• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସଂକ୍ରମଣ କମିବା ପରେ ଶିବରାଜ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

  • ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ସିନେମା ହଲ୍

  • ବିବାହରେ ୧୦୦ ଓ ଅନ୍ତିମ ସଂସ୍କାର ପାଇଁ ୫୦ ଜଣଙ୍କୁ ଅନୁମତି

ଭୋପାଳ : କରୋନାର ଦ୍ୱିତୀୟ ଲହରୀ ଥମିଥିବା ବେଳେ କଟକଣା କୋହଳ କରିଛନ୍ତି ମଧ୍ୟପ୍ରଦେଶ ସରକାର । ପୂର୍ବରୁ କଟକଣା ସାମାନ୍ୟ କୋହଳ ଥିବା ବେଳେ ଜୁଲାଇ ୧୨ ଠାରୁ ଆସିଛି ନୂଆ ଗାଇଡଲାଇନ୍ । ରାଜ୍ୟରେ ଜାରି ହୋଇଥିବା ନୂଆ ଦିଶା ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ । ଏବେ ଠାରୁ ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର । ଅନେକ ଦିନ ବନ୍ଦ ରହିବା ପରେ ପୁଣି ଥରେ ପୂର୍ବବତ୍ ଚାଲିବ ବଜାର । ସେହିପରି ବିବାହ ଉତ୍ସବ ତଥା ଶୁଭ କାର୍ଯ୍ୟରେ ୧୦୦ ଲୋକ ସାମିଲ ହେବା ସହ ଅନ୍ତିମ ସଂସ୍କାରରେ ୫୦ ଜଣ ଲୋକଙ୍କ ଉପସ୍ଥିତିକୁ ଅନୁମତି ମିଳିଛି ।

ସରକାରୀ ଗାଇଡଲାଇନ୍ ଅନୁଯାୟୀ ଅନେକ ଦିନ ପରେ ଖୋଲିଲା ସିନେମା ହଲ୍ । ୫୦ ପ୍ରତିଶତ କ୍ଷମତା ସହ ସିନେମା ହଲ୍ ଖୋଲିବାକୁ ନିର୍ଦ୍ଦେଶ ରହିଛି । ତେବେ ଏହି ନିୟମ ଉଲ୍ଲଂଘନ କରି ଅଧିକ ଦର୍ଶକ ବସାଇଲେ ସଂପୃକ୍ତ ସିନେମା ହଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ରେଷ୍ଟୁରାଣ୍ଟ ଗୁଡିକ ୧୦୦ କ୍ଷମତା ସହିତ ପରିଚାଳିତ ହୋଇପାରିବ । ପାର୍ସଲ ନେବା ସହ ରେଷ୍ଟୁରାଣ୍ଟରେ ପୂର୍ବ ପରି ବସି ଖାଇପାରିବେ ଲୋକେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟରେ କରୋନା ମାମଲା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟରେ ତୃତୀୟ ଲହରୀର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ଉପରେ ଜୋର ଦେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ କରୋନା ପ୍ରଟୋକଲ୍ ପାଳନ ପାଇଁ ଲଗାତାର ଜନସାଧାରଣଙ୍କୁ ସେଚତନ କରାଯିବ ବୋଲି ସେ କହିଛନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶିବରାଜ ସରକାର ଭୋପାଲ ଓ ଇନ୍ଦୋର ଉପରେ କଡ଼ା ନଜର ରଖିଛନ୍ତି । ମଧ୍ୟପ୍ରଦେଶରେ ବିଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଉପରେ ଚର୍ଚ୍ଚା କରି କହିଛନ୍ତି, ରାଜ୍ୟରେ ମୋଟ୍ ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ଭୋପାଳରୁ ତିନି ଜଣ ଓ ଜବଲପୁର, ନିମଚ, ରାଜଗଡ଼, ସାଗର, ଶିବପୁରୀ, ସେଙ୍ଗରୋଲୀରୁ ଜଣେ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛି । ଅନ୍ୟପଟେ ବାକି ୪ ଜିଲ୍ଲାରେ ଜଣେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ଆଉ ଏଥିପାଇଁ ଲୋକଙ୍କ ପାଇଁ କଟକଣାକୁ କୋହଳ କରାଯାଇଛି ।