• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୟୂରଭଞ୍ଜ: ମୟୂରଭଞ୍ଜ କଲେକ୍ଟର ଓ ଜିଲ୍ଲାର ଅନ୍ୟ ଓଏଏସ୍ ଅଧିକାରୀଙ୍କ ପ୍ରତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଏ ଆକ୍ଷେପ ସୃଷ୍ଟି କରିଛି ବଡ଼ ରାଜନୈତିକ ହଲଚଲ୍ । ଗତକାଲି ଟୁଡୁ ସାଂଘାତିକ ଅଭିଯୋଗ ଆଣି କହିଥିଲେ ଯେ, ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲା ବିଜେଡି ସଭାପତି ଏବଂ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବିଜେଡିର ସକ୍ରିୟ କର୍ମୀ ଭଳି କାମ କରୁଛନ୍ତି ।

ପ୍ରୋଟକଲ ଅନୁସାରେ ତାଙ୍କୁ ସଠିକ୍ ସମ୍ମାନ ମିଳୁନି । ଉଦାହରଣ ଦେଇ କହିଥିଲେ, ଜିଲ୍ଲାରେ ଆଦିବାସୀ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ସମୀକ୍ଷା ଲାଗି ତାଙ୍କର ମୟୂରଭଞ୍ଜ ଗସ୍ତ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଆଗୁଆ ସୂଚନା ଦିଆଯାଇଥିଲା । ହେଲେ ତାଙ୍କ ପାଇଁ ଜିଲ୍ଲା ସର୍କିଟ ହାଉସରେ ସଠିକ୍ ରହଣୀ ବ୍ୟବସ୍ଥା ହୋଇନଥିଲା । ଏମିତିକି ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ବି ତାଙ୍କୁ ଭିଆଇପି ସୁଟ୍ ପରିବର୍ତ୍ତେ ଛୋଟ ରୁମ୍ ଦିଆଯାଇଥିଲା, ଅଥଚ ଭିଆଇପି ସୁଟ୍‌କୁ ରାଜ୍ୟ ସରକାରଙ୍କ ଏସ୍‌ସି-ଏସ୍‌ଟି ୱେଲଫେୟାର ନିର୍ଦ୍ଦେଶକଙ୍କୁ ଦିଆଯାଇଥିଲା । ଯେହେତୁ ସେ ଜଣେ ବିଜେପି ସାଂସଦ ସେଥିପାଇଁ ତାଙ୍କ ବିରୋଧରେ ଏକ ବିରାଟ ଷଡ଼ଯନ୍ତ୍ର ଚାଲିଛି ବୋଲି ଟୁଡୁ ଅଭିଯୋଗ କରିଥିଲେ ।

ଏହାର ଜବାବରେ ମୋରଡ଼ାର ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଟୁଡୁଙ୍କର ଏଭଳି ଅରୁଚିକର ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେବେ ଟୁଡୁଙ୍କ ଏ ଅଭିଯୋଗ ଉପରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିନାହିଁ ।

ପୂର୍ବରୁ ଗତ ୯ ତାରିଖରେ ବାରିପଦା ସର୍କିଟ ହାଉସରେ କେନ୍ଦ୍ରମନ୍ତ୍ରୀ ଟୁଡ଼ୁ, ମୟୂରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତିଙ୍କୁ ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଯାହାର ପ୍ରତିବାଦରେ ଜିଲ୍ଲା ଓଏସ୍ ଅଫିସର ସଂଘ ପକ୍ଷରୁ ସମସ୍ତ ଅଧିକାରୀ କଳା ବ୍ୟାଜ୍ ପିନ୍ଧିଥିଲେ । ଏଠି ପ୍ରଶ୍ନ ଯେ, କାହିଁକି ବଢୁଛି ଜନପ୍ରିତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତିକ୍ତତା ? ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ମତରେ ଯଦିଓ ପ୍ରୋଟକଲ, ସମ୍ମାନ ଅବା ନିର୍ଦ୍ଦେଶ ଅନୁପାଳନକୁ ନେଇ ରାଜନେତା ଓ ପ୍ରଶାସକଙ୍କ ମଧ୍ୟରେ ବିବାଦ ନୂଆ ନୁହେଁ ହେଲେ ଗଣତନ୍ତ୍ରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ବ ହୋଇଥିବାରୁ, ନିର୍ବାଚିତ ଜନପ୍ରତିନିଧିଙ୍କୁ ସାମ୍ବିଧାନିକ ନିୟମ ଅନୁସାରେ ପ୍ରଶାସନିକ ଅଧିକାରୀ ସହଯୋଗ କରିବା କଥା । କିନ୍ତୁ ରାଜନୈତିକ ଚାପ ଏବଂ ଅସହଯୋଗ ମନୋଭାବ ଯୋଗୁଁ ସେଥିରେ ବ୍ୟତିକ୍ରମ ଘଟୁଛି ଯାହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।