• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେତୁଲ : କାଳ ହେଲା ଲଭ୍ ମ୍ୟାରେଜ୍ । ଦଳିତ ଯୁବକଙ୍କୁ ବିବାହ କରିବାରୁ ଶୁଦ୍ଧିକରଣ କରାଇଲେ ବାପା । ମଧ୍ୟପ୍ରଦେଶର ବେତୁଲରେ ପଛୁଆ ବର୍ଗର ଜଣେ ନର୍ସିଂ ଛାତ୍ରୀ ଦଳିତ ଯୁବକଙ୍କୁ ବିବାହ କରିବା ପରେ ତାଙ୍କ ବାପା ନର୍ମଦା ନଦୀରେ ସ୍ନାନ କରାଇ ଝିଅର ଶୁଦ୍ଧି କରାଇଥିବା ପରି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଅନର୍ କିଲିଂ ଭୟରେ ଦମ୍ପତି ବର୍ତ୍ତମାନ ପୋଲିସର ସୁରକ୍ଷା ଲୋଡିଛନ୍ତି । ବାପାଙ୍କ ସମେତ ପରିବାର ଲୋକଙ୍କ କବଳରୁ ଉଦ୍ଧାର କରିବାକୁ ପୀଡ଼ିତା ପୋଲିସ ନିକଟରେ ନିବେଦନ କରିଛନ୍ତି । ବାପାଙ୍କ ସମେତ ଚାରି ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

ବେତୁଲର ଚୋପନା ବାସିନ୍ଦା ସାକ୍ଷୀ ଯାଦବ ଗତ ବର୍ଷ ଅମିତ ଅହିରୱାର ନାମକ ଜଣେ ଦଳିତ ଯୁବକଙ୍କୁ ବିବାହ କରିଥିଲେ । ପରିବାର ଲୋକ ରାଜି ନଥିବାରୁ ଉଭୟେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାବ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ପରିବାର ଲୋକେ ୨୪ ବର୍ଷୀୟ ପୀଡ଼ିତାଙ୍କୁ ପୋଲିସ ସହାୟତାରେ ଶାଶୁ ଘରୁ ଜୋରଜବରଦସ୍ତି ନେଇ ଯାଇଥିଲେ । ଏହା ପରେ ତାଙ୍କୁ ରାଜଗଡରେ ପାଠ ପଢ଼ିବାକୁ ପଠାଇ ଦିଆଗଲା । ବର୍ତ୍ତମାନ ସେ ହଷ୍ଟେଲରେ ରହୁଛନ୍ତି । ଅକ୍ଟୋବର ୨୮ରେ ସେ ହଷ୍ଟେଲରୁ ଲୁଚି ପଳାଇ ଆସିଥିଲେ ଏବଂ ସ୍ୱାମୀଙ୍କୁ ଦେଖା କରିବାକୁ ପହଞ୍ଚିଥିଲେ ।

ଅଗଷ୍ଟ ୧୮ ରେ ପୀଡ଼ିତାଙ୍କୁ ବାପା ତାଙ୍କୁ ନର୍ମଦା ନଦୀକୁ ନେଇ ଯାଇଥିଲେ । ଆଉ ସେଠାରେ ୪ ଜଣଙ୍କ ସାମ୍ନାରେ ଅଧା ଉଲଗ୍ନ କରି ଶୁଦ୍ଧି କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଏହାସହ ନଦୀରେ ବୁଡ଼ ପକାଇଲେ, ତାଙ୍କୁ ଅଇଁଠା ପୁରୀ ଖାଇବାକୁ ଦିଆ ଯାଇଥିଲା । କେବଳ ଏତିକିରେ ସରିନଥିଲା ଅତ୍ୟାଚାର । ପିନ୍ଧିଥିବା ପୋଷାକକୁ ସେଠାରେ ଫିଙ୍ଗି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦଲିତ ଯୁବକଙ୍କୁ ବିବାହ କରିବା ପରେ ଶୁଦ୍ଧିକ୍ରୟା କରାଯାଇଥିବା କୁହାଯାଉଛି ।

ବର୍ତ୍ତମାନ ସ୍ୱାମୀଙ୍କୁ ଛାଡପତ୍ର ଦେବାସହ ନିଜ ଜାତିରେ ବିବାହ କରିବା ପାଇଁ ପୀଡ଼ିତାଙ୍କ ଉପରେ ଚାପ ପ୍ରୟୋଗ କରାଯାଉଛି । ତେବେ ଏହି ଘଟଣାରେ ବାପାଙ୍କ ସହ ପୋଲିସ ମିଶିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା । ସ୍ୱାମୀ ଓ ତାଙ୍କ ଜୀବନ ପ୍ରତି ଭୟ ଥିବା ଆଶଙ୍କା ପ୍ରକାଶ କରିଛନ୍ତି ।

ସେପଟେ ସ୍ୱାମୀ ଅମିତ ଅହିରୱାର କହିଛନ୍ତି ବିବାହ ପରେ ସାକ୍ଷୀଙ୍କ ବାପା ଘରକୁ ବାରମ୍ବାର ଆସୁଥିଲେ । ଆଉ ତା’ପରେ ପୋଲିସ ପଠାଇ ସ୍ତ୍ରୀକୁ ନେଇଗଲେ ଓ ତାକୁ ହଷ୍ଟେଲ ପଠାଇ ଦିଆଗଲା । ଆମେ ଏକାଠି ରହିବାକୁ ଚାହୁଁଛୁ, କିନ୍ତୁ ସ୍ତ୍ରୀଙ୍କ ପରିବାର ଲୋକ ଏକାଠି ରଖେଇ ଦେଉନାହାନ୍ତି । ଏକାଠି ରହିଲେ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି । ଶେଷରେ ଅନ୍ୟ ଉପାୟ ନପାଇ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି ଦମ୍ପତି ।