• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜୟପୁର: ଦରମା ମାସକୁ ୫ ହଜାର ଟଙ୍କା, ହେଲେ କୋଟି କୋଟି ସମ୍ପତ୍ତିର ମାଲିକ। ଖାଲି ଏତିକି ନୁହେଁ ରାଜସ୍ଥାନରୁ ପଞ୍ଜାବ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଛି କାରବାର। ଏକ ସରକାରୀ ବିଦ୍ୟାଳୟରେ ଚୁକ୍ତିଭିତ୍ତିକ କମ୍ପ୍ୟୁଟର ଅପରେଟର୍‌ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଏବେ ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ କରିଛି। ରାଜସ୍ଥାନର ଭିଲୱାଡା ଜିଲ୍ଲାରେ କୋଟଡି ପଞ୍ଚାୟତ ସମିତିର ଖେଡା ସରକାରୀ ବିଦ୍ୟାଳୟରେ ଗୋପାଳ ସୁୱାଳକା ନାମକ ଏହି ବ୍ୟକ୍ତି କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଗୋପାଳଙ୍କ ପାଖାପାଖି ୨ କୋଟି ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି।

ଠକେଇ କରି ୨୦୦୭ ଅଗଷ୍ଟ ୧୩ରୁ ୨୦୨୧ ପର୍ଯ୍ୟନ୍ତ ଗୋପାଳ ସୁୱାଳକା ବିଭାଗର ଟଙ୍କା ହଡପ କରିବାକୁ ଲାଗିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା, ଏସମ୍ପର୍କରେ କାହାକୁ ବି ଜଣାନଥିଲା। ସେ ଶିକ୍ଷା ବିଭାଗର ଅଧିକାରୀଙ୍କ ନକଲି ଆଇଡି ଏବଂ ପାସୱାର୍ଡ କରି ବର୍ଷ ବର୍ଷ ଧରି ଶିକ୍ଷା ବିଭାଗର ଟଙ୍କା ଲୁଟି ଥିଲେ। ଏହି ଟଙ୍କାକୁ ସେ ତାଙ୍କ ପତ୍ନୀ ଦିଲ୍‌ଖୁଶଙ୍କ ଆକାଉଣ୍ଟରେ ଜମା କରିଥିଲେ। ଏଥିପାଇଁ ଗୋପାଳ ଜାଲିଆତି କରି ପତ୍ନୀଙ୍କୁ ଶିକ୍ଷୟିତ୍ରୀ କରାଇ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉ ଥିଲେ। 

ହଡ଼ପ ଟଙ୍କାରେ ଗୋପାଳ ୨ଟି ଘର ଏବଂ ଜେସିବି ମେସିନ୍ କିଣିଥିଲେ। ଏହାସହ ସେ ଗାଡି ବ୍ୟବସାୟ ପଞ୍ଜାବ ପର୍ଯ୍ୟନ୍ତ ମଧ୍ୟ ବିସ୍ତାର କରିଥିଲେ। ସେ ତାଙ୍କ ବ୍ୟବସାୟକୁ ଏତେ ମାତ୍ରାରେ ବଢ଼ାଇ ଥିଲେ ଯେ, ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରୁଥିବା ଗୋପାଳ ନିଜ ଭଣଜାଙ୍କୁ ନିଜର ପିଏ ଭାବେ ରଖିଥିଲେ। ଯେତେବେଳେ ତାଙ୍କର ଏହି କୋଟି କୋଟି ସମ୍ପତ୍ତି ବିଷୟରେ ଧୀରେ ଧୀରେ ଜଣାପଡ଼ିଲା, ଚାଲାକି କରି ଗୋପାଳ ନିଜ ନାଁରେ ଥିବା ସମସ୍ତ ସମ୍ପତ୍ତିକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ କରି ଦେଇଥିଲେ। 

ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗେଶ ପାରିକ କହିଛନ୍ତି, ୨୦୨୧ ଅଗଷ୍ଟ ୧୨ରେ ପ୍ରାଥମିକ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ଖେଡା ଚନ୍ଦ୍ର ସିଂ ରାଜପୁତ ବଡ଼ଲିୟାସ ଥାନାରେ କମ୍ପ୍ୟୁଟର ଅପରେଟର ଗୋପାଳଙ୍କ ବିରୋଧରେ ୧୨ ଲକ୍ଷ ଟଙ୍କା ହଡ଼ପ ନେଇ ଅଭିଯୋଗ କରିଥିଲେ। ଯେତେବେଳେ ମାମଲାର ଯାଞ୍ଚ ହୋଇଥିଲା, ପୁରା ଘଟଣା ସାମ୍ନାକୁ ଆସିଥିଲା। ଗୋପାଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଥିଲା। ପାଖାପାଖି ତାଙ୍କର ୨ କୋଟି ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି।