• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ବା ପିଏମ୍-ପୋଷଣର ଘୋଷଣା କରିଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅଗାମୀ ୫ ବର୍ଷ ପାଇଁ ଅର୍ଥାତ ୨୦୨୧-୨୨ରୁ ୨୦୨୫-୨୬ ଯାଏଁ ଏହି ଯୋଜନା କାର୍ଯ୍ୟକାରୀ ହେବ ।

ଏହି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାରେ ଦେଶର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି । ପୂର୍ବରୁ ଏହା ମଧ୍ୟାହ୍ନ ଭୋଜନ ଯୋଜନା ନାଁରେ ପରିଚିତ ଥିଲା । ତେବେ ବର୍ତ୍ତମାନ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ପ୍ରାୟ ୫୪ ହଜାର କୋଟି ଟଙ୍କା ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ପ୍ରାୟ ୩୧ ହଜାର କୋଟି ଖର୍ଚ୍ଚ କରିବେ । ଏହି ଯୋଜନା ଦ୍ୱାରା ୧୧ ଲକ୍ଷ ୨୦ ହଜାର ବିଦ୍ୟାଳୟରେ ୧୧ କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

ତେବେ ଯୋଜନାରେ ନାମ ବଦଳାଇବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । କେବଳ ପୁରୁଣା ଯୋଜନାର ନାମ ପରିବର୍ତ୍ତନ କରାଯାଇଛି ଏବଂ ସମ୍ପୂର୍ଣ୍ଣ ରୂପେ ଏହାକୁ ବ୍ୟକ୍ତିଗତ ସ୍ତରରେ ହସ୍ତାନ୍ତର କରିବାକୁ ଚେଷ୍ଟା କରାଯାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରା କହିଛନ୍ତି, ମଧ୍ୟାହ୍ନ ଭୋଜନର ନାମ ବଦଳାଇବା ପରିବର୍ତ୍ତେ ସରକାର ସିଧାସଳଖ କହିବା ଉଚିତ  ଆଦାନୀ ସମସ୍ତ ଭିତ୍ତିଭୂମି ଗ୍ରହଣ କରୁଛନ୍ତି । ବୁଲେଇବାଙ୍କେଇ କହିବାର କୌଣସି ଆବଶ୍ୟକତା ନାହିଁ । 

ଏଥି ସହ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ କରିଛନ୍ତି । ମିଡ୍ ଡେ ମିଲ୍ ଯୋଜନାର ନାମକୁ PM ପୋଷଣ ଯୋଜନାରେ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିବା ସହ କହିଛନ୍ତି ଉତ୍ତରପ୍ରଦେଶରେ PM ପୋଷଣ ନାମରେ କେବଳ ଲୁଣ-ତେଲ ପରଷା ଯିବନି ବୋଲି ସୁନିଶ୍ଚିତ କରିପାରିବେ କି ? ତୃଣମୂଳ ସ୍ତରର ସାମ୍ବାଦିକ ଏହି ପ୍ରସଙ୍ଗ ଉଠାଇଲେ , ତାଙ୍କୁ ଜେଲରେ ରହିବାକୁ ପଡ଼ିବ ନାହିଁ ବୋଲି କିଏ କହିପାରିବ ?