• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋହନା( ମିହିର୍ ଜିତି) : ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ଗାଡି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯାଆସ କରିବାକୁ ଭୟ କରୁଛନ୍ତି ଲୋକେ । ଗମନାଗମନରେ ସୁବିଧା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି ଘାଟି ରାସ୍ତା ଗୁଡ଼ିକରେ କୌଣସି ସୁଧାର ଆସୁନି । ଗଜପତି ଜିଲ୍ଲା ମୋହନା ବ୍ଳକ କମଳାପଦର ଠାରୁ ଆର.ଉଦୟଗିରି ବ୍ଳକ ଘୋଡାପଦର ଓ ତଇ ଗାଁକୁ ସଲଗ୍ନ କରୁଥିବା ଘାଟି ରାସ୍ତା ଏବେ ଜନସାଧାରଣଙ୍କ ପାଇଁ ପାଲଟିଛି ମରଣଯନ୍ତା ।

ଦୀର୍ଘ ବର୍ଷର ଦାବି ପରେ କମଳାପଦର ନିକଟରେ ଏକ ଝୁଲା ପୋଲ ନିର୍ମାଣ ହୋଇଥିଲା । ଆଉ ସେଠାରୁ ସଲଗ୍ନ କରୁଥିବା ୧୩ କିମି ଘାଟି ରାସ୍ତାକୁ ଗତ ୨୦୧୭-୧୮ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧୀନରେ ନିର୍ମାଣ କରାଯାଇଛି । ହେଲେ ସେଠାରେ ନିମ୍ନମାନର ରାସ୍ତା କାମ ହୋଇଥିବା ଅଭିଯୋଗ ହୋଇଛି । କଟିଙ୍ଗ ସଠିକ ଭାବେ କରାଯାଇ ନଥିବା ବେଳେ ଗାର୍ଡ ୱାର୍ଲ ନିର୍ମାଣ କରାଯାଇଛି । ଫଳରେ ଯାନବାହନ ଯିବା ଆସିବା ବାଧାପ୍ରାପ୍ତ ହେବା ସହ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି ।

ଗତ ଫନି ବାତ୍ୟାରେ ଏହି ଘାଟିର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ପରେ ବିଭାଗ ପକ୍ଷରୁ କେବଳ ମାଟି ପକାଇ କାମ ତୁଲାଇ ଦେଇଛନ୍ତି । ଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ଦୁଇ ଖଣ୍ଡ ପଚାଂୟତ କମଳାପଦର, ଗଣ୍ଡୁପଦର, ପାଇକରାଏ, ଖଞ୍ଜମେରା, ଆଖୁବାଡ ସମେତ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଗାଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ଘାଟି ରାସ୍ତାଟି ତୁରନ୍ତ ପୁନଃଉଦ୍ଧାର ସହ ସଠିକ ମରାମତି କରାନଗଲେ, ଆଗାମୀ ଦିନରେ ଅଂଚଳବାସୀ ପଂଚାୟତ ନିର୍ବାଚନ ଭୋଟ ବର୍ଜନ କରିବା ସହ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ନେଇଛନ୍ତି । ଏନେଇ ଗ୍ରାମ୍ୟ ଉନ୍ନୟନ ନିର୍ବାହି ଯନ୍ତ୍ରୀ କହିଛନ୍ତି, ରାସ୍ତା ମରାମତି ପାଇଁ ଅର୍ଥ ମଗାଯାଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅର୍ଥ ମଞ୍ଜୁର ହୋଇନାହିଁ । ଅର୍ଥ ମଞ୍ଜୁର ହେଲେ, ରାସ୍ତା ମରାମତି କାମ ହେବ ।