• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୃଷ୍ଣ ବେଶରେ ଗାଈ ଚରାନ୍ତି ସୁବଳ

  • ସତେ କି ଏ ଯୁଗର କୃଷ୍ଣ

କାମାକ୍ଷାନଗର(ବିଦ୍ୟାଧର ବରାଳ) : ମଣିଷ ହେଉ ଅବା ପଶୁ ସ୍ନେହ, ପ୍ରେମର ଆଗରେ ସବୁ କିଛି ଫିକା । ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଗୋମାତାଙ୍କ ପ୍ରତି ଅନାବିଳ ଭଲପାଇବା ମାନବ ସମାଜ ପାଇଁ ଏକ ନିଦର୍ଶନ । ହେଲେ ଆଜିର ଆଧୁନିକତା ଛାପରେ ଏପରି ଭଲପାଇବା ଦେଖିବା ଖୁବ୍ ବିରଳ । ତେବେ ଢେଙ୍କାନାଳ ଜିଲ୍ଲାର ସୁବଳଙ୍କର ଗୋମାତା ସେବା ସତରେ ଅବିଶ୍ୱସନୀୟ ।  ତାଙ୍କର ବଂଶୀର ସ୍ୱର ଗାଈଗୋରୁଙ୍କୁ ବାନ୍ଧି ଦେଇଛି ପବିତ୍ର ସମ୍ପର୍କର ଅତୁଟ ଡୋରେର । ପ୍ରତିଦିନ ସେ କୃଷ୍ଣ ବେଶରେ ଗାଈ ଚରାଉଛନ୍ତି । ସତେ ଯେମିତି ଏ ଯୁଗର କୃଷ୍ଣ । ବଂଶୀ ବଜାଉଛନ୍ତି, ଗଛ ଡାଳରେ ବସୁଛନ୍ତି । ପାଖକୁ ଦୌଡି ଆସୁଛନ୍ତି ଗାଈ । ବିମୋହିତ ହେଉଛନ୍ତି । ଦ୍ୱାପର ଯୁଗର ଭଗବାନ କୃଷ୍ଣ ଓ ଗୋମାତାଙ୍କ ନିବିଡ ସଂପର୍କକୁ ତଉଲୁଛନ୍ତି ସ୍ଥାନୀୟ ଲୋକ ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଅନ୍ତର୍ଗତ ଆଦିପୁରା ଗାଁର ସୁବଳ ଦାସ । ପେଷା ଓ ନିଶା ହେଉଛି ଗୋମାତା ସେବା । ୫୮ ବର୍ଷ ବୟସରେ ବି ରହିଛି ଯୁବକ ସୁଲଭ ବଳ । ସକାଳୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଗୋମାତାଙ୍କ ସେବାରେ ଲାଗିଥାଆନ୍ତି । ଥରେ ଆଖିରେ ନଦେଖିଲେ ବି ବିଶ୍ୱାସ ହେବ ନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁବଳଙ୍କ ବଂଶୀର ସ୍ୱରରେ ଟାଣି ହୋଇ ଯାଉଛନ୍ତି ଶହ ଶହ ଗୋମାତା । ବଂଶୀ ବାଜିଲେ ସୁବଳଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି ଗୋରୁଗାଈ ।

ତେବେ ଗୋମାତାଙ୍କ ସେବା କରିବା ସମୟରେ ତାଙ୍କର ଥାଏ ସ୍ୱତନ୍ତ୍ର ଗେଟ୍ ଅପ୍ । ଯଦିଓ ଏହା ଦ୍ୱାପର ଯୁଗ ନୁହେଁ କି ଯମୁନା ନଦୀର କୂଳ ନୁହେଁ । ତଥାପି ବ୍ରାହ୍ମଣୀ ନଦୀର କୂଳରେ ସୁବଳଙ୍କ ନିତିଦିନିଆ ଗାଈ ଚରାଇବାର ଦୃଶ୍ୟ ଆପଣ ଆଖିରେ ନଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ବଂଶୀର ସ୍ୱରର ତାଳେ ତାଳେ ସୁବଳଙ୍କ ନୃତ୍ୟ ଓ ଗୀତ ବେଶ ନିଆରା । ୧୦ ରୁ ୧୨ ବର୍ଷ ବୟସରେ ଛତିଆବଟରେ ବାପାଙ୍କ ସହିତ ରହି ଗୋସେବା ପାଇଁ ସେ ବେଶ ଅନୁପ୍ରାଣିତ ହୋଇଥିଲେ । ସେହି ଦିନ ଠାରୁ ଆଉ ପଛକୁ ଫେରି ନାହାଁନ୍ତି । ଗାଁରେ ଗୋସେବାକୁ ଆପଣେଇ ନେଇଛନ୍ତି । ନିଜର ପେଟ ପୋଷିବା ପାଇଁ ଯିଏ ଯାହା ଦେଲା ତାହା ହିଁ ତାଙ୍କର ରୋଜଗାର ।

ସୁବଳଙ୍କ ଗାଈଗୋରୁଙ୍କ ପ୍ରତି ଏ ସମ୍ପର୍କ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ଠାରୁ ଶିକ୍ଷାବିତଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଛନ୍ତି । ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସୁବଳ ତାଙ୍କର ଏହି ସେବାକୁ ଜାରି ରଖିବେ ବୋଲି କରିଛନ୍ତି । ପ୍ରତିବର୍ଷ ଗୋବର୍ଦ୍ଧନ ପୂଜା ମାଧ୍ୟମରେ ଏକ ବିଶାଳକାୟ ମହୋତ୍ସବ କରିବେ ବୋଲି ସେ ଆଶା ରଖିଛନ୍ତି ।

ଆଧୁନିକ ଯୁଗରେ ତାଙ୍କର ଏହି ପ୍ରୟାସ ସମାଜ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଯେଉଁଠି ଅସାଧୁ ଲୋକ ମାନେ ଗୋଚାଲଣ କରି ସନାତନ ହିନ୍ଦୁ ଧର୍ମର ନୀତି ଓ ଆଦର୍ଶକୁ କ୍ଷୁର୍ଣ୍ଣ କରୁଛନ୍ତି । ସେଇଠି ସୁବଳଙ୍କ ଏ ନିଆରା ପ୍ରୟାସ ଗୋମାତାଙ୍କ ପ୍ରତି ସମ୍ପର୍କର ଡୋରକୁ ବେଶ ସୁଦୃଢ଼ କରିଛି । ଆଧୁନିକତାର ଛାପରେ ସୁବଳଙ୍କ ଗୋମାତା ପ୍ରୀତି ସମାଜ ପାଇଁ ଏକ ଭିନ୍ନ ଉଦାହରଣ । ବଂଶୀର ସ୍ୱରରେ ଗୋମାତାଙ୍କ ସହ ନିଆରା ସମ୍ପର୍କ ଚିର ପ୍ରଶଂସନୀୟ ।