• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଞ୍ଚାୟତ ପରେ ପୌର ନିର୍ବାଚନ ପାଇଁ ଫିଟିଲା ବାଟ । ହଟିଲା ସଂରକ୍ଷଣ ନେଇ ଥିବା ପ୍ରତିବନ୍ଧକ । ପ୍ରାୟ ୩ ବର୍ଷ ବିଳମ୍ବରେ ପୌର ନିର୍ବାଚନ ପାଇଁ ଆରମ୍ଭ ହେବାକୁ ଯାଉଛି ପ୍ରକ୍ରିୟା । ବିଧାନସଭାରେ ସଂଶୋଧିତ ପୌର ଆଇନ ପାରିତ ହେବା ପରେ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ଗେଜେଟ୍ ନୋଟିଫିକେସନ୍ । ଏଣିକି ପୌର ପରିଷଦରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରହିବ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ସିଟ୍ ସଂରକ୍ଷଣ ପରେ ବଳକା ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିବ । କିନ୍ତୁ ଏହା ୨୭ ପ୍ରତିଶତରୁ ଅଧିକ ହେବ ନାହିଁ । କାଉନ୍‌ସିଲର, କର୍ପୋରେଟରମାନଙ୍କ ସହ ପୌରାଧ୍ୟକ୍ଷ ଓ ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଲାଗୁ ହେବ ।

ଗେଜେଟ୍ ବିଜ୍ଞପ୍ତି ପରେ ପ୍ରଥମେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓ୍ୱାର୍ଡ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ । କାରଣ ଏହା ଭିତରେ ଅନେକ ସହରାଞ୍ଚଳର ପରିସୀମା ବଢିଛି । ଅନେକ ଗାଁ ପୌରାଞ୍ଚଳରେ ମିଶିବ । ତେଣୁ ଓ୍ୱାର୍ଡ ପୁନର୍ଗଠନର ଆବଶ୍ୟକତା ପଡିବ ବୋଲି କୁହାଯାଉଛି । ଏହାପରେ ସିଟ୍ ସଂରକ୍ଷଣ କରାଯିବ ।

୨୦୧୮ ସେପ୍ଟେମ୍ବର ପରଠାରୁ ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ନିର୍ବାଚିତ ପରିଷଦର କାର୍ଯ୍ୟକାଳ ଶେଷ ହୋଇଛି । କିନ୍ତୁ ତାପରେ ଆଉ ନିର୍ବାଚନ ହୋଇନଥିବାରୁ ବିନା ଜନ ପ୍ରତିନିଧିରେ ପ୍ରଶାସକଙ୍କ ମାଧ୍ୟମରେ ଚାଲିିଛି ପୌର ସଂସ୍ଥା । ୧୦୭ ଏନ୍ଏସି ଓ ମ୍ୟୁନିସିପାଲଟି ଏବଂ ୫ଟି ମହାନଗର ନିଗମରେ ନିର୍ବାଚନ ହେବା କଥା । କିନ୍ତୁ ନୂଆକରି ଗଠନ ହୋଇଥିବା ରାଉରକେଲା ଓ ସମ୍ବଲପୁର ମହାନଗର ନିଗମକୁ ନେଇ କୋର୍ଟରେ ମାମଲା ଚାଲିଛି ।

ସେପଟେ ୩ ବର୍ଷ ଧରି ନିର୍ବାଚନ ହୋଇନଥିବାରୁ ଜନ ପ୍ରତିନିଧି ଓ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ବିଜେପି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ତେବେ ବଡ଼ ପ୍ରଶ୍ନ ହେଲା, କେବେ ହେବ ପୌର ନିର୍ବାଚନ ? ପଂଚାୟତ ନିର୍ବାଚନ ପରେ ହେବ ନା ଏକା ସାଙ୍ଗରେ ହେବ ? ରାଜନୈତିକ ଦଳର ଚାପ ଓ ହାଇକୋର୍ଟରେ ମାମଲା ପରେ ବାଧ୍ୟ ହୋଇ ସରକାର ନିର୍ବାଚନ ପ୍ରକ୍ରିୟାକୁ ଯାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ପୂର୍ବରୁ ପୌରାଧ୍ୟକ୍ଷ ଓ ମେୟର ନିର୍ବାଚନ ସିଧାସଳଖ ନହୋଇ କାଉନସିଲ୍‌ରମାନେ ପୌରାଧ୍ୟକ୍ଷ ଓ କର୍ପୋରେଟରମାନେ ମେୟର ବାଛୁଥିଲେ । ଏବେ କିନ୍ତୁ ଭୋଟରମାନେ ସିଧାସଳଖ ପୌରାଧ୍ୟକ୍ଷ ଓ ମେୟରଙ୍କୁ ବାଛିବା ନେଇ ସରକାରଙ୍କ ପ୍ରସ୍ତାବ ରହିଛି ।