• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ ।

  • ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ ।

  • ତିନିଟି ଟ୍ରକକୁ ଅଟକାଇଲେ କଂଗ୍ରେସ କର୍ମୀମାନେ ।

ସୋନପୁର: ସୋନପୁର ବିନିକାରୁ ତିନି ଟ୍ରକ୍ ୟୁରିଆ ସାର ଜବତ । ସନ୍ଧ୍ୟାରେ ବିନିକା ସହରର ନୂଆ ବଜାରରେ ଚୋରା ୟୁରିଆ ସାର ଯାଉଥିବା ସନ୍ଦେହ କରି କଂଗ୍ରେସ କର୍ମୀମାନେ ତିନିଟି ଟ୍ରକକୁ ଅଟକାଇ ଥିଲେ । ଏହି ତିନିଟି ଟ୍ରକରେ ୧ ହଜାର ବସ୍ତା ୟୁରିଆ ସାର ସମ୍ବଲପୁରରୁ ବୌଦ୍ଧ ଜିଲ୍ଲାର ବାଉଁଶୁଣିକୁ ଯାଉଥିଲା । ତେବେ ବିନିକା ବ୍ଲକ୍  ଯୁବ କଂଗ୍ରେସ କର୍ମୀ ପ୍ରଦୀପ ସେଠୀ ଓ ଅନ୍ୟମାନେ ଟ୍ରକକୁ ଅଟକ ରଖିଥିଲେ । ରାଜ୍ୟରେ ଚାଷୀଙ୍କ ପାଇଁ ସାର ଅଭାବକୁ ନେଇ ବିଧାନସଭାରେ ହୋ-ହ୍ଲଲା ହେଉଥିବା ବେଳେ ଏପେଟେ ୩ଟି ଟ୍ରକରେ ଏତେ ପରିମାଣର ସାର ଚାଲାଣ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି । ତେବେ କଂଗ୍ରେସ କର୍ମୀଙ୍କ ଗାଡ଼ି ଅଟକ ପରେ ସାରବସ୍ତାକୁ ସ୍ଥାନୀୟ ଏକ ଡିଲରଙ୍କୁ ଦିଆଯାଇଥିବା ସୂଚନା ମିଳିଛି ।

ଗୋଟିଏ ପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ସାର କଳା ବଜାରୀ ଦୁଃଖକୁ ଦ୍ୱିଗୁଣିତ କରିଛି । ସାରର କଳାବଜାରୀ ଚାଷୀଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ହୋଇଛି । ଏଭଳି ଘଟଣା କେବଳ ସୋନପୁରରେ ନୁହେଁ ନବରଙ୍ଗପୁରର ଓ ଭଦ୍ରକ ବାସୁଦେବପୁରରୁ ମଧ୍ୟ ଆସିଛି ଏଭଳି ଅଭିଯୋଗ ।

ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଗୋଟିଏ ବସ୍ତା ୟୁରିଆ ସାର ପାଇଁ ଲାଇନରେ ଲାଗିଛି ଆଧାରକାର୍ଡ ଓ ଜମିପଟ୍ଟା । ଜିଲ୍ଲାରେ ୪୫ ହଜାର ମେଟ୍ରିକ ଟନ୍ ୟୁରିଆର ଆବଶ୍ୟକ ଥିବାବେଳେ ଆସିଛି ମାତ୍ର ୨୫ ହଜାର ୩୫୮ ଟନ୍ । ସାରର ଏଭଳି ସଙ୍କଟ ସ୍ଥିତିରେ ବସ୍ତାଏ ୟୁରିଆ ନେବାକୁ ଚାଷୀ ଏଠି ବିକଳ । ତେଣେ ଭଦ୍ରକ ବାସୁଦେବପୁରରେ ଚଢ଼ା ଦାମ୍‌ରେ ସାର ବିକ୍ରି ହେଉଥିବାର ଫାଇଦା ନେଇ ଅସାଧୁ ସାର ବ୍ୟବସାୟୀ ନାମୀ ଦାମୀ ବ୍ରାଣ୍ଡ ନାଁରେ ନକଲି ସାର ବିକ୍ରିର ଜାଲ ବିଛାଇଛନ୍ତି । ଯାହାକୁ କ୍ଷେତରେ ପକାଇଲେ ପାଣି ଉପରେ ଭାସୁଛି ।

ଅନ୍ୟପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ଦାଉରେ ମାଟି ଫାଟି ଆଁ କଲାଣି । ଚାଷୀର ଭାତହାଣ୍ଡି ଆଜି ଶୁଖିଲା ପଡ଼ିଛି । କେଉଁଠି ଧାନଗଛ ହଳଦିଆ ପଡ଼ିଗଲାଣି ତ ଆଉ କେଉଁଠି ଗୋରୁ ଚରିଲେଣି । ଆସନ୍ନ ମରୁଡ଼ିର ଚିତ୍ର ବୟାନ କରୁଛି ବଲାଙ୍ଗିର ଜିଲ୍ଲାର ଅନେକ ଚାଷ ଜମି । ଯେଉଁଠି ଜଣେ ଚାଷୀ ଚାଷରେ କ୍ଷତି ଯୋଗୁଁ ଆତ୍ମହତ୍ୟା କରିଛନ୍ତି । 

ପାଣିପାଗ ବିଭାଗର ତଥ୍ୟ କହୁଛି ଚଳିତ ବର୍ଷ ଓଡ଼ିଶାର ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଅଗଷ୍ଟ ଅପେକ୍ଷା ଚଳିତ ମାସରେ ଅଧିକ ବର୍ଷାର ସମ୍ଭାବନା ରହିଛି ।