• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି ।

  • ଭାରତ ନିଜ ନାଗରିକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି ।

  • ପ୍ରାୟ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସରିଛି ।

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ସେଠାରେ ତାଲିବାନ କବ୍‌ଜା କରିବା ପରଠାରୁ ଭାରତ ନିଜ ନାଗରିକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି । ଯଥା ସମ୍ଭବ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଉଛି । ତେବେ ଏହାରି ମଧ୍ୟରେ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବଡ଼ ସୂଚନା ଦେଇଛି । ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଭାରତକୁ ଫେରିବାକୁ ଚାହୁଁଥିବା ପ୍ରାୟ ସମସ୍ତ ଭାରତୀୟଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତର କରାଯାଇ ସାରିଛି ।

ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ବି କିଛି ଲୋକ ଆଫଗାନିସ୍ତାନରେ ଫଶିରହିଥିବା ସୂଚନା ରହିଛି । କିନ୍ତୁ ବାସ୍ତବରେ କେତେ ସଂଖ୍ୟାରେ ଲୋକ ଫଶିଛନ୍ତି ତାର କୌଣସି ସ୍ପଷ୍ଟ ସଚନା ନାହିଁ । ସେ କହିଛନ୍ତି ଯେ, କାବୁଲ ଏବଂ ଦୁଶାଂବେରୁ ଆମର ୬ଟି ଭିନ୍ନ ଭିନ୍ନ ବିମାନ ଉଡ଼ାଣ ଭରିଥିଲା, ସେଥିରେ ୫୫୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରେ ୨୬୦ରୁ ଅଧିକ ଭାରତୀୟ ଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ, ଭାରତ ସରକାର ଅନ୍ୟ ଏଜେନ୍ସି ମାଧ୍ୟମରେ ମଧ୍ୟ ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିଛନ୍ତି । ଅରିନ୍ଦମ ବାଗଚି କହିଛନ୍ତି ଯେ, ନାଗରିକମାନଙ୍କୁ ଉଦ୍ଧାର ସମୟରେ ଆମେ ଆମେରିକା ଏବଂ ତାଜାକିସ୍ତାନ ଭଳି ଦେଶ ସହ ଯୋଗାଯୋଗରେ ଥିଲୁ ।

ଅନ୍ୟ ଦେଶର ନାଗରିକଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଭାରତୀୟ ନାଗରିକଙ୍କ ସମତେ ଆଫଗାନିସ୍ତାନ ନାଗରିକ ତଥା ଅନ୍ୟ ଦେଶର ନାଗରିକଙ୍କୁ ମଧ୍ୟ ଆମେ ସେଠାରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛୁ । ଭାରତକୁ ଫେରିଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟର ବୋଲି ସୂଚନା ରହିଛି । ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଉଦ୍ଧାର ସମୟରେ ଭାରତୀୟ ନାଗରିକଙ୍କୁ ଗୁରୁତ୍ୱ ଦିଆଯାଇଥିଲା କିନ୍ତୁ ଆମେ ସେହି ଆଫ୍‌ଗାନିସ୍ତାନବାସୀଙ୍କୁ ବି ସହଯୋଗ କଲୁ ଯେଉଁମାନେ ଆମ ସହ ଛିଡା ହୋଇଥିଲେ ।

ଆଫଗାନିସ୍ତାନ ସ୍ଥିତି ଉପରେ ସେ କହିଛନ୍ତି ଯେ, ସେଠାରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ଗ୍ରାଉଣ୍ଡ ଜିରୋରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆମର ପ୍ରାଥମିକତା ହେଉଛି ଲୋକଙ୍କୁ ସେଠାରୁ ବାହାର କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ସଂସ୍ଥା କାବୁଲରେ ସରକାର ଗଠନ କରିବାକୁ ଦାବି କରୁଛି, ତାହା ବିଷୟରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।