• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବ୍ରହ୍ମପୁର ମିଲିଟାରି ଲାଇନ୍ ନିକଟ ମୁକ୍ତେଶ୍ୱର ମନ୍ଦିର ପାଖ ବସ୍ତି ଉଚ୍ଛେଦ

  • ୫ ଦିନ ତଳେ ନୋଟିସ୍ ଦେଇ ଉଚ୍ଛେଦ ହେଉଥିବାରୁ ଅସନ୍ତୋଷ

ବ୍ରହ୍ମପୁର(ଜଗନ୍ନାଥ ସାହୁ) : ବ୍ରହ୍ମପୁର ମିଲିଟାରି ଲାଇନ୍ ନିକଟରେ ଥିବା ମୁକ୍ତେଶ୍ୱର ମନ୍ଦିର ପାଖ ବସ୍ତି ଉଚ୍ଛେଦ କରାଯାଉଛି । ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନରଙ୍କ ନେତୃତ୍ୱରେ, ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ଭଙ୍ଗାଯାଇଛି ଘର । ମାତ୍ର ୫ ଦିନ ତଳେ ନୋଟିସ୍ ଦେଇ ପ୍ରଶାସନ ଘର ଭାଙ୍ଗୁଥିବାରୁ ପ୍ରଥମେ ଥଇଥାନ କରି ପରେ ଭାଙ୍ଗିବାକୁ ନେହୁରା ହୋଇଥିଲେ ବସ୍ତି ବାସିନ୍ଦା । ହେଲେ ପ୍ରଶାସନ ନଶୁଣି ବୁଲଡୋଜର ଚଳାଇଥିଲା ।

ଏନଜିଟି ଅର୍ଡରର ଦ୍ୱାହି ଦେଇ ଭଙ୍ଗାଯାଉଛି ବସ୍ତି ଘର । ବର୍ଷ ବର୍ଷ ଧରି ରହି ଆସୁଥିବା ଘରକୁ ପ୍ରଶାସନ ଆଖି ସାମ୍ନାରେ ଭାଙ୍ଗୁଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ବସ୍ତିବାସିନ୍ଦା । ପ୍ରଶାସନ ଓ ପୋଲିସ ପାଖରେ ଯେତେ ନେହୁରା ହେଲେ ବି ସବୁ ବିଫଳ ହୋଇଛି । ଆଜି ବ୍ରହ୍ମପୁର ମହାନଗର ନିଗମ ୧୭ ଓ ୧୯ ନମ୍ବର ୱାର୍ଡ ଅନ୍ତର୍ଗତ ମୁକ୍ତେଶ୍ୱର ମନ୍ଦିର ପୋଖରୀ ବସ୍ତିକୁ ଉଚ୍ଛେଦ ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । କାହାର ବଢିଲା ଝିଅ, କାହାର ଛୋଟ ଛୁଆ । ଆଉ ଏଭଳି ସ୍ଥିତିରେ ସେମାନଙ୍କୁ ନେଇ କୁଆଡେ ଯିବେ, କେଉଁଠି ରହିବେ ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା ।

ଜେସିବି ଆଗରେ ବସି କାନ୍ଦି କାନ୍ଦି ଘର ନଭାଙ୍ଗିବାକୁ ଗୁହାରି କରିଛନ୍ତି । କିଛି ପରିବାରକୁ ନେହେରୁ ନଗରର ରାଜୀବ ଆବାସ ଆପାର୍ଟମେଣ୍ଟରେ ଘର ମିଳିଛି । କେତେକଙ୍କ ନାଁରେ ଘର ଆଲର୍ଟ ହୋଇଥିଲେ ମଧ୍ୟ ବାପା ମାଆ ମରିଯାଇଥିବାରୁ ପୁଅକୁ ଘର ମିଳିପାରିନି । ମାତ୍ର ୫ ଦିନର ନୋଟିସ୍ ପରେ ଉଚ୍ଛେଦ କରାଯାଉଥିବାରୁ ଖୋଲାଖୋଲି ଝାଡ଼ିଛନ୍ତି ଅସନ୍ତୋଷ ।

ବସ୍ତିରେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ରହି ଆସୁଛନ୍ତି ୫୫ ପରିବାର । ଘର ଭଙ୍ଗାଯିବା ପାଇଁ ଗତ ୨୯ ତାରିଖରେ ନୋଟିସ୍ ହୋଇଥିଲା । ଆଉ ଆଜି ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ସେପଟେ ପୂର୍ବରୁ ଏହି ବସ୍ତିରେ ରହୁଥିବା ୫୫ଜଣ ପରିବାରକୁ ଥଇଥାନ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଆଗକୁ ବାକି ଲୋକଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ।