• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ଖୋଜି ଖୋଜି ଧରିବେ ଯବାନ । ତ୍ରାହି ପାଇବେ ନାହିଁ ଆତଙ୍କୀ । ବୁଧବାର ଦିନ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ବିଏସଏଫର ଅଧିକାରକୁ ବଢ଼ାଇ‍ବା ସହ ତାଙ୍କୁ ଗିରଫ, ତଦନ୍ତ, ସର୍ଚ୍ଚ ଅପରେସନ୍ ଓ ଜବତ୍ କ୍ଷମତା ପ୍ରଦାନ କରାଯାଇଛି । ଭାରତ-ପାକିସ୍ଥାନ ଏବଂ ଭାରତ-ବାଂଲାଦେଶ ମଧ୍ୟରେ ଅନ୍ତର୍ଜାତୀୟ ସୀମାର ୫୦ କିଲୋମିଟର ମଧ୍ୟରେ ବିଏସଏଫକୁ ଏହି ଅଧିକାର ଦିଆଯାଇଛି । ସରଳ ଶବ୍ଦରେ କହିବାକୁ ଗଲେ ବର୍ତ୍ତମାନ ମାଜିଷ୍ଟ୍ରେଟଙ୍କ ଆଦେଶ ଏବଂ ୱାରେଣ୍ଟ ବିନା ମଧ୍ୟ ସନ୍ଧିଗ୍ଧଙ୍କୁ ଗିରଫ କରିପାରିବେ ବିଏସ୍‌ଏଫ୍ ଯବାନ୍ ।

ତେବେ ଗୃହ ମନ୍ତ୍ରଣାଳୟର ନୂତନ ଆଦେଶ ରାଜନୈତିକ ବିବାଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଆସାମରେ ୧୫ କିଲୋମିଟର ମଧ୍ୟରେ ଗିରଫ ତଥା ତଦନ୍ତ କରିବାର ଅଧିକାର ଥିଲା, ଯାହା ବର୍ତ୍ତମାନ ୫୦ କିଲୋମିଟରକୁ ବୃଦ୍ଧି କରାଯାଇଛି ।

ଅନ୍ୟପଟେ ଗୁଜୁରାଟରେ ବିଏସ୍ଏଫର ଅଧିକାରକୁ ହ୍ରାସ କରାଯାଇଛି । ପୂର୍ବରୁ ୮୦ କିଲୋମିଟର ଥିବାବେଳେ ବର୍ତ୍ତମାନ ୫୦ କିଲୋମିଟରକୁ କମେଇ ଦିଆଯାଇଛି । ସେହିପରି ରାଜସ୍ଥାନରେ ଏହି ସୀମା ପୂର୍ବ ପରି ୫୦ କିଲୋମିଟରରେ ରଖାଯାଇଛି । ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା ଏବଂ ମଣିପୁରର ପାଞ୍ଚଟି ଉତ୍ତର-ପୂର୍ବ ରାଜ୍ୟ ପାଇଁ ଏହି ସୀମା ୮୦ ରୁ ୨୦ କିଲୋମିଟରକୁ ହ୍ରାସ କରାଯାଇଛି ।

ଭାରତ-ବାଂଲାଦେଶ ମଧ୍ୟରେ ୪୦୯୬.୭ କିଲୋମିଟର, ଭାରତ-ପାକିସ୍ଥାନ ମଧ୍ୟରେ ୩୩୨୩ କିଲୋମିଟର ସୀମା ସୁରକ୍ଷା ଦାୟିତ୍ୱ  ବିଏସଏଫକୁ  ଦିଆଯାଇଛି । ଏହା ବ୍ୟତୀତ ଛତିଶଗଡ ଓ ଓଡିଶାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ମଧ୍ୟ ବିଏସଏଫକୁ ଦାୟିତ୍ୱ ଦିଆଯାଇଛି । ସୀମା ସୁରକ୍ଷା ବଳ ଅଧିନିୟମ, ୧୯୮୬ର BSF ଧାରା ୧୩୯ ଅନୁସାରେ ଏହା ସୀମା ସୁରକ୍ଷା ବଳର କାର୍ଯ୍ୟ କ୍ଷେତ୍ର ଏବଂ ସୀମାକୁ ଅଧିସୂଚିତ କରାଇବାର କ୍ଷମତା ପ୍ରଦାନ କରିଥାଏ ।