• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: କୁନି ଝିଅର ଅନୁରୋଧ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦରେ ୧୦ ବର୍ଷର ଝିଅ ଅନିଶାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ସାକ୍ଷାତକାର ଯେତିକି ରୋଚକ ତାଠୁ ଅଧିକ ରୋଚକ ଏହା ପଛର କାହାଣୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ମେଲ୍‌ କରି ଆପୋଏଣ୍ଟମେଣ୍ଟ ନେଇଥିଲେ ଅନିଶା । ଆଉ ଆପୋଏଣ୍ଟମେଣ୍ଟ ମିଳିବା ପରେ ଆଜି ମୋଦିଙ୍କୁ ଭେଟିଛନ୍ତି ୧୦ ବର୍ଷର ଝିଅ ଅନିଶା ପାଟିଲ ।

ଅନିଶା ପାଟିଲ ହେଉଛନ୍ତି ଅହମ୍ମଦନଗର ସାଂସଦ ସୁଜୟ ଭିଖେ ପାଟିଲଙ୍କ ଝିଅ । ଖାଲି ସେତିକି ନୁହେଁ ମହାରାଷ୍ଟ୍ରର ଭେଟେରାନ୍ ନେତା ରାଧାକ୍ରିଷ୍ଣ ପାଟିଲଙ୍କ ନାତୁଣୀ ମଧ୍ୟ ଅନିଶା । ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଅନିଶା, ସାଂସଦ ବାପାଙ୍କୁ ବାରମ୍ବାର ଅନୁରୋଧ କରିଥିଲେ । ତେବେ ତାହା ସମ୍ଭବ ନହେବାରୁ ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ମେଲ୍ କରିଥିଲେ ଅନିଶା । ମେଲ ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦି ଅନିଶାଙ୍କୁ ଡକାଇଥିଲେ ଏବଂ ଆଜି ତାଙ୍କୁ ସଂସଦରେ ଭେଟିଛନ୍ତି ।

ମଜା କଥା ହେଉଛି ଏହି ୧୦ ବର୍ଷର କୁନି ଝିଅ ଅନିଶା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଲା । ଆଉ ମୋଦି ଧର୍ଯ୍ୟର ସହ ତାଙ୍କ କଥା ଶୁଣୁଥିଲେ । ଖାଲି ସେତିକି ନୁହେଁ ଅନିଶାଙ୍କ ସବୁ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ବାପାଙ୍କୁ ବାରମ୍ବାର ଗୁହାରି କରି ନିରାଶ ହେବା ପରେ, ଦିନେ ବାପାଙ୍କ ଲାପ୍‌ଟପ୍‌ ଖୋଲିଥିଲେ ଅନିଶା । ଆଉ ସେଥିରେ ମେଲ୍‌ ଅନ୍‌ କରି ମୋଦିଙ୍କୁ ଭେଟିବା ପାଇଁ ମେଲ୍‌ରେ ଆପୋଏଣ୍ଟମେଣ୍ଟ ମାଗିଥିଲେ । ଅନିଶା ନିଜ ମେଲ୍‌ରେ ଲେଖିଥିଲେ ଯେ, ହାଲୋ ସାର୍‌ ମୁଁ ସତରେ ଆପଣଙ୍କ ପାଖକୁ ଯାଇ ଭେଟିବାକୁ ଚାହୁଁଛି । ଏହାର ଉତ୍ତରରେ ମୋଦି ଲେଖିଥିଲେ ଦୌଡ଼ିକି ପଳେଇ ଆସ । ମୋଦିଙ୍କ ଏହି ଉତ୍ତର ପାଇବା ପରେ ଅନିଶାଙ୍କ ଖୁସିର ସୀମା ରହିନଥିଲା । ଆଉ ମୋଦିଙ୍କୁ ଭେଟିବା ପାଇଁ ସେ ପ୍ରସ୍ତୁତ ହେଲେ । ଶେଷରେ ଆଜି ସେ ସଂସଦରେ ମୋଦିଙ୍କୁ ଭେଟି ତାଙ୍କର ସ୍ୱପ୍ନ ପୂରଣ କରିଛନ୍ତି ।