• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥିରୁବନ୍ତପୁରମ୍ : କରୋନା ପରେ ଏବେ ନିପାହ ଭାଇସର ଭୟ । କେରଳରେ ଏବେ ଭୟ ସୃଷ୍ଟି କରୁଛି ନିପାହ ଭାଇରସ । ନିପାହ ଭାଇରସ ସଂକ୍ରମଣ ଯୋଗୁଁ ଜଣେ ୧୨ ବର୍ଷର ବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ । ସଂପୃକ୍ତ ବାଳକ କୋଝିକୋଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ହେଲେ ଗତ ରାତିରେ ଅଚାନକ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଥିଲା । ହସ୍ପିଟାଲର ଏକ ଟିମ୍ ବାଳକଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ନିରାଶ ହୋଇଛନ୍ତି । ଆଜି ଭୋର୍ ୫ଟାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

୧୨ ବର୍ଷର ବାଳକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ କ୍ୱାରେଣ୍ଟିନରେ ରହିଛନ୍ତି । ନିପାହ ଭାଇରସ ସଂକ୍ରମଣରେ ଜଣଙ୍କ ମୃତ୍ୟୁ ହେବା ପରେ କୋଝିକୋଡ଼ିରେ ଏହା ଉପରେ ତୀକ୍ଷଣ ନଜର ରଖାଯିବା ସହ କଡା କଟକଣା ଲାଗୁ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ଟିମ୍ କୋଝିକୋଡ଼ି ଗସ୍ତ କରି ନୀରିକ୍ଷଣ କରୁଛନ୍ତି । ୨୦୧୮ ମସିହା ମେ ମାସ ୧୯ ରେ କେରଳରେ ପ୍ରଥମ ଥର ପାଇଁ ନିପହା ଭାଇରସ ଜନିତ ସଂକ୍ରମଣର ପ୍ରଭାବ ଦେଖିବାକୁ ମିଳିଥିଲା । ସେହିପରି ଜୁନ୍ ୧ ସୁଧା ନିପାହ କାରଣରୁ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ କୋଝିକୋଡେ ଏବଂ ମଲ୍ଲପୁରାମ ଜିଲ୍ଲାରେ ନିପାହ କାରଣରୁ ୧୨ ଜଣଙ୍କ ମୃତ୍ୟୁ ପରେ ବିଶେଷଜ୍ଞମାନେ ବାଦୁଡ଼ି ଠାରୁ ନମୁନା ସଂଗ୍ରହ କରିଥିଲେ । ପରବର୍ତ୍ତୀ ସମୟରେ ଫ୍ରୁଟ ବ୍ୟାଟ୍ ପ୍ରଜାତିର ବାଦୁଡ଼ିଙ୍କୁ ମାରାତ୍ମକ ରୋଗର ବାହକ ଭାବରେ ଚିହ୍ନଟ କରାଯାଇଥିଲା।

ଅନ୍ୟପଟେ କେରଳ କରୋନା ମହାମାରୀର ସହ ମଧ୍ୟ ଲଢୁଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୯ ହଜାର ୨୩୭ ଟି ନମୁନା ପରୀକ୍ଷା ହୋଇଥିବାବେଳେ ସେଥିମଧ୍ୟରୁ ୨୯ ହଜାର ୬୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ମୋଟ୍ ୧୪୨ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧ ହଜାର ୪୨୨କୁ ବୃଦ୍ଧି ହୋଇଛି । ରାଜ୍ୟରେ ବର୍ତ୍ତମାନ ମୋଟ୍ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୫୦ ହଜାର ୬୫ ।