• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅହମଦାବାଦ : ସାରା ଦେଶରେ ଆଗାମୀ ତିନି ବର୍ଷରେ ଆମେରିକା ପରି ରାସ୍ତା ନିର୍ମାଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ରୁତ ଗତିରେ ଜାତୀୟ ରାଜପଥ ନିର୍ମାଣ କରାଯାଉଛି । ତିନି ବର୍ଷ ମଧ୍ୟରେ ସମଗ୍ର ଦେଶ ଆମେରିକାର ମାନକ ଅନୁରୂପ ରାଜପଥକୁ ଆଶା କରାଯାଇପାରେ ବୋଲି କହିଛନ୍ତି କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ରୂପାନି ସରକାରଙ୍କ ପାଞ୍ଚ ବର୍ଷ ପୂରଣ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଗଡକରୀ ସମ୍ବୋଧିତ କରିଥିଲେ । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ମିଳିତ ଭାବେ ଗଡ଼କରୀ ବନସକଣ୍ଟାର ଦିସା ସହରରେ ୩.୭୫ କିଲୋମିଟର ଲମ୍ବା ଚାରି ଲେନ ବିଶିଷ୍ଟ ଉଚ୍ଚ କରିଡରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ।

ବର୍ତ୍ତମାନ ଦେଶରେ ଦୈନିକ ୩୮ କିଲୋମିଟର ରାସ୍ତା ନିର୍ମାଣ କରାଯାଉ ଥିବାବେଳେ ପୂର୍ବରୁ ଦିନରେ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା । 'ଭାରତମାଲା ପରିଯୋଜନା' ଅନ୍ତର୍ଗତ ଗୁଜୁରାଟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପ୍ରକଳ୍ପ କାମ ଚାଲିଛି । ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମସ୍ୟାକୁ ତ୍ୱରାନ୍ୱିତ କରିବାକୁ ପୂର୍ବରୁ ରୂପାନିଙ୍କୁ କହିଥିଲେ କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ । ଗୁଜୁରାଟରେ ୨୫,୩୭୦ କୋଟି ବ୍ୟୟବରାଦରେ ଭରତମାଲା ପ୍ରକଳ୍ପ ଅଧୀନରେ ନିର୍ମାଣ ହେବାକୁ ଯାଉଥିବା ୧୦୮୦ କିଲୋମିଟର ରାସ୍ତା ସମେତ ଅନେକ ପ୍ରକଳ୍ପ ହାତକୁ ନେଇଛି ରାଜପଥ ମନ୍ତ୍ରଣାଳୟ । ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ରହିଛି, ଯାହା ଗୁଜୁରାଟର ସାତୋଟି ଜିଲ୍ଲା ଦେଇ ଯିବ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ରାଜପଥର ନେଟୱାର୍କ ଦ୍ରୁତ ଗତିରେ ବିସ୍ତାର କରାଯାଉଛି । ଗଡ଼କରୀ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଦ୍ୱାରା ଗୁଜରାଟର ସୌରାଷ୍ଟ୍ର କ୍ଷେତ୍ରରେ ସରକାର ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରିବା ପରେ ହିଁ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି ପ୍ରକଳ୍ପ ଉପରେ ଜମି ଅଧିଗ୍ରହଣ ପ୍ରସଙ୍ଗର ପ୍ରଭାବ ସେ ସ୍ପଷ୍ଟ କରି ନାହାଁନ୍ତି । ସୂଚନାଯୋଗ୍ୟ ଯେ ଗୁଜୁରାଟ ହାଇକୋର୍ଟରେ ଜମି ଅଧିଗ୍ରହଣକୁ ଅନେକ କୃଷକ ଚ୍ୟାଲେଞ୍ଜ କରିଛନ୍ତି।