• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଣାର୍କ(ସଞ୍ଜୟ ପତି) : ନିୟତିର ନିର୍ଦ୍ଦୟ ନିଷ୍ପତ୍ତି । ବୃଦ୍ଧା ବୟସରେ ମାନସିକ ଅନଗ୍ରସର ଭେଣ୍ଡା ପୁଅର ବୋଝ । ଦିଇ ଓଳି ଦିମୁଠା ଖାଇବାକୁ ନାହିଁ । ଓଳିଏ ଖାଇଲେ ଓଳିଏ ଉପାସ । ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କୁସୁମ ଦେଇ । ପୁରୀ ଜିଲ୍ଲା ନିମାପଡା ଉଛୁପୁରୁ ପଂଚାୟତ ବ୍ରାହ୍ମଣ ଖଣ୍ଡି ଗାଁରେ ଅତି ଦୟନୀୟ ଅବସ୍ଥାରେ ଚାଳଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି ମାପୁଅ । ସରକାରଙ୍କ ମାଳ ମାଳ ଯୋଜନାରୁ ସେ କିଛି ବି ଲାଭ ଉଠାଇ ପାରୁନାହାନ୍ତି ।

ସବୁ ବାପାମା ଚାହାନ୍ତି ପୁଅଟିଏ ହେଲେ ପରିଣତ ବୟସରେ ଆଶା ବାଡିଟିଏ ସାଜିବ । ହେଲେ କୁସୁମ ଦେଇଙ୍କ ପାଇଁ ବିଧିର ବିଧାନ ଥିଲା ଓଲଟା । ପରିଣତ ବୟସରେ ମାନସିକ ବିକୃତ ଭେଣ୍ଡା ପୁଅ ପାଇଁ ସେ ଆଶା ବାଡି ସାଜିଛନ୍ତି । ପରିବାର କହିଲେ ବୃଦ୍ଧା ମାଟିଏ ଓ ପୁଅ ଟିଏ । ପୁଅ ନୀଳକଣ୍ଠ ୧୦ ବର୍ଷ ବୟସର ହୋଇଥିବା ବେଳେ ବାପା ଛାଡି ଚାଲିଗଲେ । ନୀଳକଣ୍ଠ ଅଷ୍ଟମ ଶ୍ରେଣୀରେ ପାଠପଢୁଥିବା ବେଳେ ତାଙ୍କର ଦେହ ଅସୁସ୍ଥ ହେଲା । ପ୍ରଥମେ ପ୍ରଥମେ ବିଧବା ମା କୁସୁମ ପୁଅକୁ କଟକ ନେଇ ଚିକିତ୍ସା କରାଇଲେ । ହେଲେ ଅର୍ଥାଭାବ ଯୋଗୁଁ ପୁଅକୁ ଅଧିକ ଚିକିତ୍ସା କରାଇବା ଅସମ୍ଭବ ହୋଇପଡିଲା ।

ଏମିତି ବର୍ଷ ପରେ ବର୍ଷ ବିତିଗଲା । ଚିକିତ୍ସା ତ ଦୂରର କଥା ବୟସର ଅପରାହ୍ନରେ କୁସୁମ ପର ଘରେ ମୂଲ ମାପୁଅ ପାଇଁ ଦାନା ଦୁଇ ମୁଠା ଯୋଗାଇ ପାରୁନାହାନ୍ତି । ୧୫ ବର୍ଷ ହେଲା ପାଗଳ ପୁଅର ବୋଝକୁ ମୁଣ୍ଡେଇ ମୁଣ୍ଡେଇ କୁସୁମ ଏବେ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଆଖିର ଲୁହ ଯେମିତି ଶୁଖିବାର ନାଁ ଧରୁନି। ଗାଁ ଲୋକଙ୍କ ସହଯୋଗରେ ପୁଅକୁ ଭତ୍ତା ୫୦୦ ଟଙ୍କା ମିଳୁଛି । ସରକାରୀ ସହାୟତା ତାଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ । ପୁଅର ଚିକିତ୍ସା ପାଇଁ ସେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ସେପଟେ ଏ ସମ୍ପର୍କରେ ସ୍ଥାନୀୟ ଜଣାଇବା ପରେ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ନିମାପଡା ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି ।