• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନଦୀରେ ପଶି ଟିକା ଦେବାକୁ ଗଲେ ଡାକ୍ତରୀ ଟିମ୍

  • ଜମ୍ମୁ ଓ କାଶ୍ମୀରର ରଜୌରୀ ଅଞ୍ଚଳର ଭିଡିଓ ଭାଇରାଲ୍

  • ପାହାଡୀ ଇଲାକାରେ ଟିକା ଦେବାକୁ ନଦୀ ପାର ହେଲେ ସ୍ୱାସ୍ଥ୍ୟକର୍ମୀ

ରଜୌରୀ : ସେବା ମନୋଭାବ ଆଗରେ ହାର ମାନିଲା ଉଚ୍ଛୁଳା ନଈର ପ୍ରଖର ଜଳସ୍ରୋତ । ଲୋକଙ୍କୁ କରୋନା ସଞ୍ଜିବନୀ ଦେବା ପାଇଁ ବିପଦସଙ୍କୁଳ ଅବସ୍ଥାରେ ନଦୀ ପାରହେଲେ ଡାକ୍ତରୀ ଟିମ୍ । ନିର୍ଭୟରେ ନଦୀ ପାଣି ଲଙ୍ଘି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲେ ସ୍ୱାସ୍ଥ୍ୟକର୍ମୀ । ନିଜ ଜୀବନ ପ୍ରତି ଭୟ ନାହିଁ, ଲୋକଙ୍କ କଥା ଚିନ୍ତା କରି ଏଭଳି ଦୁଃସାହସ କରୁଥିବା ଦେବଦୂତଙ୍କୁ ଶତ ଶତ ପ୍ରଣାମ । ଜାମ୍ମୁକାଶ୍ମୀରର ରାଜୌରୀ ଜିଲ୍ଲାର ଏପରି ଏକ ଭିଡିଓ ଏ‍ବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ହାତରେ ଭ୍ୟାକ୍ସିନ୍ ଡବା । ଆଉ ସାମ୍ନାରେ ନଦୀର ପ୍ରଖର ଜଳପ୍ରୋତ । ତଥାପି ମନରେ ତିଳେ ମାତ୍ର ଭୟ ନାହିଁ । ଲୋକଙ୍କ ପାଇଁ ଡାକ୍ତରୀ ଟିମ୍ ଜଣେ ଜଣଙ୍କ ହାତ ଧରି ନଦୀ ପାର ହେଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ କାହାର ବି ଦେଶ ଶୀତେଇ ଯିବ । ଉଚ୍ଛୁଳା ନଈକୁ ଦେଖିଲେ ଆଗକୁ ବଢ଼ିବାକୁ ସାହସ ହେବନି । ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ବର୍ତ୍ତମାନ କରୋନା ଯୋଦ୍ଧାଙ୍କର ସେହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତ୍ରାଲା ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଇରାମ ୟାସିମିନ ଏହି ଭିଡିଓ ଉତ୍ତୋଳନ କରିଛନ୍ତି ।

ଏବେ ସାରା ଦେଶରେ କରୋନା ବିରୋଧୀ ଲଢ଼େଇ ଜାରି ରହିଛି । ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଲୋକଙ୍କୁ ମହାମାରୀ କବଳରୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି ସରକାର । ଆଉ ଏଥିପାଇଁ ସରକାରୀ ଡାକ୍ତରଖାନା ଗୁଡ଼ିକରେ ମାଗଣା ଟିକା ଦିଆଯାଉଛି । ତେବେ ସରକାରଙ୍କ ସହ ସ୍ୱାସ୍ଥ୍ୟକର୍ମୀ ମାନେ ମଧ୍ୟ ନିଜ ଜୀବନକୁ ପାଣି ଛଡ଼ାଇ ଏହି ମହତ କାମ ପାଇଁ ଦିନ ରାତି ଏକ କରି ଦେଉଛନ୍ତି । ଜାମ୍ମୁ କାଶ୍ମୀରର ରଜୌରୀର ଜିଲ୍ଲାରେ ଘରକୁ ଘର ଯାଇ ଟିକା ଦିଆଯାଉଛି । ଆଉ ଏହାରି ଭିତରେ ଏପରି ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଆପଣ ନିଶ୍ଚିତ ଭାବରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା ନକରି ରହିପାରିବେ ନାହିଁ ।