• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମା’ ଆଖିର ଲୁହରେ ତରଳିଗଲା ନିର୍ଦ୍ଦୟ ହୃଦୟ

  • ତିନି ଦିନର ନବଜାତକକୁ ୧୭ ଘଣ୍ଟା ପରେ ଫେରାଇଲା ଚୋର

ବାଡମେର୍ : ନବଜାତକକୁ ବଞ୍ଚାଇଦେଲା ମା’ର ମମତା । ମା’ର ବିକଳ କାନ୍ଦଣା ତଥା ମମତାର ଲୁହରେ ତରଳିଗଲା ଚୋରର ନିର୍ଦ୍ଦୟ ହୃଦୟ । ଚୋରି କରିବାର ୧୭ ଘଣ୍ଟା ପରେ କୁନି ଛୁଆକୁ ରାସ୍ତାରେ ଛାଡ଼ିଦେଲା । ନବଜାତକୁ ଫେରି ପାଇବା ପରେ ପରିବାର ଲୋକ ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ହଜିଲା ପୁଅକୁ ପାଇ ଚୋରକୁ ଧନ୍ୟବାଦ ଦେବା ସହ ମା’ ଆଖିରୁ ଝରିପଡ଼ୁଛି ଖୁସିର ଲୁହ । ପୁଅକୁ ଫେରାଇ ଆଣିବାକୁ କଠିନ ପରିଶ୍ରମ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶିଶୁର ମା’ ।

ମମତାର ଶକ୍ତି ମା’, ମମତାର ମୂର୍ତ୍ତି ମା’ । ବାଡମେର୍ ଅଲସୁବା ଜିଲ୍ଲା ଡାକ୍ତରଖାନାରୁ ଚୋରି ହୋଇ ଯାଇଥିଲା ତିନି ଦିନର କୁନି ଶିଶୁ । ପୁଅର ମୁହଁକୁ ଭଲରେ ଦେଖିବା ଆଗରୁ ମା’ର କୋଳଶୂନ୍ୟ ହୋଇସାରିଥିଲା । କେହି ଜଣେ ଡାକ୍ତରଖାନାରୁ ନବଜାତକକୁ ଚୋରାଇ ନେଇଥିଲା । ପୁଅକୁ ନପାଇ ବିକଳରେ କାନ୍ଦୁଥିଲେ ମହିଳା ଜଣକ । କେତେବେଳ କାନ୍ଦି କାନ୍ଦି ବେହୋସ ହୋଇଯାଉଥିଲେ ତ ଆଉ କେତେବେଳେ ପୁଅକୁ ଖୋଜି ଆଣିବାକୁ ସ୍ୱାମୀ ନିକଟରେ ଗୁହାରୀ କରୁଥିଲେ । ଏପରିକି କାନ୍ଦି କାନ୍ଦି ପୁଅକୁ ଫେରାଇ ଦିଅ କହି ଚୋର ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଅଭିଯୋଗ ପରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ ନବଜାତକକୁ ଖୋଜାଖୋଜି କରୁଥିଲେ ।

ଏ ମାମଲାରେ ଲଗାତାର ତିନି ଦିନ ଧରି ନାକେଦମ୍ ହେବାପରେ ବି ଚୋରକୁ ଧରି ପାରିଲାନି ପୋଲିସ୍ । ଶିଶୁକୁ ଉଦ୍ଧାର କରିବା ସହ ତା’ର ସୁରକ୍ଷା ନେଇ ମଧ୍ୟ ଚିନ୍ତାରେ ଥିଲା ଜିଲ୍ଲା ପୋଲିସ । ନବଜାତକ ଚୋରି ମାମଲାକୁ ଗୁରୁତର ସହ ନେଇ ୬ ଟି ଭିନ୍ନ ଭିନ୍ନ ଟିମ୍ ଗଠନ ହୋଇଥିଲା । ଗୋଟିଏ ଗୋଟିଏ ଟିମରେ ୧୦୦ ପୋଲିସ ଥିବା ସହ ଜୋରସୋରେ କୁନି ଶିଶୁକୁ ଖୋଜାଖୋଜି କରାଯାଇଥିଲା ।

ଅନ୍ୟପଟେ ବାଡମର୍ ବିଧାୟକ ମେବାରାମ ଜୈନ୍ ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଥିଲେ । ସୋସିଆଲ ମିଡିଆରେ ଶିଶୁର ଫଟୋ ଏବଂ ସୂଚନା ଦିଆଯାଇଥିଲା । ତେବେ କିଛି ଦିନ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା କୁନି ଶିଶୁର ଫଟୋ । ଫଳରେ ଚୋରକୁ ଆଉ ବୁଦ୍ଧି ବାଟ ଦିଶିଲା ନାହିଁ । ତେଣୁ ଶେଷରେ ନବଜାତକୁ ଫେରାଇବା ଭଲ ହେବ ଚିନ୍ତା କରି ରାସ୍ତାରେ ଛାଡ଼ି ପଳାଇଥିଲା । ଏବେ ମା’ କୋଳକୁ ଫେରିଛି ନବଜାତକ । କୁନି ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲଥିବା ଜଣାପଡ଼ିଛି । ତେବେ କିଛି ଦିନ ପାଇଁ ତାକୁ ନୀରିକ୍ଷଣରେ ରଖାଯିବ ।