• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କାବୁଲ ଏୟାରପୋର୍ଟ ବନ୍ଦ ହେବାରୁ ଫେରି ପାରୁନାହାନ୍ତି ଭାରତୀୟ

  • ବିମାନବନ୍ଦର କାର୍ଯ୍ୟକ୍ଷମ କରିବାକୁ ଆମେରିକା ସହ କଥା ହେଲେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ : ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ସ୍ଥିତି । ଏଭଳି ସମୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛି । ନୂଆଦିଲ୍ଲୀ ଭାରତୀୟଙ୍କ ସୁରକ୍ଷା ସହ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଲାଗି ସବୁ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛଇ । ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, ଆଫଗାନିସ୍ତାନରେ ରହୁଥିବା ଶିଖ୍ ଓ ହିନ୍ଦୁ ସମୁଦାୟ ପ୍ରତିନିଧିଙ୍କ ସହ ମନ୍ତ୍ରାଳୟ ଯୋଗାଯୋଗରେ ରହିଛି । ଯେଉଁମାନେ ଆଫଗାନୀସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି, ସେମାନଙ୍କୁ ଭାରତ ଫେରାଇ ଆଣିବାକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ

ସେଠାରେ ରହୁଥିବା ଭାରତୀୟଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ବିଭିନ୍ନ ସମୟରେ ନୂଆ ନୂଆ ପରାମର୍ଶ ଜାରି କରାଯାଉଛି । କାବୁଲ୍ ଏୟାରପୋର୍ଟରେ ବିମାନ ସେବା ହଠାତ୍ ବନ୍ଦ ହେବା ପରେ ଭାରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନରେ ସମସ୍ୟା ସୃଷ୍ଟି ହୋଇଛି । ଯେତେ ଶୀଘ୍ର ବିମାନସେବା ଆରମ୍ଭ ହେବ, ତୁରନ୍ତ ଭାରତୀୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । କାବୁଲ ଏୟାରପୋର୍ଟ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଆମେରିକା ସହ କଥା ହୋଇଛନ୍ତି ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର । ଏହାଛଡ଼ା ଆଫଗାନିସ୍ତାନରେ ଥିବା ଭାରତୀୟଙ୍କୁ ସହାୟତା ଯୋଗାଇଦେବାକୁ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଫୋନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରାଯାଇଛି ।

ସେପଟେ ଆଫାଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତରେ ରହୁଥିବା ଅନେକ ଆଫଗାନ୍ ନାଗରିକ ଆଶଙ୍କା ଭିତରେ ରହିଛନ୍ତି । ଏପରି ଜଣେ ହେଲେ ଆଫଗାନିସ୍ତାନର ମହମ୍ମଦ ଜାଭେଦ । ଆଖିରେ ଅସୁମାରି ସ୍ୱପ୍ନ ନେଇ ଦିଲ୍ଲୀରେ ଏମ୍ବିଏ କରୁଥିଲେ । ପାଠପଢ଼ା ସରିବା ପରେ, ଆଫଗାନିସ୍ତାନ ଫେରିବାକୁ ଚାହୁଁଥିଲେ ।

କିନ୍ତୁ ସ୍ଥିତି ବିପଦପୂର୍ଣ୍ଣ ଥିବାରୁ, ସେ ଏବେ ଯିବାକୁ ଚାହୁଁ ନାହାନ୍ତି । ଏପଟେ ତାଙ୍କର ଭିସା ଅବଧି ବି ସରି ଆସିଲାଣି । ତେଣୁ ଏବେ ସେ ପବନରେ ପତର ପରି ଦୋହଲୁଛନ୍ତି ବୋଲି ଜାଭେଦ କହିଛନ୍ତି । ଭିସା ଅବଧି ବୃଦ୍ଧି ପାଇଁ ସେ ଅନୁରୋଧ କରିଛନ୍ତି । କେବଳ ଜାଭେଦ ନୁହେଁ ଅନେକ ଆଫଗାନ ନାଗରିକ ସେମାନଙ୍କ ଭାଗ୍ୟକୁ ନେଇ ବେଶ ଚିନ୍ତିତ । ଭାରତରେ ସେମାନେ ସୁରକ୍ଷିତ ଥିଲେ ମଧ୍ୟ ଆଫଗାନିସ୍ତାନରେ ଥିବା ପରିବାରକୁ ନେଇ ଚିନ୍ତା ଘାରୁଛି ।