• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କାର୍ତ୍ତିକ ମାସରେ ବେଲଗାମ ପରିବା ଦର ।

  • ବିଭିନ୍ନ ସହରରେ ଅଧିକାଂଶ ପରିବା ଦର ୫୦ ଟଙ୍କା ଉପରେ ।

  • ପୋଟଳ, କଲରା, ଭେଣ୍ଡି ଆଦି ପରିବା ବିକ୍ରି ହେଉଛି ୮୦ଟଙ୍କାରେ ।

ଭୁବନେଶ୍ୱର, (ରିପୋର୍ଟ- ମନୋଜ ସ୍ୱାଇଁ/ ରଞ୍ଜିରଞ୍ଜନ ଦାସ/ ଅଶୋକ ବ୍ରହ୍ମା): କାର୍ତ୍ତିକ ମାସରେ ହୁ ହୁ ହୋଇ ବଢିଛି ପରିବା ଦର । ସାରା ରାଜ୍ୟରେ ପରିବା ଦର ଆକାଶ ଛୁଆଁ । ଅଧିକାଂଶ ପରିବା ଏବେ ୫୦ଟଙ୍କା ଉପରେ । ବାଲେଶ୍ୱରରେ କଲରା, ପୋଟଳ, କାକୁଡ଼ି, ଟମାଟୋ, ଭେଣ୍ଡି ଓ ବିନ୍ସ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବ୍ରହ୍ମପୁରରେ ବିନ୍ସ କିଲୋ ୧୦୦ ଛୁଇଁଛି । ଏପଟେ କେନ୍ଦ୍ରାପଡା ସହର ମଧ୍ୟରେ ଥିବା ବଡ଼ହାଟରେ ବିକ୍ରି ହେଉଥିବା ପରିବା ଦରରେ ହାତ ମାରି ହେଉନାହିଁ । କାର୍ତ୍ତିକ ମାସ ପାଇଁ ଆମିଷ ଛାଡିଥିବା ଲୋକଙ୍କ ପାଇଁ ଏବେ ପରିବା କିଣି ଖାଇବା ମୁସ୍କିଲ ହୋଇ ପଡିଛି । କାର୍ତ୍ତିକରେ ପରିବା ଉପରେ ଅଧିକ ନିର୍ଭରଶୀଳତା ଯୋଗୁଁ ଏଭଳି ସ୍ଥିତି ଉପୁଜି ଥିବା କୁହାଯାଉଛି । 

କାର୍ତ୍ତିକ ମାସରେ ପନିପରିବା ଦରକୁ ନେଇ ଅତିଷ୍ଠ ଗ୍ରାହକ । ଘରକୁ କେଉଁ ପରିବା ନେଲେ ଚଳିଯିବ, ଲୋକେ ଆକଳନ କରିପାରୁନାହାନ୍ତି । ଅଧିକାଂଶ ପରିବା ଦର ଏବେ ୫୦ଟଙ୍କା ଉପରେ ଥିବାରୁ ଯିଏ ବି ପରିବା ଘରକୁ ନେଉଛି ଆଗଭଳି ନେଉନାହାନ୍ତି ବରଂ ଅଧକିଲୋ, ଅଢେଇଶହରେ ଚଳାଇ ଦେଉଛନ୍ତି ଗ୍ରାହକ ।

କେନ୍ଦ୍ରାପଡା ସହର ମଧ୍ୟରେ ଥିବା ବଡ଼ହାଟ କଥା ଦେଖିବା ଯଦି ଲୋକଙ୍କ ଗହଳି ଚହଳି ଅଛି । ହେଲେ କିଣାବିକା ପୁରା ମାନ୍ଦା । ପରିବା କିଣି ନେବା ପାଇଁ ହାଟକୁ ଆସିଥିବା ଗ୍ରାହକ କିନ୍ତୁ ପରିବା ଦର ଶୁଣି ମୁହଁ ବୁଲାଇ ନେଉଛନ୍ତି । ଏଠାରେ ବାଇଗଣ କିଲୋ ୫୦ ଟଙ୍କା, ଟମାଟୋ ୭୦, ଝୁଡଙ୍ଗ ଶହେ, କଲରା ୮୦, ଗାଜର ୭୦ ଟଙ୍କାରେ ବିକ୍ରି ହେଉଛି । ୫ଶହ ଟଙ୍କାର ପରିବା କିଣିଲେ ବି ବ୍ୟାଗ ଫୁଲ୍ ହେଉନି । କେବଳ ବଡ଼ହାଟ ନୁହେଁ, ସହରର ଅନ୍ୟ ହାଟରେ ମଧ୍ୟ ସମାନ ସ୍ଥିତି ।

ଏପଟେ ବାଲେଶ୍ୱରରେ ମଧ୍ୟ କିଛି କମ୍ ନୁହେଁ ପରିବା ଦର । ଏଠାରେ ପରିବା ଦର ପ୍ରାୟ ୮୦ ଟଙ୍କା ପାଖାପାଖି । କଲରା, ପୋଟଳ, କାକୁଡ଼ି, ଟମାଟୋ, ଭେଣ୍ଡି ଓ ବିନ୍ସ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି । ବିଭିନ୍ନ କାରଣ ପାଇଁ ପରିବା ଦର ଉଚ୍ଚା ଥିବା କହିଛନ୍ତି ବ୍ୟବସାୟୀ । କାର୍ତ୍ତିକ ମାସରେ ପନିପରିବାର ଆବଶ୍ୟକତା ବଢିଯାଇଥିବା ବେଳେ ପ୍ରତିକୂଳ ପାଗକୁ ମଧ୍ୟ ଦାୟୀ କରାଯାଇଛି । ବାହାର ରାଜ୍ୟରୁ ଅଧିକ ଦରରେ କିଣି ପରିବା ବ୍ୟବସାୟୀ ଉଚ୍ଚା ଦରରେ ବିକିବାକୁ ବାଧ୍ୟ ହେଉଥିବା କହିଛନ୍ତି ।

ବ୍ରହ୍ମପୁରରେ ମଧ୍ୟ ସମସ୍ତ ପରିବା ଦର ୫୦ଟଙ୍କା ଉପରେ । ଏଠାରେ ଟମାଟୋ, ପୋଟଳ, ଫୁଲକୋବି ଦର କେଜି ପ୍ରତି ରହିଛି ୭୦ ଟଙ୍କା । ଖାଲି କେନ୍ଦ୍ରାପଡା, ବାଲେଶ୍ୱର, ବ୍ରହ୍ମପୁର ନୁହେଁ, ରାଜ୍ୟର ସମସ୍ତ ସ୍ଥାନରେ ଏବେ ଉଚ୍ଚା ରହିଛି ପରିବା ଦର ।