• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କର୍ଣ୍ଣାଲ : ପୋଲିସର ଲାଠିଚାର୍ଜ ବିରୋଧରେ କୃଷକଙ୍କ ମହାପହଞ୍ଚାୟତ।   ଅଗଷ୍ଟ ୨୮ରେ କୃଷକଙ୍କ ଉପରେ ପୋଲିସର ଲାଠି ଚାର୍ଜ ବିରୋଧରେ କର୍ଣ୍ଣାଲରେ ମଙ୍ଗଳବାର ଦିନ ଏକ ମହାପହଞ୍ଚାୟତ ଡକାଯାଇଛି । ଏଥି ସହିତ କୃଷକମାନେ 'ଲଘୁ ସଚିବାଳୟ'କୁ ଘେରିବା ଜିଦରେ ଅଟଳ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଭାବରେ ୧୪୪ ଧାରା ଲାଗୁ କରିଛି । କର୍ଣ୍ଣାଲ, କୁରୁକ୍ଷେତ୍ର, କୈଥଲ, ଜିନ୍ଦ ଏବଂ ପାନିପଥରେ ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ହରିୟାଣା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମଙ୍ଗଳବାର ଦିନ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ଏବଂ ଏସ୍ଏମ୍ଏସ୍ ସେବା ବନ୍ଦ ରହିବ ।

କର୍ଣ୍ଣାଲ ପ୍ରଶାସନ ୧୪୪ ଧାରା ଅନୁସାରେ ପାଞ୍ଚ କିମ୍ବା ଅଧିକ ଲୋକ ଏକାଠି ହେବା ଉପରେ ବାରଣ କରିଛି । ହରିୟାଣା ପୋଲିସ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ ମଙ୍ଗଳବାର ଦିନ କର୍ଣ୍ଣାଲ ଜିଲ୍ଲାର ମୁଖ୍ୟ ଜାତୀୟ ରାଜପଥ ୪୪ (ଅମ୍ବାଲା-ଦିଲ୍ଲୀ)ରେ ଯିବାଆସିବାରେ ସାମାନ୍ୟ ଟ୍ରାଫିକ ବ୍ୟାଘାତ ସୃଷ୍ଟି ହୋଇପାରେ । ତେଣୁ ଜାତୀୟ ରାଜପଥ ୪୪ ବ୍ୟବହାର କରୁଥିବା ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏହି ରାସ୍ତାରେ ନଯାଇ ଅନ୍ୟ ରାସ୍ତା ବାଛନ୍ତୁ ବୋଲି କୁହାଯାଇଛି ।

ହରିୟାଣା ଭାରତ କିସାନ ୟୁନିଅନର ମୁଖ୍ୟ ଗୁରୁନମ ସିଂ ଚଢ଼ୁନି କହିଛନ୍ତି, ମଙ୍ଗଳବାର ଦିନ ଏଠାରେ ଏକ ବିଶାଳ ମହାପଞ୍ଚାୟତର ଆୟୋଜନ କରାଯିବ । ମହାପଞ୍ଚାୟତ ପରେ କୃଷକମାନେ ଲଘୁ ସଚିବାଳୟକୁ ଘେରାଉ କରିବେ । କର୍ଣ୍ଣାଲର ନୂତନ ପରିବାମଣ୍ଡିରେ କୃଷକମାନେ ଏକାଠି ହେବେ ବୋଲି ମଧ୍ୟ ସେ କହିଛନ୍ତି ।

ଅଗଷ୍ଟ ୨୮ରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବୈଠକକୁ ଯାଉଥିବା ନେତାଙ୍କୁ ବିରୋଧ କରି ଏକ କୃଷକ ଗୋଷ୍ଠୀ ଜାତୀୟ ରାଜପଥରେ ଯିବାଆସିବାରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରି ଲାଠି ଚାର୍ଜ କରିଥିଲା ପୋଲିସ୍ । ଏଥିରେ ୧୦ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଥିଲେ।