• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ହାତୀକୁ ଘଉଡ଼ାଇବାକୁ ବନ କର୍ମଚାରୀଙ୍କ ଉଦ୍ୟମ

  • ଭୟରେ ବାରିପଦା-ତକତପୁର ରାସ୍ତାରେ ଚଳପ୍ରଚଳ ବନ୍ଦ

ବାରିପଦା ( ମାନିକ୍ ଲାଲ୍ ପାଣି ) : ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି । ଯଦିଓ ଦନ୍ତାଟି କାହାରି କିଛି କ୍ଷତି କରି ନାହିଁ, ତେବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରିପଦା-ତକତପୁର ରାସ୍ତାରେ ଚଳପ୍ରଚଳକୁ ବନ୍ଦ କରିଛି ପ୍ରଶାସନ । ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି ବନ କର୍ମଚାରୀ । କିଛି ଦିନ ହେଲା ଦେଉଳି ରେଞ୍ଜ ଅଞ୍ଚଳରେ ଗୋଟିଏ ହାତୀ ପଲ ରହିଛନ୍ତି । ସେହି ପଲ ଭିତରୁ ଗୋଟିଏ ହାତୀ କଲେଜ ପରିସରକୁ ପଶି ଆସିଥିବା ଅନୁମାନ କରାଯାଉଛି ।

ସେପଟେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ବିମ୍ବୋରୀ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଘଟଣା। ଭୋରରୁ ଜଙ୍ଗଲରେ ହାତୀ ଦଳ ଯାଉଥିବା ବେଳେ ଦନ୍ତାଟି କୂଅରେ ପଡିଯାଇଥିଲା । ଗାଁଲୋକଙ୍କଠୁ ଖବର ପାଇ ବନବିଭାଗ ପକ୍ଷରୁ ଗଜ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାଟି ଲେବଲିଂ କରାଯାଇ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଦନ୍ତା ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇ ଯାଇଛି ।

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ହାତୀ ଉପଦ୍ରବ ।  ଦୀର୍ଘ ୧୫ ଦିନ ହେବ ଦୁଇଟି ଗୋଠଛଡ଼ା ଦନ୍ତା ହାତୀ ଆସି ଉପଦ୍ରବ ଚଳାଇଛନ୍ତି ।  ସ୍ଥାନୀୟ ଧରଣୀଧର ପାଲି, ନୂଆପାଲି, ତଳିତା, ବାଘପାଲି, ଗୋଗୁଆ, ଯାକେଇକରଲା, ଦେଓପୋଷ ପ୍ରଭୃତି ଅଂଚଳରେ ଧାନ ଫସଲ ନଷ୍ଟ କରୁଛନ୍ତି ।  ଧାନ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।  ଅଂଚଳରେ ହାତୀ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।  ସେପଟେ ହାତୀଙ୍କୁ ଘଉଡ଼ାଇବାକୁ ପ୍ରୟାସ ଚଳାଇଛି ବନବିଭାଗ ।  ଗ୍ରାମବାସୀଙ୍କ ସହ ହାତୀ ଘଉଡ଼ାଉଛନ୍ତି ବନବିଭାଗର ଟିମ  । ନଷ୍ଟ ହୋଇଥିବା ଫସଲର ଆକଳନ ପରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।