• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବର୍ଷା ଦିନ ଆସିଲେ ହଜି ଯାଉଛି ରାୟଗଡ଼ାବାସୀଙ୍କ ନିଦ

  • ନଦୀ କୂଳ ଖାଉଥିବାରୁ ଚିନ୍ତାରେ ଶହ ଶହ ଲୋକେ

  • ଜୀବନ-ଜୀବିକା ଉଭୟ ପ୍ରତି ଘନଉଛି ବିପଦ

  • ନଦୀ ଗତିପଥ ପରିବର୍ତ୍ତନ କରୁଥିବାରୁ ବଢ଼ୁଛି ବିପଦ

  • ପଥର ବନ୍ଧ ନିର୍ମାଣ ଦାବି ଏଯାଏଁ ହେଲାନି ପୂରଣ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ଅଣ୍ଟାରିଗୁଡା ଗ୍ରାମବାସୀଙ୍କୁ ଘାରୁଛି ନାଗାବଳୀ ନଦୀ ଭୟ । ସାମାନ୍ୟ ବର୍ଷା ହେଲେ ନଦୀ ଫୁଲି କୂଳ ଲଂଘୁଛି । ଜୀବନ-ଜୀବିକା ଉଭୟ ପ୍ରତି ଘନଉଛି ବିପଦ । ପ୍ରଶାସନିକ ଅଧିକାରୀଙ୍କଠୁ ରାଜନେତା ଯାଏଁ, ସମସ୍ତେ କେବଳ ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ଲୋକଙ୍କ ସ୍ଥିତିରେ ଆସିପାରୁନି କୌଣସି ସୁଧାର ।

ବର୍ଷାଦିନ ଆସିଲେ ନିଦ ହଜିଯାଉଛି । ନଦୀ ଫୁଲିଲେ ବଢୁଛି ଚିନ୍ତା । ଗାଁ ଆଡକୁ ମାଡି ଆସୁଛି ବିପଦ । ରାୟଗଡ଼ା ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଥିବା ଅଣ୍ଟାରିଗୁଡା ଗାଁ । ଏଠି ଲୋକଙ୍କ ପାଇଁ ଦୁଃଖ ସାଜିଛି ନାଗାବଳୀ ନଦୀ । ଲଗାଣ ବର୍ଷା ହେଲେ ନଦୀ ଫୁଲୁଥିବା ବେଳେ କୂଳ ଖାଇ ମାଟି ଅତଡା ଖସୁଛି । ପ୍ରତିବର୍ଷ ନଦୀ ଗତିପଥ ପରିବର୍ତ୍ତନ କରି ଗାଁ ଆଡ଼କୁ ମାଡି ମାଡ଼ି ଆସୁଛି । ଫଳରେ ଲୀନ ହେବାକୁ ବସିଲାଣି ଲୋକଙ୍କ ଘରଦ୍ୱାର, ଚାଷଜମି । ସ୍ଥାୟୀ ସମାଧାନ ନେଇ ଗାଁଲୋକେ ପ୍ରଶାସନକୁ ଜଣାଇଥିଲେବି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ।

ଅଣ୍ଟାରିଗୁଡା ଗାଁରେ ୬୦ ପରିବାର ରହୁଛନ୍ତି । ଅଧିକାଂଶ ଲୋକଙ୍କ ଜୀବିକା ଚାଷବାସ ହୋଇଥିଲେ ବି ନଦୀ କୂଳ ଖାଉଥିବାରୁ ଚାଷ ଜମିକୁ ପଡ଼ିଆ ପକାଇଛନ୍ତି ଲୋକେ । କିଛି ବର୍ଷ ତଳେ ଗାଁଟି ନଦୀଠୁ ୩ଶହ ମିଟର ଦୂରରେ ଥିବାବେଳେ ୨ ବର୍ଷ ହେଲା ମାଟି ଧସି ଶହେ ମିଟରରେ ପହଂଚିଛି । ୨୦୧୯ରେ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଗାଁକୁ ଆସି ସ୍ଥିତି ଅନୁଧ୍ୟାନ କରି ପଥରବନ୍ଧ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜିଯାଏଁ ନଦୀକୂଳରେ ମୁଠାଏ ମାଟି ପଡିନି । ଅନ୍ୟପଟେ ଏନେଇ ଯୋଜନା କମିଟିକୁ ଜଣାଯିବ ଏବଂ ଖୁବଶୀଘ୍ର କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ ।