• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଚର୍ଚ୍ଚାରେ ଶ୍ରୀମନ୍ଦିର ଡ୍ରେସକୋଡ୍‌ ।

  • କୁମାରପୂର୍ଣ୍ଣମୀ ପରଠୁ ସେବାୟତ ପିନ୍ଧିବେ ପାରମ୍ପରିକ ପୋଷାକ ।

  • ଦିପାବଳୀ ପରେ ମନ୍ଦିର କର୍ମଚାରୀ ଓ ଜେଟିପିଙ୍କ ପାଇଁ ବାଧ୍ୟତାମୂଳକ  ।

ପୁରୀ: ଦେଶର କିଛି ପ୍ରାଚୀନ ଓ ବଡ଼ ମନ୍ଦିରରେ ପ୍ରବେଶ ପୂର୍ବରୁ ରହିଛି ସ୍ୱତନ୍ତ୍ର ଡ୍ରେସକୋର୍ଡ ନିୟମ । ଅର୍ଥାତ୍ ସେବକ ହୁଅନ୍ତୁ କି କର୍ମଚାରୀ ଅବା ଭକ୍ତ, ସମସ୍ତେ ପାରମ୍ପରିକ ପୋଷାକ ପିନ୍ଧିବାକୁ ବାଧ୍ୟ । ତାକୁ ଆଖିରେ ରଖି ଶ୍ରୀମନ୍ଦିରରେ ବି ଏଭଳି ବ୍ୟବସ୍ଥା ଲାଗୁ ପାଇଁ ହୋଇଛି ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ କୁମାରପୂର୍ଣ୍ଣମୀ ପରଦିନଠୁ ସେବାୟତ ଓ ଦୀପାବଳି ପରଦିନଠୁ କର୍ମଚାରୀ ପାରମ୍ପରିକ ପୋଷାକ ପିନ୍ଧିନଥିଲେ ଗର୍ଭଗୃହକୁ ମିଳିବନି ସେବା କି ଡ୍ୟୁଟି ଅନୁମତି । ପରେ ଭକ୍ତଙ୍କ ପାଇଁ ସମାନ ବ୍ୟବସ୍ଥା ଲାଗୁ ପାଇଁ ଯୋଜନା ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।

ଶ୍ରୀମନ୍ଦିର ସେବାୟତଙ୍କ ପାଇଁ କୁମାର ପୂର୍ଣ୍ଣମୀ କଣ୍ଟ । ପିନ୍ଧିବାକୁ ହେବ ମଠା କି ପାଟ, ଆଉ ଚଳିବନି ସାର୍ଟପ୍ୟାଣ୍ଟ । ଅର୍ଥାତ୍ ଗର୍ଭଗୃହକୁ ଯିବାର ଥିଲେ ଏଣୁତେଣୁ ପୋଷାକ ପିନ୍ଧିଥିଲେ ମିଳିବନି ଅନୁମତି । ଗତ ୧୧ ତାରିଖରେ ଛତିଶା ନିଯୋଗ ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଛି ମୋହର ।

କୁମାର ପୂର୍ଣ୍ଣମୀ ପରଦିନଠୁ ସେବାୟତ ଓ ଦୀପାବଳୀ ପରଦିନଠାରୁ ଗର୍ଭଗୃହକୁ ପ୍ରବେଶ କରି ଡ୍ୟୁଟି କରୁଥିବା ଜେଟିପି ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ବି ଲାଗୁ ହେବ ଡ୍ରେସ କୋଡ୍‌ ନିୟମ । ଯଦି ଏଥିରେ କାହାରିକୁ ବ୍ୟତିକ୍ରମ ଅବସ୍ଥାରେ ଦେଖାଯାଏ ତାହାଲେ ସେମାନଙ୍କୁ ଭିତରକାଠ କି ପୋଖରିଆରେ ସେବା କିମ୍ବା ଡ୍ୟୁଟି ପାଇଁ ଅନୁମତି ମିଳିବ ନାହିଁ । ଛତିଶା ନିଯୋଗର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବରିଷ୍ଠ ସେବାୟତ । ସେ କହିଛନ୍ତି ଏହାଦ୍ୱାରା ଭକ୍ତଙ୍କ ସାମ୍ନାରେ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀ କିଏ ତାହା ସ୍ପଷ୍ଟ ଭାବେ ଜଣାପଡ଼ିଯିବ ।

ତେବେ କଥା ଏଇଠି ସରିନି ଆଗକୁ ସାଧାରଣ ଭକ୍ତ ଓ ଦର୍ଶନାର୍ଥୀଙ୍କ ପାଇଁ ବି ସ୍ୱତନ୍ତ୍ର ଡ୍ରେସ କୋଡ୍‌ ଲାଗୁ ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଆଉ ଏହାପରେ ଏବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆନ୍ଧ୍ରର ତିରୁପତି ମନ୍ଦିର ଭଳି ଦେଶର ବହୁ ପ୍ରାଚୀନ ଓ ବଡ଼ ମନ୍ଦିରରେ ବି ଭକ୍ତଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଡ୍ରେସ କୋଡ୍‌ ବ୍ୟବସ୍ଥା । ତେଣୁ ଜଗନ୍ନାଥ ମନ୍ଦିରରେ ଏହାକୁ କାର୍ଯ୍ୟକାରୀ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ । ସେ କହିଛନ୍ତି ଧାର୍ମିକ ଦୃଷ୍ଟି କୋଣରୁ ଦେବାଳୟରେ ଶାଳୀନତାର ପୋଷାକ ପିନ୍ଧିବାର ଅତ୍ୟନ୍ତ ଆବଶ୍ୟକତା ରହିଛି । ଜଗନ୍ନାଥ ମନ୍ଦିରରେ ପୂର୍ବରୁ ଏଭଳି ନିୟମ ବହୁଦିନ ଧରି ଚାଲିଥିଲା ।

ତେବେ ସାଧାରଣ ଭକ୍ତଙ୍କ ମତରେ, ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କ ପାଇଁ ନିୟମ ଠିକ୍ ଅଛି ହେଲେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କ ଉପରେ ଏଭଳି ନିୟମ ଲଦି ଦେବା ଠିକ୍ ନୁହେଁ । ସେମାନଙ୍କ ଭକ୍ତି ଭାବନାକୁ ମଠା-ପାଟ କିମ୍ବା ପାରମ୍ପରିକ ଡ୍ରେସ୍ କୋଡ୍‌ରେ ସୀମିତ କରିଦେବା ଅନୁଚିତ୍ ।

ବିଗତ କିଛି ବର୍ଷ ଧରି ଶ୍ରୀମନ୍ଦିରରେ ଅନେକ ନୂଆ ନୂଆ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ଏବେ ସେବାୟତ ଓ କର୍ମଚାରୀଙ୍କ ଡ୍ରେସ୍‌କୋଡ୍‌  ନିୟମ ସହ ଆଗକୁ ଭକ୍ତଙ୍କ ପାଇଁ ବି ସମାନ ନିୟମ କେମିତି ଓ କିଭଳି ଫଳପ୍ରଦ ହେଉଛି ତାକୁ ଦେଖିବାର କଥା ।