• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପୁରୁଣା ଢାଞ୍ଚାକୁ ବାୟ ବାୟ । ଆରମ୍ଭ ହେଲା ନୂଆ କର୍ପୋରେଟ ଯୁଗ । ଅର୍ଡିନାନ୍ସ ବୋର୍ଡକୁ ଭାଙ୍ଗି ୭ଟି ନୂଆ କଂପାନିର ଘୋଷଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଘୋଷଣା କରିଥିବା ୭ଟି ନୂଆ କଂପାନି ହେଲେ ମ୍ୟୁନିସନ ଇଣ୍ଡିଆ ଲିମିଟେଡ୍, ଆର୍ମଡ୍‌ ଭେହିକିଲ ନିଗମ ଲିମିଟେଡ୍, ଆଡଭାନ୍ସ ଓ୍ୱିପନ୍ସ ଆଣ୍ଡ ଇକ୍ୱିପମେଣ୍ଟ ଇଣ୍ଡିଆ ଲିମିଟେଡ୍, ଟ୍ରୁପ୍ କମ୍ପଫର୍ଟସ ଲିମିଟେଡ୍, ଯନ୍ତ୍ର ଇଣ୍ଡିଆ ଲିମିଟେଡ୍, ଇଣ୍ଡିଆ ଅପଟେଲ୍ ଲିମିଟେଡ୍ ଓ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ ।

ଅର୍ଡିନାନ୍ସ ବୋର୍ଡ ସ୍ଥାନରେ ଆତ୍ମପ୍ରକାଶ କରିଥିବା ଏହି ୭ ସରକାରୀ ଉଦ୍ୟୋଗ, ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ନିୟୋଜିତ ୪୧ଟି ଅର୍ଡିନାନ୍ସ ଫ୍ୟାକ୍ଟ୍ରିର କାମ ତଦାରଖ କରିବେ । ପୁନେସ୍ଥିତ ମ୍ୟୁନେସନ ଇଣ୍ଡିଆ ଅଧୀନରେ ୧୨ଟି ଫ୍ୟାକ୍ଟ୍ରି ରହିବେ । ଏମାନେ କେବଳ ଗୁଳିଗୋଳା ପ୍ରସ୍ତୁତ କରିବେ । ଟ୍ୟାଙ୍କ ଓ ଅନ୍ୟାନ୍ୟ ଭାରିଯାନ ତିଆରି କରୁଥିବା ୫ଟି ଫ୍ୟାକ୍ଟ୍ରି ତାମିଲନାଡୁ ଅବାଦିରେ ଥିବା ଆରମର୍ଡ ଭେହିକିଲ ନିଗମ ଲିମିଟେଡ ଅଧୀନକୁ ଯିବେ । ଛୋଟ ପିସ୍ତଲରୁ ବଡ଼ ମେସିନ୍‌ଗନ୍ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୮ଟି ଫ୍ୟାକ୍ଟ୍ରି କାନପୁରସ୍ଥିତ ଆଡଭାନ୍ସ ଓ୍ୱିପନ୍ସ ଆଣ୍ଡ ଇକ୍ୱିପମେଣ୍ଟ ଇଣ୍ଡିଆ ଲିମିଟେଡ୍ ଅଧୀନରେ କାମ କରିବେ ।

ଟ୍ରୁପ୍ କମ୍ପଫର୍ଟସ ଲିମିଟେଡ ଅଧୀନରେ ୪ଟି ଫ୍ୟାକ୍ଟ୍ରି ରହିବେ । ଏମାନଙ୍କର ପ୍ରମୁଖ କାମ ହେବ ସେନା ପାଇଁ ୟୁନିଫର୍ମ ଓ ପୋଷାକ ପ୍ରସ୍ତୁତି । ନାଗପୁରସ୍ଥିତ ୟନ୍ତ୍ର ଇଣ୍ଡିଆ ୮ଟି ଫ୍ୟାକ୍ଟ୍ରିର କାମ ତଦାରଖ କରିବ । ଏହି ଫ୍ୟାକ୍ଟ୍ରିମାନେ ବିଭିନ୍ନ ଯନ୍ତ୍ରାଂଶ ଓ ଉପକରଣ ଉତ୍ପାଦନ କରିବେ । ଡେରାଡୁନ୍‌ସ୍ଥିତ ଇଣ୍ଡିଆ ଅପଟେଲ୍ ଲିମିଟେଡ୍ ଅଧୀନରେ ୩ଟି ଫ୍ୟାକ୍ଟ୍ରି ରହିବେ । ଯେଉଁମାନେ ମୁଖ୍ୟତଃ ଇଲେକଟ୍ରୋନିକ୍ସ ଯନ୍ତ୍ରାଂଶ ଉତ୍ପାଦନ କରିବେ । ସେହିପରି କାନପୁରସ୍ଥିତ ଅର୍ଡିନାନ୍ସ ପାରାଚ୍ୟୁଟ୍ ଫ୍ୟାକ୍ଟ୍ରି ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ ଅଧୀନରେ ରହିବ ।

ତେଣେ ଅର୍ଡିନାନ୍ସ ବୋର୍ଡ ଅଧୀନରେ କାମ କରୁଥିବା ୭୦ ହଜାରରୁ ଅଧିକ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅର୍ଡିନାନ୍ସ ବୋର୍ଡ କର୍ମଚାରୀଙ୍କୁ ପ୍ରଥମ ଦୁଇ ବର୍ଷ ପାଇଁ ସେମାନଙ୍କ ସ୍ପେସାଲାଇଜେନ ଅନୁସାରେ ନୂଆ କଂପାନୀଙ୍କୁ  ଡେପୁଟେସନରେ ପଠାଯିବ । ତେବେ ସର୍ଭିସ ରୁଲ୍‌ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ସେହିପରି କର୍ମଚାରୀଙ୍କୁ ପେନ୍‌ସନ୍ ଓ ଅନ୍ୟାନ୍ୟ ସୁବିଧା ଯଥାରୀତି ମିଳିବ ।

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ନିୟୋଜିତ ଅର୍ଡିନାନ୍ସ ବୋର୍ଡର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗତ ୧୫-୨୦ ବର୍ଷର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଗତ ଜୁନ୍ ମାସରେ ମୋଦି ସରକାର ନିଷ୍ପତ୍ତି ନେଇଥିଲେ । ପ୍ରତିରକ୍ଷା ଉତ୍ପାଦନକାରୀ କଂପାନିଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି, ନିଜସ୍ୱ ନିଷ୍ପତ୍ତି ନେବା ପାଇଁ ଅଧିକ କ୍ଷମତା ପ୍ରଦାନ ଏବଂ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ସହ କର୍ପୋରେଟ୍ ବ୍ୟବସ୍ଥାର ପ୍ରଚଳନ ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ବର୍ତ୍ତମାନର ବ୍ୟବସ୍ଥାରେ ଥିବା ଦୋଷତ୍ରୁଟିକୁ ସୁଧାରିବା, ସପ୍ଲାଇ ଚେନ୍‌ରେ ଥିବା ସ୍ଥାଣୁତା ଦୂର କରିବା ଓ ଆର୍ଥିକ ପ୍ରୋତ୍ସାହନ ମାଧ୍ୟମରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ଭଳି ନୂଆ ନୂଆ ସୁଯୋଗ ସୃଷ୍ଟି କରିବାରେ ବି ଏହା ସହାୟକ ହେବ ବୋଲି କୁହାଯାଉଛି ।