• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନଦୀରେ ପଶି ବିପଦପୂର୍ଣ୍ଣ ଭାବେ ଯାଆସ କରୁଛନ୍ତି ଲୋକେ

  • ରାୟଗଡ଼ା ଜିଲ୍ଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସମସ୍ୟା

  • ସେପଟେ ୪ ବର୍ଷ ହେବ ଗଂଜାମ ବେଲଗୁଣ୍ଠା ବୋଡ଼ା ନଦୀରେ ଅଧପନ୍ତରିଅ ଭାବେ ଚାଲିଛି ପୋଲ କାମ

ରାୟଗଡ଼ା, ଭଂଜନଗର (ମନୋଜ ପାତ୍ର ଓ ରାଜେଶ କୁମାର ପଣ୍ଡା) : ଅଧପନ୍ତରିଆ ହୋଇ ପଡିଛି ବ୍ରିଜ୍ କାମ । ବର୍ଷ ବର୍ଷ ବିତିଲାଣି ସରିପାରୁନି । ଫଳରେ ଯାତାୟାତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । କେଉଁଠି ଅସ୍ଥାୟୀ ପୋଲରେ ଯାଆସ କରୁଛନ୍ତି ତ ଆଉ କେଉଁଠି ଭରା ନଦୀରେ ପଶି ବିପଦପୂର୍ଣ୍ଣ ଭାବେ ପାର ହେଉଛନ୍ତି ।

ରାୟଗଡ଼ା ଜିଲ୍ଲା ଆନ୍ଧ୍ର ଓଡ଼ିଶା ସୀମାନ୍ତ ନାଗାବଳୀ ନଦୀରେ ବିପଦସଙ୍କୁଳ ଭାବେ ରାସ୍ତା ପାର କରୁଛନ୍ତି ଲୋକେ । ପାଦେପାଦେ ବିପଦ ଥିଲେ ବି ଦୈନଦିନ ଜୀବନ ଜାପନ ପାଇଁ ନଦୀ ଏପାରିରୁ ସେପାରିକୁ ଯିବାକୁ ବାଧ୍ୟ ହେଉଛନ୍ତି । ଭରା ନଦୀରେ ବାଜି ଲାଗିଛି ଜୀବନ । କିଏ ମୁଣ୍ଡରେ ଭାର ବୋହି ଚାଲିଛି ତ କିଏ ଶଗଡ଼ ଗାଡ଼ି ସାହାଯ୍ୟରେ ନଦୀ ପାର ହେଉଛି । ଲୋକେ ବ୍ରିଜ୍ କାମ ଅଧପନ୍ତରିଆ ହୋଇ ପଡ଼ିଥିବା ବେଳେ ବିପଜ୍ଜନକ ଭାବେ ନଦୀ ପାର ହେଉଛନ୍ତି ଅଞ୍ଚଳବାସୀ । ନାଗାବଳୀ ନଦୀରେ ସେତୁ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲା ୧୨ କୋଟି ୫୧ ଲକ୍ଷ ଟଙ୍କା ମାତ୍ର ୩ ବର୍ଷ ବିତିଲାଣି, ବ୍ରିଜ୍ କାମ ସରିପାରୁନି । ପୋଲ ନିର୍ମାଣରେ ବିଳମ୍ବ ଅଭିଯୋଗକୁ ପ୍ରଶାସନ ମଧ୍ୟ ସ୍ୱୀକାର କରିଛି । ବର୍ଷା ଯୋଗୁଁ ଏବେ କାମ ବନ୍ଦ ରହିଛି ଶୀଘ୍ର ନିର୍ମାଣ କାମ ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସେହିପରି ଗଂଜାମ ବେଲଗୁଣ୍ଠା ନିକଟ ବୋଡ଼ାନଦୀ ଉପରେ ଥିବା ନିର୍ମାଣାଧିନ ସେତୁର ମଧ୍ୟ ସମାନ ଅବସ୍ଥା । ୨୦୧୮ ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ସେତୁ ନିର୍ମାଣ ଅରମ୍ଭ ହୋଇଥିଲା ଦେଢ଼ ବର୍ଷ ଭିତରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଥିଲା । ମାତ୍ର ୪ ବର୍ଷ ବିତିଲାଣି, ସରୁନି କାମ । ସେହିପରି ନିର୍ମାଣ କାମ ମଧ୍ୟ ନିମ୍ନମାନର ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏ ନେଇ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ ।