• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟ ସରକାର ଚିହ୍ନଟ କରିବେ ଓବିସି ।

  • ସଂସଦରେ ପାରିତ ହେଲା ବିଲ୍ ।

  • ବିରୋଧୀ ଦେଲେ ପୂର୍ଣ୍ଣ ସମର୍ଥନ ।

ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କୁ ମିଳିବ ଓବିସି ତାଲିକା ପ୍ରସ୍ତୁତି କ୍ଷମତା । କେଉଁ ବର୍ଗର ଲୋକ ଓବିସିରେ ଅନ୍ତର୍ଭୁକ୍ତ ହେବେ, ରାଜ୍ୟ ସରକାର ସେହି ନିଷ୍ପତ୍ତି ନେଇପାରିବେ । ଏ ସଂପର୍କିତ ଏକ ବିଲ୍ ଲୋକସଭାରେ ପାରିତ ହୋଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ବିଲ୍‌କୁ ବିରୋଧୀଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି । ଏହି ବିଲ୍ ଆଇନରେ ପରିଣତ ହେବା ପରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ନିଜ ନିଜ ରାଜ୍ୟର ଓବିସି ବର୍ଗକୁ ଚିହ୍ନଟ କରିପାରିବେ । ।ଖାଲ ସେତିକି ନୁହେଁ, ସେମାନଙ୍କ ତାଲିକା ପ୍ରସ୍ତୁତି ଓ ସଂରକ୍ଷଣ କ୍ଷମତା ମଧ୍ୟ ପାଇ ପାରିବେ ।

ଏହି ବିଲ୍ ପାଇଁ ଉଭୟ ଶାସକ ଓ ବିରୋଧୀ ଏକଜୁଟ ହୋଇଛନ୍ତି । ଏହା ଦ୍ୱାରା ସମ୍ବିଧାନର ୧୨୭ ତମ ସଂଶୋଧନ ବିଲ୍ ଲୋକସଭାରେ ଗୃହୀତ ହୋଇପାରିଥିଲା । ୨୦୧୮ର ୧୦୨ ତମ ସମ୍ବିଧାନ ସଂଶୋଧନ ଅନୁସାରେ କେବଳ କେନ୍ଦ୍ର ସରକାର ହିଁ ଓବିସି ଚିହ୍ନଟ, ତାଲିକା ପ୍ରସ୍ତୁତ କରିପାରୁଥିଲେ । ରାଜ୍ୟ କି କେନ୍ଦ୍ର ଶାସିତ ଅଞ୍ଚଳର ସେହି କ୍ଷମତା ନ ଥିଲା । କିଛି ଦିନ ତଳେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟକୁ ବି ଯାଇଥିଲା । ସୁପ୍ରିମକୋର୍ଟ କହିଥିଲେ, କେବଳ କେନ୍ଦ୍ର ସରକାର ହିଁ ଓବିସି ତାଲିକା ପ୍ରସ୍ତୁତ କରିପାରିବେ । ଏହାକୁ ନେଇ ରାଜ୍ୟଗୁଡ଼ିକ ଉଦ୍‌ବେଗ ପ୍ରକାଶ କରିଥିଲେ । ତେଣୁ ଶେଷରେ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନର ବାଟ ବାଛି ଏହି ବିବାଦୀୟ ପ୍ରସଙ୍ଗର ସମାଧାନ କରିବାକୁ ପଦକ୍ଷେପ ନେଇଛନ୍ତି ।

ସେପଟେ ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ଆଚରଣରେ କ୍ଷୁୁବ୍ଧ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ । ଗୃହକୁ ଆଜି ସମ୍ବୋଧିତ କରୁଥିବା ବେଳେ ଭାବ ବିହ୍ୱଳ ହୋପଡ଼ିଲେ ଭେଙ୍କୟା । ଆଉ ତାପରେ କାନ୍ଦି ପକାଇଥିଲେ । ଗତକାଲି ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ହଙ୍ଗାମାକୁ ନେଇ ଭେଙ୍କେୟା କହିଛନ୍ତି ଯେ, କୃଷି ଆଇନକୁ ବିରୋଧ କରି ବିରୋଧୀ ସାଂସଦମାନେ ଚୌକିରେ ଚଢ଼ିବା ଦ୍ୱାରା ଗୃହର ପବିତ୍ରତା ନଷ୍ଟ ହୋଇଛି । ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ତାକୁ ବିପକ୍ଷ ସାଂସଦମାନଙ୍କୁ ଗ୍ରହଣ କରିବାକୁ ପଡ଼ିବ ବୋଲି ଚେତାଇ ଦେଇଛନ୍ତି । 

ଗତକାଲି ରାଜ୍ୟସଭାରେ କଂଗ୍ରେସ ସଦସ୍ୟମାନେ ଚୌକି ଉପରେ ଚଢ଼ି ହୋହାଲ୍ଲା କରିଥିଲେ । ଏପିରିକି ରୁଲ୍ ବୁକ୍ ମଧ୍ୟ ଫୋପାଡ଼ି ଦେଇଥିଲେ । ଗୃହ କାର୍ଯ୍ୟ ପାଞ୍ଚ ପାଞ୍ଚ ଥର ବାଧାପ୍ରାପ୍ତ ହୋଇଥିଲା । ବାଧ୍ୟ ହୋଇ ଗୃହକୁ ମୁଲତବୀ କରାଯାଇଥିଲା । ନିର୍ଦ୍ଧାରିତ ସମୟର ଦୁଇଦିନ ପୂର୍ବରୁ ସରିଲା ସଂସଦର ମୌସୁମୀ ଅଧୀବେଶନ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି ବାଚସ୍ପତି । ଚଳିତ ଅଧିବେଶନରେ ପେଗାସସ୍‌, ଚାଷୀ ଆନ୍ଦୋଳନ ଓ ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ଜୋରଦାର୍‌ ହଟ୍ଟଗୋଳ କରିଥିଲେ ବିରୋଧୀ ।