• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଳର ରେକର୍ଡ଼ କଲେ କୁନି ପୁଅ ସ୍ୱୟଂଶିବ 

  • ୩୭ ସେକେଣ୍ଡରେ ୯ ଫୁଟର ୩ଟି ଖମ୍ବ ଚଢ଼ିଲେ

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ

ଧର୍ମଗଡ଼(ଇଙ୍ଗିତ୍ ପଣ୍ଡା): ଖମ୍ବ ଦେଖିବା ମାତ୍ରେ ଗୋଡ଼ହାତ ଥୟ ଧରେନି । ଭବିଷ୍ୟତରେ ସେନାରେ ଯୋଗ ଦେବାର ନିଶା ଯୋଗୁଁ ୫ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କଳାହାଣ୍ଡିର କୁନି ପୁଅ ସ୍ୱୟଂଶିବ । ମାତ୍ର ୩ ବର୍ଷ ବୟସରୁ ସେ ଖମ୍ବ ଚଢିବା ଆରମ୍ଭ କରିଥିଲେ, ଏବେ ଖମ୍ବ ଚଢ଼ିବା ତାଙ୍କ ପାଇଁ ନିଶାରେ ପରିଣତ ହୋଇଯାଇଛି । ୯ ଫୁଟ ଲମ୍ବର ୩ ଟି ଖମ୍ବକୁ ୩୭ ସେକେଣ୍ଡରେ ଚଢି ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ସ୍ୱୟଂଶିବ ।

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଏକ ଛୋଟ ଗାଁ ଚିଲଗୁଡା । ବାପା ସମୀର ଯୋଶୀ ଏବଂ ମା ସାଗରିକା ଯୋଶୀଙ୍କ ଏକମାତ୍ର ପୁଅ ସ୍ୱୟଂଶିବ । ତେବେ ବର୍ତ୍ତମାନ ସ୍ୱୟଂଶିବକୁ ନେଇଁ ଚାରିଆଡେ ଚର୍ଚ୍ଚା । କାରଣ ସେ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ମାତ୍ର ୩୭ ସେକେଣ୍ଡରେ ୯ ଫୁଟ ଲମ୍ବ ବିଶିଷ୍ଟ ୩ ଟି ଖମ୍ବକୁ ଚଢି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଦେଶର ସୈନିକ ମାନେ କରୁଥିବା ବିଭିନ୍ନ ଅଭ୍ୟାସକୁ ସେ ଟିଭି ଓ ମୋବାଇଲରେ ଦେଖି ଏହି ପ୍ରେରଣା ପାଇଥିଲେ । ଆଉ ଛୋଟ ବେଳେ କମାଣ୍ଡୋ ହେବା ମନେ ମନେ ଚିନ୍ତା କରିଥିଲେ । ଆଉ ଛୋଟବେଳୁ ହିଁ ଯବାନଙ୍କ ପରି ଅଭ୍ୟାସ କରିବା ତାଙ୍କ ନିଶା ପାଲଟି ଗଲାଣି । ତାଙ୍କର ଏହି ନିଶା ତଥା ପରିବାର ଲୋକଙ୍କ ପ୍ରେରଣା ଯୋଗୁଁ ସେ ଆଜି ଏହି ରେକର୍ଡ କରିପାରିଛନ୍ତି ।

ଛୋଟବେଳୁ ସ୍ୱୟଂଶିବ କୌଣସି ଖମ୍ବକୁ ଦେଖିଲେ ରହିପାରୁନଥିଲେ ବୋଲି କହିଛନ୍ତି ପରିବାର ଲୋକ । ସେ କିପରି ଖମ୍ବଗୁଡିକୁ ଚଢି ନ ପାରିବେ ଘରଲୋକେ ସେଥିରେ ତେଲ ଲଗେଇ ଦେଉଥିଲେ । ତେବେ ପରିବାର ଲୋକଙ୍କ ବାରଣ ମଧ୍ୟ ତାଙ୍କ ଏହି ନିଶାକୁ ଅଟକାଇ ପାରିନଥିଲା । ସ୍ୱୟଂଶିବର ଆଗ୍ରହ ଦେଖି ଜେଜେ ଶଶିଶେନ ଯୋଶୀ ନିଜେ ତାଙ୍କୁ ଖମ୍ବ ଚଢିବା ତାଲିମ ଦେଲେ । ଫଳରେ ଅତି ସରୁରୁସରୁ ଖମ୍ବକୁ ଅତି ସହଜରେ ଭଳି ଚଢିବାରେ ଧୂରନ୍ଧର ହୋଇଗଲେ । ଏବଂ ମାତ୍ର ୩୭ ସେକେଣ୍ଡରେ ଖମ୍ବ ଚଢି ଆଜି ଏହି ରେକର୍ଡ ସୃଷ୍ଟି କରି କଳାହାଣ୍ଡି ତଥା ଓଡିଶା ପାଇଁ ଗର୍ବ ଆଣିଛନ୍ତି ।