• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ସହ ପିଜ୍ଜା ଖାଇଲେ ମୀରାବାଈ ଚାନୁ ।

  • ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

  • ସେଠାରେ ଚାନୁଙ୍କ ପାଇଁ ପିଜ୍ଜା ମଗାଯାଇଥିଲା ।

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ସହ ପିଜ୍ଜା ଖାଇଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ । ଗତକାଲି ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଚାନୁଙ୍କ ପାଇଁ ପିଜ୍ଜା ମଗାଯାଇଥିଲା । ଆଉ ତାଙ୍କ ସହ ମିଶି ପିଜ୍ଜା ଖାଇଥିଲେ ସମାରୋହରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ, ଅନୁରାଗ ଠାକୁର, ନୀତୀଶ ପରମାଣିକ ଓ ଚାନୁଙ୍କ କୋଚ ।

ଏହି ସମୟର ଫଟୋକୁ ନିଜେ ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ । ଟୋକିଓରେ ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ଚାନୁ, ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବା ଲାଗି ପିଜ୍ଜା ସମେତ ନିଜ ମନ ପସନ୍ଦର ଅନ୍ୟ ଖାଦ୍ୟ ସବୁ ଛାଡି ଦେଇଥିଲେ । ମେଡାଲ ଜିତିବା ପରେ ସେ ପିଜ୍ଜା ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆଉ ଗତକାଲି ତାଙ୍କର ଏହି ଆଶା ପୂରଣ ହୋଇଛି ।

ଅନ୍ୟପଟେ ମୀରାବାଈ ଚାନୁଙ୍କ ରୌପ୍ୟ ପଦକ ହୋଇପାରେ ସ୍ୱର୍ଣ୍ଣ । ଏହାକୁ ନେଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି । ଭାରତର ୨୬ ବର୍ଷୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଶନିବାର ଟୋକିଓ ଅଲମ୍ପିକ୍‌ରେ ଭାରୋତ୍ତୋଳନରେ ଦେଶ ପାଇଁ ପ୍ରଥମ ରୌପ୍ୟ ପଦକ ଜିତି ‍ଇତିହାସ ରଚିଛନ୍ତି । ଟୋକିଓ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଫୋରମ୍‌ରେ ମହିଳା ୪୯ କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରି ମୀରାବାଇ ଚାନୁ ପ୍ରତିଯୋଗିତାରେ ତାଙ୍କର ଚାରୋଟି ସଫଳ ପ୍ରୟାସରେ ମୋଟ ୨୦୨ କିଲୋଗ୍ରାମ ଉଠାଇଥିଲେ । ଏଥି ସହିତ ଚୀନ୍‌ର ହୋ ଜିହୁଇ ୨୧୦ କିଲୋଗ୍ରାମ ଉଠାଇ ସ୍ୱର୍ଣ୍ଣ ପଦକ ଜିତି ଏକ ନୂଆ ଅଲିମ୍ପିକ୍ ରେକର୍ଡ ତିଆରି କରିଛନ୍ତି । ସେହିପରି ଇଣ୍ଡୋନେସିଆର ୱିଣ୍ଡି କେଣ୍ଟିକା ଆୟେଶା ମୋଟ ୧୯୪ କିଲୋଗ୍ରାମ ଉଠେଇ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି । 

ତେବେ ଏହା ଆଶ୍ଚର୍ଯ୍ୟର କଥା ଯେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିବାର ଦୁଇ ଦିନ ପରେ ଖବର ଆସୁଛି ଯେ, ଏହି ଭାରତୀୟ ଖେଳାଳିଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣରେ ପରିଣତ ହୋଇପାରେ । ଯଦି ଏପରି ହୁଏ ତେବେ ଏହା ଭାରତୀୟ ଖେଳାଳିଙ୍କ ପାଇଁ ସବୁଠାରୁ ବଡ ସଫଳତା ହେବ ବୋଲି ଆଶା କରାଯାଉଛି ।

ନ୍ୟୁଜ୍ ଏଜେନ୍ସି ANIର ସୂଚନା ଅନୁଯାୟୀ ଚୀନ୍‌ର ଭାରୋତ୍ତୋଳନକାରୀ ହୋ ଜିହୁଇ ଡୋପିଂ ବିରୋଧୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରୀକ୍ଷା କରାଯିବେ । ଯଦି ସେ ଏହି ପରୀକ୍ଷାରେ ବିଫଳ ହୁଅନ୍ତି ତେବେ ଭାରତର ମୀରାବାଇ ଚାନୁଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ । ସୂଚନାନୁସାରେ, ଡୋପିଂ ଟେଷ୍ଟ ପାଇଁ ହୋ ଜିହୁଇଙ୍କୁ ଟୋକିଓରେ ରହିବାକୁ କୁହାଯାଇଛି ।