ କରିବାକୁ ଘୋଷଣା କରିଛନ୍ତି । ଉଦ୍ଧବ ଠାକରେ କହିଛନ୍ତି ଯେ, ଅଗଷ୍ଟ ୧୫ ରୁ ମୁମ୍ବାଇର ଲୋକାଲ ଟ୍ରେନ୍‌ ଚାଲିବ । ହେଲେ ଯେଉଁମାନେ କରୋନାର ଉଭୟ ଡୋଜ ନେଇଥିବେ ସେହିମାନେ ହିଁ ଏଥିରେ ଯାତ୍ରା କରିବାକୁ ଅନୁମତି ପାଇବେ । ଖାଲି ସେତିକି ନୁହେଁ ଦୁଇଟି ଯାକ ଡୋଜ ନେବାର ୧୪ ଦିନ ବିତିଯାଇଥିଲେ ହିଁ ସେମାନଙ୍କୁ ଅନୁମତି ଦିଆଯିବ ।

ଉଦ୍ଧବ ଠାକରେ ଆହୁରି କହିଛନ୍ତି ଯେ, ଏକ ବର୍ଷ ପୂର୍ବେ ଆମେ ମଧ୍ୟ ଭାବିଥିଲୁ ଯେ କୋଭିଡ ଗୋଟିଏ ବର୍ଷରେ ଚାଲିଯିବ, କିନ୍ତୁ ତାହା ହେଲା ନାହିଁ । ଏବେ ବି କେବେ ଲହର ଆସିବ ତାହା କାହାରିକୁ ଜଣା ନାହିଁ । ସେ କହିଛନ୍ତି ଯେ, ମୁମ୍ବାଇର ଲୋକାଲ ଟ୍ରେନ୍ ସେବା ଅଗଷ୍ଟ ୧୫ ରୁ ଆରମ୍ଭ ହେବ, କିନ୍ତୁ କେବଳ ସେହି ଲୋକଙ୍କ ପାଇଁ ଏଥିରେ ଯିବାର ଅନୁମତି ରହିବ ଯେଉଁମାନେ ୧୪ ଦିନ ପୂର୍ବରୁ ଦୁଇଟି ଯାକ କରୋନା ଟିକା ଗ୍ରହଣ ସାରିଥିବେ ।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଲୋକାଲ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ରେନ୍ ପାସ୍ ଡାଉନଲୋଡ୍ କରିପାରିବେ । ଯେଉଁମାନଙ୍କର ସ୍ମାର୍ଟଫୋନ୍ ନାହିଁ ସେମାନେ ସହରର ମ୍ୟୁନିସିପାଲିଟି ୱାର୍ଡ କାର୍ଯ୍ୟାଳୟ ତଥା ଉପନଗରୀୟ ରେଳ ଷ୍ଟେସନରୁ ଫଟୋ ପାସ୍ ସଂଗ୍ରହ କରିପାରିବେ ।