• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ଭାରତ କୋଭିଡ ମହାମାରୀ ସମୟରେ ଯେଉଁଭଳି ସଠିକ୍‌ ପରିଚାଳନା କରିଛି ସେଭଳି ଅନ୍ୟ କେଉଁ ଦେଶ କରିପାରିବେନି । କୋଭିଡ ପରିଚାଳନା କ୍ଷେତ୍ରରେ ସରକାର ସୁପ୍ରିମକୋର୍ଟରେ ନିଜସ୍ୱ ପକ୍ଷ ରଖିବା ପରେ ଏଭଳି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କରୋନା ଭଳି ମହାମାରୀ ସମୟରେ ମୃତକଙ୍କ ପରିବାରକୁ ୫୦ହଜାର ଟଙ୍କା କ୍ଷତିପୂରଣ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ।

କରୋନା ଭଳି ମହାମାରୀ ସମୟରେ ଆମ ଦେଶରେ ବହୁଳ ଜନସଂଖ୍ୟା ଏବଂ ପ୍ରତିକୂଳ ଅର୍ଥନୈତିକ ବ୍ୟବସ୍ଥା ସତ୍ତ୍ୱେ ଭାରତ ମହାମାରୀ ମୁକାବିଲା କ୍ଷେତ୍ରରେ ଦୃଢ ପଦକ୍ଷେପ ଗ୍ରହଣ କରିଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ବା NDMA ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଦିଆଯିବା ନେଇ ସୁପାରିଶ କରାଯାଇଥିବା ନେଇ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର । ଏମିତିକି ଏହି କ୍ଷତିପୂରଣ କେବଳ ପ୍ରଥମ କିମ୍ବା ଦ୍ୱିତୀୟ ଲହରରେ ନୁହେଁ, ଆଗକୁ ମଧ୍ୟ ଜାରି ରହିବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ର ।

ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, କୋଭିଡ୍‌ରେ ମୃତ୍ୟୁ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସାହାଯ୍ୟ କରାଯିବ । ସବୁ ରାଜ୍ୟର ସରକାର ଏହି ସହାଯ୍ୟ ଯୋଗାଇଦେବେ । ଆଗକୁ ମଧ୍ୟ ଯାହାର ମୃତ୍ୟୁ ହେବ କରୋନାରେ, ତାଙ୍କ ପରିବାରକୁ ଏହି ସହାୟତା ମିଳିବ ।

ଦରକାରୀ କାଗଜପତ୍ର ଦାଖଲ କରିବାର ୩୦ ଦିନ ଭିତରେ ଏହି ୫୦ ହଜାର ଟଙ୍କା ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଜିଲ୍ଲା ପ୍ରଶାସନ ଜରିଆରେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ଦିଆଯିବ । ସାରା ଦେଶରେ ୪ ଲକ୍ଷ ୪୫ ହଜାରରୁ ଅଧିକ ଜୀବନ ନେଇଛି ମହାମାରୀ କୋଭିଡ । କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ, କେତେ ଟଙ୍କା ଦିଆଯିବ ଓ ଏହାର ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବାକୁ ଗତ ଜୁନ୍‌ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାଲାଗି ଆବେଦନ ହୋଇଥିଲା ।

କେନ୍ଦ୍ର ସରକାର କ୍ଷତିପୂରଣ ପ୍ରସଙ୍ଗରେ କହିଥିଲେ ଯେ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ‌େହବ ନାହିଁ । କାରଣ ଏଭଳି କ୍ଷତିପୂରଣ ପ୍ରଦାନ କରାଗଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ । ରାଜ୍ୟମାନେ ଅନ୍ୟ ବିପର୍ଯ୍ୟୟର ମୁକାବିଲା କରିପାରିବେ ନାହିଁ । ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ଏନ୍‌ଡିଏମ୍‌ଏର ଧାରା ୧୨ରେ ବିପର୍ଯ୍ୟୟ ମୃତ୍ୟୁରେ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ରହିଛି । ଏହାକୁ ପୂରଣ କରିବା ହେଉଛି ସରକାରଙ୍କ ଦାୟିତ୍ୱ । ତେବେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସମ୍ପର୍କରେ ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି ।