• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉଦଳା( ମାନସ ପାଣି) :  ସ୍ୱାବଲମ୍ବୀ ହେଲେ ମହିଳା । ଘର ପରିବାର କଥା ବୁଝିବା ସହ ନିଜ ହାତରେ ଭଳି କି ଭଳି ଶାଢ଼ୀ ତିଆରି କରୁଛନ୍ତି । ଏକ ସଂସ୍ଥାର ସହଯୋଗରେ ନିଜେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରୁଛନ୍ତି । ଆଉ ନିଜ ହାତରେ ରଙ୍ଗ ଦେବା ସହ ବୋମକେଇ, କୋଟପାଡ଼, ସିମିନୋଇ ଓ ଡୁମୁରିଆ ଭଳି ଶାଢ଼ୀ ତିଆରି କରୁଛନ୍ତି । ହସ୍ତତନ୍ତରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରି ଆତ୍ମନିର୍ଭରଶୀଳ ହେବା ସହ ପରିବାରକୁ ମଧ୍ୟ ସାହାଯ୍ୟ କରୁଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଚୁଲିଆପୋଷି ଗ୍ରାମର ହସ୍ତତନ୍ତ ପ୍ରଶିକ୍ଷଣ କେନ୍ଦ୍ର । ୨୦୧୮ରେ ମୌନଧ୍ଵନି ଫାଉଣ୍ଡେସନ ନାମକ ସଂସ୍ଥା ଏହି ଗାଁରେ ଆରମ୍ଭ କରିଥିଲା ହସ୍ତତନ୍ତ ପ୍ରଶିକ୍ଷଣ କେନ୍ଦ୍ର। ବିଶେଷ କରି ହଜିଯାଉଥିବା କଳା ଶିଳ୍ପକୁ ଉଜ୍ଜୀବିତ କରିବା ସହ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଥିଲା । ଫଳରେ ବର୍ତ୍ତମାନ ୩୫ ଜଣ ମହିଳା ଏଠାରୁ ପ୍ରଶିକ୍ଷଣ ପାଇ ପରିବାର ପ୍ରତିପୋଷଣ କରୁଛନ୍ତି ! କିଏ ବିଭିନ୍ନ ପ୍ରକାର ତନ୍ତୁରେ ସାଲ ଓ ଶାଢୀ ତିଆରି କରୁଛି ତ ଆଉ କିଏ ପ୍ରାକୃତିକ ଜିନିଷରୁ ରଙ୍ଗ ବାହାର କରୁଛି !

ପୂର୍ବରୁ ଏହି ମହିଳା ମାନଙ୍କ ମଧ୍ୟରୁ କିଏ ପକ୍କା କାମ କରୁଥିଲେ ଆଉ କିଏ ଘରେ ବସି ରହୁଥିଲା । ତେବେ ଏଠାରେ ତନ୍ତୁ କାମ ଶିଖିବା ପରେ ସେମାନେ ଅନେକ ପ୍ରକାର ସୁନ୍ଦର ସୁନ୍ଦର ଶାଢୀ ତିଆରି କରୁଛନ୍ତି । ଏହି ପ୍ରଶିକ୍ଷଣ କେନ୍ଦ୍ରରେ ବିଭିନ୍ନ ପ୍ରକାର ତନ୍ତରେ ବୋମକେଇ, କୋଟପାଡ଼, ସିମିନୋଇ ଓ ଡୁମୁରିଆ ଶାଢୀ ତିଆରି ହୋଇଥାଏ । ତେବେ ଶାଢୀର ରଙ୍ଗ ଓ ସୂତା ପାଇଁ ବିଭିନ୍ନ ପ୍ରକାର ଗଛ ପତ୍ରକୁ ବ୍ୟବହାର କରି ସେଥିରୁ ରଙ୍ଗ ସୁତା ପ୍ରସ୍ତୁତ କରିଥାନ୍ତି ମହିଳାମାନେ ।

ତେବେ ଏହି ସଂସ୍ଥା ମୟୁରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭରଶୀଳ କରିବାର ପ୍ରୟାସ ଜାରିରଖିଛି । ବର୍ତ୍ତମାନ କରୋନା ଯୋଗୁ କଞ୍ଚାମାଲ ଆସିପାରୁ ନଥିବାବେଳେ ତିଆରି ହୋଇ ଥିବା ଜିନିଷ ମଧ୍ୟ ପଡ଼ିରହିଛି । ତଥାପି ହାରି ନାହାନ୍ତି ଏଠାକାର ମହିଳାମାନେ । ପରିଶ୍ରମ ଜାରି ରଖିଛନ୍ତି । ତେବେ ମହିଳା ମାନଙ୍କର ଏହି ଉଦ୍ୟମ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ହୋଇଛି ବୋଲି ସମାଜସେବୀ କହିଛନ୍ତି ।