• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜଣେ ଜନ ପ୍ରତିନିଧିଙ୍କ କରୁଣ କାହାଣୀ

  •  ଦିନେ ନିଜ ଅଂଚଳର ସମସ୍ୟା ସମାଧାନ କରୁଥିଲେ ଆଜି କୁଲିମଜୁରୀ ପେଟ ପୋଷୁଛନ୍ତି

  • ଦୀର୍ଘ ୫ବର୍ଷ ଧରି ପଞ୍ଚାୟତର ସୁଖଦୁଃଖରେ ସାମିଲ ଥିବା ମଣିଷ ଆଜି ଦୟନୀୟ ଅବସ୍ଥାରେ

ରେଢାଖୋଲ(ରମାକାନ୍ତ ମହାନନ୍ଦ) : ଦିନେ ସେ ଥିଲେ ପଞ୍ଚାତର ନାଏବ ସରପଞ୍ଚ । ନିଜ ଅଂଚଳର ସମସ୍ୟାର ସମାଧାନ ତଥା ବିକାଶରେ ତାଙ୍କର ଭାଗିଦାରୀ ଥିଲା । ଭାଗ୍ୟର ବିଡମ୍ବନାରେ ଆଜି ସେ ପୂରା ଅସହାୟ । ପର ହାତ ଟେକାକୁ ଭରସା କରି ତଥା ମୂଲମଜୁରୀ କରି ବଂଚିଛନ୍ତି । ଜଣେ ସ୍ୱାଭିମାନୀ ମଣିଷ ଭାବରେ ପରିଚିତ ନାଏବ ସରପଞ୍ଚ ଦୁର୍ଜନ ମୁଣ୍ଡା । ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ଗୋଟିଏ ବି ଯୋଜନାର ଲାଭ ଉଠାଇ ପାରି ନାହାନ୍ତି ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁଷୁରାମାଲ ପଞ୍ଚାତତର ପୂର୍ବତନ ନାଏବ ସରପଞ୍ଚ ଦୁର୍ଜନ ମୁଣ୍ଡା । ସ୍ତ୍ରୀ ଓ ଝିଅ ମୃତ୍ୟୁ ପରେ ଏକମାତ୍ର ପୁଅ ବାହା ହେବା ପରେ ବାପାକୁ ଛାଡି ଅନ୍ୟତ୍ର ଚାଲିଗଲା । ଏତେ ବଡ଼ ଦୁନିଆରେ ଏକୁଟିଆ ହୋଇଗଲେ ଦୁର୍ଜନ ମୁଣ୍ଡା । ଆଗଭଳି ଦେହରେ ବଳ ନଥିଲେ ବି ନିଜେ ନିଜ କାମ ନିଜେ କରି ଚଳୁଛନ୍ତି । କେତେବେଳେ ମୂଲ ମଜୁରୀ ତ ଆଉ କେତେବେଳେ ପର ହାତଟେକାକୁ ଅପେକ୍ଷା କରି ଝାଟିମାଟି ଘରେ ନିଜ ବଳକା ଜୀବନକୁ କାଟୁଛନ୍ତି ଦୁର୍ଜନ ମୁଣ୍ଡା ।

୨୦୦୭ ରୁ ୨୦୧୨ମସିହା ପର୍ଯ୍ୟନ୍ତ ଘୁଷୁରାମାଲ ପଚାଂୟତରେ ଦୁର୍ଜନ ମୁଣ୍ଡା ନାଏବ ସରପଞ୍ଚ ଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ବସି ଅଞ୍ଚଳର ବିକାଶ ତଥା ସମସ୍ୟାର ବିଚାର କରୁଥିଲେ । ଜଣେ ସ୍ୱାଭିମାନୀ ସାଧାରଣ ଆଦିବାସୀ ନିରକ୍ଷର ଲୋକ ହୋଇ ମଧ୍ୟ ଜନମତ ସାଉଁଟି ସେ ପଞ୍ଚାୟତର ୱାର୍ଡ ମେମ୍ବର ହୋଇ ଶେଷରେ ନାଏବ ସରପଞ୍ଚ ହୋଇଥିଲେ । ଦୀର୍ଘ ୫ବର୍ଷ ଧରି ପଞ୍ଚାୟତର ସୁଖଦୁଃଖରେ ସାମିଲ ଥିବା ଏହି ମଣିଷ ଆଜି ଦୟନୀୟ ଅବସ୍ଥାରେ । କ୍ଷମତାରେ ଥିବାବେଳେ ସେ କେବେ ପଦବୀର ଅପବ୍ୟବହାର କରିନାହାଁନ୍ତି । ସେଥିପାଇଁ ତ ନିଜ ନାଁରେ ଏପର୍ଯ୍ୟନ୍ତ ତାଙ୍କ ନାମରେ ଗୋଟିଏ ବି ଯୋଜନା ନାହିଁ । ୭୨ବର୍ଷୀୟ ଦୁର୍ଜନଙ୍କୁ ନାଁ ମିଳିଛି ଘର, ରାସନକାର୍ଡ, ନାଁ ଭତ୍ତା ।

କେତେବେଳେ କେମିତି କାଠବାକ୍ସରୁ ପୁରୁଣା ଧୋତି,ସାର୍ଟ ବାହାର କରି ପିନ୍ଧିବା ସହ ହାତରେ ବ୍ୟାଗ ଟିଏ ଧରି ବାହାରି ପଡ଼ନ୍ତି ଗାଁ ଆଡ଼େ । ଆଉ କେତେବେଳେ ନିଜ ପଞ୍ଚାୟତ କାର୍ଯ୍ୟାଳୟ ଆଡ଼କୁ ଯାଇ ମୁହଁ ମାରି ଆସନ୍ତି, ବାଟରେ ଯାହାକୁ ଦେଖିଲେ ଭଲମନ୍ଦ ପଚାରି ଦିଅନ୍ତି । ନିଜ ଦୁଖ କାହାକୁ ନକହି ଆଜି ବି ଦୟନୀୟ ଅବସ୍ଥାରେ ରହିଛନ୍ତି ଦୁର୍ଜନ । ଗରିବ ଲୋକଙ୍କ ପାଇଁ ଏତେ ଯୋଜନା ଥିଲେ ସୁଦ୍ଧା କୌଣସି ସରକାରୀ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି । ଖଟିଲେ ଖାଉଛନ୍ତି । ହେଲେ ଏବେ ଆଉ ବଳ ବୟସ ନାହିଁ । ସରକାରଙ୍କ କୌଣସି ବି ଗୋଟିଏ ଯୋଜନାର ଲାଭ ମିଳିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ଦୁର୍ଜନ ମୁଣ୍ଡା । ସେପଟେ ତାଙ୍କୁ ନିଶ୍ଚିତ ଭାବରେ ସରକାରୀ ସାହାଯ୍ୟ ଦିଆଯିବ ବୋଲି ନାକଟିଦେଉଳ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।